• ବେତାର ବ୍ୟୁରୋ

ଫୋନ ବ୍ୟାଟେରିକୁ ଏମିତି ରଖନ୍ତୁ ସୁରକ୍ଷିତ, ଦୀର୍ଘସ୍ଥାୟୀ


(ବେତାର ବ୍ୟୁରୋ) ସ୍ମାର୍ଟଫୋନର ଅତି ଜରୁରୀ ଅଂଶ ହେଉଛି ବ୍ୟାଟେରି । ଦୀର୍ଘ ସମୟ ଦରି ଚାର୍ଜ ରଖିପାରୁଥିବା ଅଧିକ କ୍ଷମତା ସମ୍ପନ୍ନ ବ୍ୟାଟେରି ଯୁକ୍ତ ଫୋନ କିଣିବାକୁ ସମସ୍ତେ ଚାହିଁଥାନ୍ତି । ହେଲେ ଏହି ବ୍ୟାଟେରିକୁ କିପରି ଦୀର୍ଘ ସ୍ଥାୟୀ ତଥା ସୁରକ୍ଷିତ କରିହେବ ସେ ଦିଗରେ ଖୁବ କମ୍ ଲୋକ ଧ୍ୟାନ ଦେଇଥାନ୍ତି । ଅଧିକାଂଶ ବ୍ୟବହାରକାରୀ ଏ ବାବଦରେ ଜାଣି ମଧ୍ୟ ପାରି ନ ଥାନ୍ତି ।

ବ୍ୟାଟେରିକୁ ଦୀର୍ଘସମୟ କାର୍ଯ୍ୟକ୍ଷମ କରି ରଖିବାକୁ ଜାଣନ୍ତୁ ଏହି ସବୁ ଉପାୟ ।

ସ୍ମାର୍ଟଫୋନକୁ ଫୁଲ୍ ଚାର୍ଜ କରନ୍ତୁନି

ଫୋନ ଚାର୍ଜ ବସାଉଥିଲେ ଏହାକୁ ଫୁଲ୍ ଅର୍ଥାତ୍ ଶତପ୍ରତିଶତ ଚାର୍ଜ ଯେପରି ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏହା ଦ୍ୱାରା ବ୍ୟାଟେରୀ ଲାଇଫ ଉପରେ ପ୍ରଭାବ ପଡିଥାଏ । ଧୀରେ ଧୀରେ ଏହା ଅଧିକ ସମୟ ଧରି ଚାର୍ଜ ରଖିବା କ୍ଷମତା ହରାଇଥାଏ । ତେଣୁ ଚାର୍ଜିଂ ବେଳେ ବ୍ୟାଟେରିକୁ ଫୁଲ୍ ଚାର୍ଜ ନ କରି ୫୦ରୁ ୮୦ ପ୍ରତିଶତ ମଧ୍ୟରେ ରଖନ୍ତୁ । ଏହା ଦ୍ୱାରା ବ୍ୟାଟେରି ସୁରକ୍ଷିତ ରହିଥାଏ ।

ଚାର୍ଜ ୨୦ ପ୍ରତିଶତରୁ ତଳକୁ ଯିବାକୁ ଦିଅନ୍ତୁ ନାହିଁ

ଫୋନ ବ୍ୟାଟେରି ଲୋ ହେବା ପୂର୍ବରୁ ଏହାକୁ ଚାର୍ଜରେ ବସାନ୍ତୁ । ଚାର୍ଜ ୨୦ ପ୍ରତିଶତରୁ ଯେପରି କମ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଫୋନରେ ୨୦ ପ୍ରତିଶତ ଚାର୍ଜ କିମ୍ବା ପାଖାପାଖି ଥିବାବେଳେ ଏହାକୁ ଚାର୍ଜରେ ବସାନ୍ତୁ । ପୁରାମାତ୍ରାରେ ଡିସଚାର୍ଜ ହେବା ଦ୍ୱାରା ବ୍ୟାଟେରି ପ୍ରଭାବିତ ହୋଇଥାଏ ଏବଂ ଏହାର କାର୍ଯ୍ୟକ୍ଷମତା ଧୀରେ ଧୀରେ କମିଥାଏ ।

ଅଧିକ ତାପମାତ୍ରାରୁ ବ୍ୟାଟେରିକୁ ଦୂରେଇ ରଖନ୍ତୁ

ଫୋନ ବ୍ୟାଟେରିର ତାପମାତ୍ରା ଏହାର ବ୍ୟାକଅପ୍ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ଫୋନ ବାରମ୍ବାର ବନ୍ଦ ହୋଇଯାଇଥାଏ । ଅଧିକ ତାପମାତ୍ରା ଥିବା ସ୍ଥାନ କିମ୍ବା ବସ୍ତୁ ଉପରେ ଫୋନ ରଖିବା ଉଚିତ ନୁହେଁ । ଦୀର୍ଘ ସମୟ ଧରି ଖରାରେ ଫୋନ ରଖିବା କିମ୍ବା କାରର ଡ୍ୟାଶବୋର୍ଡରେ ରଖନ୍ତୁ ନାହିଁ । ଏହା ବାଦ୍ ଯଦି ଆପଣଙ୍କ ଫୋନ ବ୍ୟାଟେରି ଅଧିକାଂଶ ସମୟ ଗରମ ରହୁଛି ତେବେ ଏହାକୁ ବଦଳାଇ ନୂଆ ବ୍ୟାଟେରି ଆଣିବା ଉଚିତ ହେବ ।

ନିଜ ଚାର୍ଜରରେ ଫୋନ ଚାର୍ଜ କରନ୍ତୁ

ଆମେ ସାଧାରଣତଃ ଫାଷ୍ଟ ଚାର୍ଜିଂ କରି କମ ସମୟରେ ବ୍ୟାଟେରି ଫୁଲ୍ କରିଥାଉ । ଏହା ବ୍ୟାଟେରି ପ୍ରତି ଖରାପ ନ ହେଲେ ମଧ୍ୟ ଷ୍ଟାଣ୍ଡାର୍ଡ ବା ନର୍ମାଲ ଚାର୍ଜରରେ ଚାର୍ଜ କରିବା ବ୍ୟାଟେରି ପକ୍ଷେ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଯଦି ସମୟ ମିଳେ ତେବେ ଫୋନକୁ ଏହାର ନର୍ମାଲ ବା ଅଫିସିଆଲ ଚାର୍ଜରରେ ଚାର୍ଜ ବସାଇବାକୁ ଚେଷ୍ଟା କରନ୍ତୁ। 

#techtips #Smartphone #Tech

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon