- ବେତାର ବ୍ୟୁରୋ
ଭାରତ-ଦ.ଆଫ୍ରିକା ଟି20 : ରିଷଭ ପନ୍ତଙ୍କୁ ଏଥିପାଇଁ ତାଗିଦ କଲେ ବ୍ୟାଟିଂ କୋଚ

(ବେତାର ବ୍ୟୁରୋ) ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ଖେଳାଯିବାକୁ ଥିବା ଟି20 ମ୍ୟାଚ ନିମନ୍ତେ ଭାରତୀୟ ଦଳ ପୁରା ଉତ୍ସାହରେ ଥିବାବେଳେ ରିଷଭ ପନ୍ତଙ୍କୁ ତାଙ୍କର ବ୍ୟାଟିଂ ପାଇଁ କୋଚ ତାଗିଦ କରିଛନ୍ତି।
କ୍ରିକେଟନେକ୍ସଟ ୱେବସାଇଟକୁ ସାକ୍ଷାତକାର ଦେଇ ଭାରତୀୟ ଟିମ ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି "ରିଷଭ ପନ୍ତ ଜଣେ ଭଲ ଖେଳାଳୀ। ତେବେ କ୍ରିକେଟରେ ନାମ କମାଇବାକୁ ହେଲେ ତାଙ୍କୁ ନିୟମ ବଦ୍ଧ ଭାବରେ ଶୃଙ୍ଖଳାର ସହିତ ବ୍ୟାଟିଂ କରିବାକୁ ପଡିବ।"
ଦକ୍ଷିଣ ଆଫ୍ରିକା ସହିତ ଖେଳାଯିବାକୁ ଥିବା ଏହି ଟି20 ମ୍ୟାଚ କୁ ବିସିସିଆଇ ଗମ୍ଭୀରତାର ସହିତ ନେଉଛି। କାରଣ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି20 ବିଶ୍ଵକପ ପୂର୍ବରୁ ଏହି ମ୍ୟାଚରୁ ନୂଆ ଯୁବ କ୍ରିକେଟ ପ୍ରତିଭା ବାଛିବାକୁ ଦଳ ନିଷ୍ପତ୍ତି ନେଇଛି।
ଯଦିଓ ଯୁବ ଖେଳାଳିମାନଙ୍କୁ ନିଜ ସାଧ୍ୟମତେ ପ୍ରହାର କରିବାକୁ ଦଳ ନିର୍ଦ୍ଦେଶ ଦେଇଛି, ତେବେ ରିଷଭଙ୍କୁ ଦେଖିଚାହିଁ ଖେଳିବାକୁ କୁହାଯାଇଛି ଓ ଅଧିକ ସମୟ ଯେପରି କ୍ରିଜରେ ରହିପାରିବେ, ସେ ବିଷୟରେ କୋଚ ରବି ଶାସ୍ତ୍ରୀ ଓ କ୍ୟାପଟେନ ବିରାଟ କୋହଲି ତାଗିଦ କରିଛନ୍ତି।
ଗୁରୁତ୍ୱପୂର୍ଣ୍ଣ ମ୍ୟାଚ
ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହେବାରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବୁଧବାର ଦ୍ୱିତୀୟ ମ୍ୟାଚରେ ପରସ୍ପରକୁ ଭେଟିବେ।
ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବାରୁ ସିରିଜ ହାତେଇବା ପାଇଁ ଏବେ ଉଭୟ ଦଳକୁ ବାକିଥିବା 2ଟି ମ୍ୟାଚ୍ ବିଜୟୀ ହେବା ଜରୁରୀ ହୋଇ ପଡିଛି। ଫଳରେ ମୋହାଲିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ର ଗୁରୁତ୍ୱ ଆହୁରି ବଢିଯାଇଛି।
ସୋମବାର ନେଟ୍ସରେ ଅବଶ୍ୟ ପନ୍ତ ଜୋରଦାର ଅଭ୍ୟାସ କରିଛନ୍ତି। ପନ୍ତଙ୍କୁ ବାଦ୍ ଦେଲେ ଲେଗ୍ ସ୍ପିନର ରାହୁଲ ଚହର ଓ ଅଫ୍ ସ୍ପିନର ଓ୍ବାଶିଂଟନ ସୁନ୍ଦର ଉପରେ ମଧ୍ୟ ଚାପ ରହିଛି। କୁଲଦୀବ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ପଛରେ ପକାଇ ଏହି ଦୁଇ ସ୍ପିନରଙ୍କୁ କ୍ରମାଗତ ଦ୍ୱିତୀୟଥର ପାଇଁ ସିରିଜରେ ସାମିଲ କରାଯାଇଛି। ବିଶ୍ୱକପ୍ ପୂର୍ବରୁ ୨୦ଟି ଟି୨୦ ମ୍ୟାଚ୍ ଖେଳାଯିବ।
ଦଳରେ ବ୍ୟାଟିଂ ଗଭୀରତ ରହିବା ଉପରେ ଗୁରୁତ୍ୱ ଦିଆଯାଉଛି। ମନୀଷ ପାଣ୍ଡେ ଓ ଶ୍ରେୟାସ ଆୟରଙ୍କ ପାଇଁ ମଧ୍ୟ ଏହି ସିରିଜ ବେଶ୍ ଗୁରୁତ୍ୱ ବହନ କରୁଛି।