- ବେତାର ବ୍ୟୁରୋ
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ : କେ ଏଲ ରାହୁଲ ବାଦ୍, ଶୁଭମନଙ୍କୁ ସୁଯୋଗ

(ବେତାର ବ୍ୟୁରୋ) ଆସନ୍ତା ଅକ୍ଟୋବର ୨ ତାରିଖଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ୧୫ ଜଣିଆ ଟିମରେ ପ୍ରଥମ ଥର ପାଇଁ ପଞ୍ଜାବର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇଛନ୍ତି
କେ ଏଲ ରାହୁଲ ବାଦ୍
ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଦୁର୍ବଳ ପ୍ରଦର୍ଶନ କରିଥିବା କେ ଏଲ୍ ରାହୁଲଙ୍କୁ ଟିମ୍ରୁ ବାଦ ଦିଆଯାଇଛି । ଦୁଇଟି ଯାକ ମ୍ୟାଚରେ ରାହୁଲ ଲଗାତାର ଭାବେ ବିଫଳ ହୋଇଥିଲେ । ତାଙ୍କ ସ୍ଥାନରେ ଶୁଭମନ ଗିଲ ସୁଯୋଗ ପାଇବା ପରେ ପ୍ରାରମ୍ଭିକ ଭାବେ ନୂଆଯୋଡି ଓପନିଂ କରିବେ ବୋଲି ସ୍ପଷ୍ଟ ହୋଇଛି ।
ଭାରତ ‘ଏ’ ଟିମରେ ଉନ୍ନତ ପ୍ରଦର୍ଶନ
୨୦ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଶୁଭମନ ୨୦୧୮ ଜାନୁୟାରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ନିକଟରେ ୱେଷ୍ଟଇଣ୍ଡିଜ ‘ଏ’ ଟିମ୍ ବିପକ୍ଷରେ ସେ ୩ଟି ମ୍ୟାଚ ଖେଳିଥିଲେ । ଏଥିରେ ଗିଲ୍ ୨୪୮ ବଲ ଖେଳି ୨୦୮ ରନ୍ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସେହିପରି ଚଳିତ ମାସରେ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷ ପ୍ରଥମ ଟେଷ୍ଟରେ ଶୁଭମନ ୯୦ ରନ୍ କରିଥିଲେ । ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲ ମ୍ୟାଚ ଖେଳିଛନ୍ତି । ୨୦୧୮-୧୯ରେ ରଣଜୀ ମ୍ୟାଚ ଖେଳି ପଞ୍ଜାବ ପାଇଁ ଶୁଭମନ ସର୍ବାଧିକ ୭୨୮ ରନ୍ କରିଥିଲେ । ପଞ୍ଜାବର ୧୬ ବର୍ଷରୁ କମ୍ ଟିମ୍ ଏବଂ ୧୯ ବର୍ଷରୁ କମ୍ ଟିମ୍ରେ ଅଧିନାୟକ ରହିଥିଲେ । ପରେ ଭାରତୀୟ ୧୯ ବର୍ଷରୁ କମ୍ ଦଳରେ ଉପଅଧିନାୟକ ମଧ୍ୟ ରହିଥିଲେ ।
ଟେଷ୍ଟ ଟିମ୍
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରହାଣେ, ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ସାହା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ଶୁଭମନ ଗିଲ୍ ।