• ବେତାର ଷ୍ଟାଫ ଲେଖକ

ଭାରତୀୟ ଗୁପ୍ତଚର ସଂସ୍ଥା ସୂଚନା :ଏହି ରାସ୍ତା ଦେଇ ପ୍ରବେଶ କରିପାରନ୍ତି ପାକିସ୍ତାନୀ କମାଣ୍ଡୋ


(ବେତାର ବ୍ୟୁରୋ) ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତ ବିରୋଧୀ କାର୍ଯ୍ୟକଳାପ ଜୋରଦାର କରିଚାଲିଛି । ସୀମାପାର ହୋଇ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରାଇବାକୁ ଚେଷ୍ଟା ଚଳାଇଥିବାବେଳେ ସମୁଦ୍ର ପଥ ଦେଇ କେତେଜଣ ପ୍ରଶିକ୍ଷିତ ପାକ୍ କମାଣ୍ଡୋ ଦେଶରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଭାରତୀୟ ଗୁପ୍ତଚର ସଂସ୍ଥା ସୂତ୍ରରୁ ଜଣାପଡିଛି । ଗୁଜରାଟର କଚ୍ଛ ଉପକୂଳ ଦେଇ ସେମାନେ ଭାରତରେ ଅନୁପ୍ରବେଶ କରିପାରନ୍ତି ବୋଲି ଆଶଙ୍କା କରାଯାଇଛି ।

ହାରାମି ନଳା ଦେଇ ଆସିପାରନ୍ତି

ଗୁଇନ୍ଦା ସୂଚନା ଅନୁସାରେ ଗୁଜରାଟ ଉପକୂଳ ହାରାମି ନଳା ସାର କ୍ରିକ ଏରିଆ ଦେଇ ପାକ୍ କମାଣ୍ଡୋମାନେ ଭାରତରେ ପଶିପାରନ୍ତି । ରିପୋର୍ଟ ମିଳିବା ପରେ ଏଠାକାର କାନ୍ଦଲା ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି । ସୀମା ସୁରକ୍ଷା ବାହିନୀ, ଭାରତୀୟ ତଟରକ୍ଷା ବାହିନୀ ସମେତ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡିକୁ ମଧ୍ୟ ଆଲର୍ଟ ରହିବାକୁ କୁହାଯାଇଛି ।  

କେଉଁଠି ରହିଛି ହାରାମୀ ନଳା

ହାରାମୀ ନଳା ହେଉଛି ଭାରତ ଓ ପାକିସ୍ତାନ ମଧ୍ୟ ଦେଇ ଯାଇଥିବା ୨୨ କିମି ଲମ୍ବର ସାମୁଦ୍ରିକ ରାସ୍ତା। ଏହା ଦୁଇ ଦେଶ ମଧ୍ୟରେ ସାର କ୍ରିକ ଅଞ୍ଚଳରେ ୯୬ କିମିର ବିବାଦୀୟ ଜମିର ଭାଗ । ଜୁଆର ଭଟ୍ଟା ଓ ଜଳବାୟୁରେ ବାରମ୍ବାର ପରିବର୍ତ୍ତନ ଯୋଗୁ ଏଠାରେ ଜଳସ୍ତର ଅସ୍ଥିର ରହିଥାଏ । ତେଣୁ ଏହାକୁ ଏକ ବିପଦସଙ୍କୁଳ ସ୍ଥାନ ଭାବେ ପରିଗଣିତ କରାଯାଏ । ୨୦୦୮ରେ ମୁମ୍ବାଇ ଆକ୍ରମଣବେଳେ ଏହି ସ୍ଥାନ ଦେଇ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିଥିଲେ ।

ପୋର୍ଟରେ ହାଇଆଲର୍ଟ

ସେହିପରି ଦୀନ ଦୟାଲ (କାଣ୍ଡଲା) ପୋର୍ଟ, ଆଦାନୀ ପୋର୍ଟ ଦ୍ୱାରା ପରିଚାଳିତ ମୁନ୍ଦ୍ରା ପୋର୍ଟ ଦେଇ ମଧ୍ୟ ଅନୁପ୍ରବେଶକାରୀ ଭାରତକୁ ଆସିପାରନ୍ତି ବୋଲି ରିପୋର୍ଟ ମିଳିଛି । ଏହାକୁ ନେଇ ଏହି ପୋର୍ଟଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଭାରତରେ ଆକ୍ରମଣ ଘଟାଇବା ପାଇଁ ଉଗ୍ରବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା ନେଇ ପୂର୍ବରୁ ଭାରତୀୟ ନୌସେନା ମୁଖ୍ୟ  ସଙ୍କେତ ଦେଇଥିଲେ। ସମୁଦ୍ରପଥ ଦେଇ ଯେପରି କୌଣସି ଅନୁପ୍ରବେଶକାରୀ ଭାରତରେ ପ୍ରବେଶ ନ କରିପାରନ୍ତି ସେ ନେଇ ସମ୍ପୂର୍ଣ୍ଣ ସତର୍କ ରହିବାକୁ ସୁରକ୍ଷା ବାହିନୀକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

#news #indpak #Crime #War

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon