• ବେତାର ବ୍ୟୁରୋ

ଚମଡା ଜୋତାର ଚମକ ଦୀର୍ଘ ଦିନ ରଖିବା ପାଇଁ 4 ଟିପ୍ସ


(ବେତାର ବ୍ୟୁରୋ) ବେଶ ପୋଷାକରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ ଅନେକାଂଶରେ ମାପି ହୋଇଥାଏ । ସେଥିପାଇଁ ସର୍ବଦା ନିଜକୁ ଫିଟ୍ ଏବଂ ସୁନ୍ଦର ଲାଗୁଥିବା ପୋଷାକ ପିନ୍ଧିବା ଉପରେ ଆମର ଧ୍ୟାନ ରହିଥାଏ । ହେଲେ କେବଳ ଭଲ ପୋଷାକ ପିନ୍ଧି ଯଦି ପାଦରେ ଥିବା ଜୋତା ସଫାସୁତୁରା ନ ଥାଏ ତେବେ ସମ୍ପୂର୍ଣ୍ଣ ଗେଟ୍ ଅପ୍ ଖରାପ ହୋଇଯାଇଥାଏ । ଯଦି ଜୋତା ଚମଡା ବା ଲେଦରର ହୋଇଥାଏ ତେବେ ଅଧିକ ଯତ୍ନ ନେବାକୁ ପଡିଥାଏ ।

ପ୍ରତିଦିନ ଯତ୍ନ ନିଅନ୍ତୁ

ସାଧାରଣତଃ ଅନ୍ୟ ଜୋତା ଅପେକ୍ଷା ଲେଦର ଜୋତା ଅଧିକ ଦାମ୍ ହୋଇଥାଏ । ତେଣୁ ଏହାକୁ ଅଧିକ ଦିନ ପିନ୍ଧିବା ଯୋଗ୍ୟ କରିବାକୁ ହେଲେ ସେହିପରି ଯତ୍ନ ନେବା ମଧ୍ୟ ଆବଶ୍ୟକ । ପ୍ରତିଦିନ ଜୋତା ପିନ୍ଧୁଥିଲେ ଦିନ ଶେଷରେ ଏଥିରେ ଲାଗିଥିବା ଧୂଳି ଓ ଅନ୍ୟାନ୍ୟ ଜିନିଷକୁ ବ୍ରଶ ସାହାଯ୍ୟରେ କାଢି ସଫା କରିଦିଅନ୍ତୁ । ଏହା ଦ୍ୱାରା ଅଧିକ ମାତ୍ରାରେ ଧୂଳି ଜୋତରେ ଜମା ହୋଇ ନ ଥାଏ ଏବଂ ତାହା ପରିଷ୍କାର ରହିଥାଏ ।

ସବୁଦିନ ପିନ୍ଧନ୍ତୁନି ଗୋଟିଏ ଜୋତା

ନୂଆ ଜୋତା କିଣିବା ପରେ ଏହାକୁ ପିନ୍ଧିବାକୁ ମନରେ ଇଚ୍ଛା ଜାତ ହୋଇଥାଏ । ଅନେକେ ନୂଆ ଜୋତାକୁ କ୍ରମାଗତ ଭାବେ କିଛି ସପ୍ତାହ ପିନ୍ଧି ଥାନ୍ତି । ହେଲେ ଗୋଟିଏ ଜୋତାକୁ ଅତି ବେଶୀରେ ସପ୍ତାହରେ ଦୁଇରୁ ତିନି ଦିନ ପିନ୍ଧି ବାକି ଦିନ ତାହାକୁ ଆରାମ ଦେବା ଆବଶ୍ୟକ ।

ବାହାରକୁ ଯିବାର ଦୁଇ ଘଣ୍ଟା ପୂର୍ବରୁ କରନ୍ତୁ ପଲିସ୍

ସାଧାରଣତଃ ଲେଦର ଜୋତା ଦୀର୍ଘ ସମୟ ପିନ୍ଧିବା ଦ୍ୱାରା ଏଥିରୁ ଆର୍ଦ୍ରପଣ ରହି ନ ଥାଏ ଏବଂ ଏହା ଶୁଷ୍କ ଦେଖାଯାଇଥାଏ । ଫଳରେ ଶୀଘ୍ର ଜୋତାରେ ଫାଟ ହୋଇଯାଇଥାଏ । ତେଣୁ ଏଥିରୁ ମୁକ୍ତି ପାଇବାକୁ ଅତିକମରେ ୧୫ ଦିନରେ ଥରେ ଜୋତାକୁ ପଲିସ କରିବା ଉଚିତ । ହେଲେ ବାହାରକୁ ବାହାରିବାବେଳେ ସଙ୍ଗେ ସଙ୍ଗେ ନ କରି ପ୍ରାୟ ୨ ଘଣ୍ଟା ପୂର୍ବରୁ ଜୋତା ପଲିସ କରିବା ଆବଶ୍ୟକ।

ବକ୍ସ ଭିତରେ ରଖନ୍ତୁ

ନୂଆ ଜୋତା କିଣିବା ପରେ ଏହାର କାଗଜ ବକ୍ସ ନ ଫୋପାଦ ଏହାକୁ ସର୍ବଦା ବକ୍ସରେ ରଖନ୍ତୁ । ପ୍ଲାଷ୍ଟିକ ବ୍ୟାଗ ମଧ୍ୟରେ ଆଦୌ ଏହାକୁ ଷ୍ଟୋର କରନ୍ତୁ ନାହିଁ । ଯଦି ଥାକରେ ରଖୁଛନ୍ତି ତେବେ ଏହା ଉପରେ ପେପର କଭର କରିପାରିବେ । ଏଥିସହ ଜୋତା ଭିତର ଶୁଖିଲା ରଖିବାକୁ ତାହା ମଧ୍ୟରେ ପୁରୁଣା କାଗଜ କିମ୍ବା ସିଲିକନ ପ୍ୟାକେଟ ରଖିପାରିବେ ।

#shoecare #lifestyle #MaleFashion #FashionTips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon