• ବେତାର ବ୍ୟୁରୋ

ଓପିଏସସି ପିଜି ଶିକ୍ଷକ ପରୀକ୍ଷା ଆବେଦନ ପାଇଁ ବାକି ରହିଲା ଗୋଟିଏ ଦିନ : ଏମିତି ରହିଛି ପ୍ରକ୍ରିୟା


(ବେତାର ବ୍ୟୁରୋ) ଓଡିଶା ଲୋକସେବା ଆୟୋଗ ତରଫରୁ ରାଜ୍ୟରେ ହେବାକୁ ଥିବା 128 ପୋଷ୍ଟ ଗ୍ରାଜୁଏଟ  ଶିକ୍ଷକ ନିଯୁକ୍ତି ନିମନ୍ତେ ଅନଲାଇନ ଆବେଦନ ପାଇଁ ଆଉ ମାତ୍ର ଅଳ୍ପ ସମୟ ବାକି ରହିଛି । ଗତ ମାସ ଅଗଷ୍ଟ 22 ତାରିଖରୁ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟା ଆସନ୍ତା ଶନିବାର ମଧ୍ୟରାତ୍ରି (ସେପ୍ଟେମ୍ବର 21) ତାରିଖ ସୁଦ୍ଧା ଶେଷ ହୋଇଯିବ ।

ତେବେ ଯେଉଁ ମାନେ ନିର୍ଦ୍ଧାରିତ ସମୟ ସୀମା ଭିତରେ ଅନଲାଇନ ଆବେଦନ କରିଥିବେ ସେମାନେ ସେପ୍ଟେମ୍ବର 25 ତାରିଖ ସୁଦ୍ଧା ଷ୍ଟେଟ ବ୍ୟାଙ୍କରେ ଅନଲାଇନ ଜରିଆରେ ପରୀକ୍ଷା ଫି ଚାଲାଣ କାଟିପାରିବେ ।

କିପରି ଆବେଦନ କରିବେ

ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନେ ୱେବସାଇଟ  opsconline.gov.inକୁ ଯାଇ ଅନଲାଇନ ଆବେଦନ କରିବେ । ଅନ୍ୟାନ୍ୟ ଜରୁରୀ ତଥ୍ୟ ପାଇଁ http:/opsc.gov.in ୱେବସାଇଟରେ ସର୍ଚ୍ଚ କରିପାରିବେ ।

ଜରୁରୀ ଡକୁମେଣ୍ଟ

ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ନିଜର ମାର୍କ ସାର୍ଟିଫିକେଟ (+2, +3, ପିଜି, ବି.ଇଡି), ସଂରକ୍ଷଣର ସୁବିଧା ଚାହୁଁଥିଲେ ଜାତିଗତ ପ୍ରମାଣପତ୍ର, ବିକଳାଙ୍ଗ ପ୍ରମାଣପତ୍ର ଇତ୍ୟାଦି ସ୍ପଷ୍ଟ ଭାବେ ସ୍କାନ କରି ଡେସ୍କଟପରେ ବା ଏକ ଫୋଲ୍ଡରରେ ରଖନ୍ତୁ ।

ସେହିପରି ଏକ ସଫା କାଗଜରେ ନିଜର ଦସ୍ତଖତ ଓ ବାମହାତ  ବୃଦ୍ଧାଙ୍ଗୁଳିର ଷ୍ଟାମ୍ପ ଛାପର ଫୋଟୋ ସ୍ପଷ୍ଟ ଭାବେ ମୋବାଇଲ ବା ଅନ୍ୟ ଯେ କୌଣସି କ୍ୟାମେରାରେ ଉଠାଇ ରଖନ୍ତୁ । ଏହି ଦୁଇଟି ସ୍ପଷ୍ଟ ଭାବେ ସ୍କାନ ହୋଇ ନ ଥିଲେ ଆବେଦନ ରଦ୍ଦ ହୋଇପାରେ ।

ନିଜର ନିକଟରେ ଉଠାହହୋଇଥିବା ପାସପୋର୍ଟ ସାଇଜର ଫଟୋ ମଧ୍ୟ ସ୍କାନ କରି ଅପଲୋଡ କରି ରଖନ୍ତୁ ।  

ପଦ ସଂଖ୍ୟା

ମୋଟ ୧୨୮ ପଦବୀରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ଫିଜିକ୍ସରେ ୨୬, କେମିଷ୍ଟ୍ରିରେ ୨୬, ବାୟୋଲୋଜିରେ ୨୬, କମ୍ପ୍ୟୁଟର ସାଇନ୍ସରେ ୨୪ ଏବଂ ଗଣିତରେ ୨୬ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଏହିସବୁ ପଦରେ ରାଜ୍ୟ ସରକାରଙ୍କ ନିୟମାନୁସାରେ ବିଭିନ୍ନ ଜାତି ପାଇଁ ସଂରକ୍ଷଣ ନିୟମ ଲାଗୁ ହେବ ।

ଏସସି, ଏସଟି ଉନ୍ନୟନ ବିଭାଗ ଅଧୀନରେ ନୂତନ ଭାବେ ସ୍ଥାପିତ ହୋଇଥିବା ମେଗା ଅର୍ବାନ ଏଜୁକେଶନାଲ କମ୍ପେ୍ଲକ୍ସ- ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ,୧୪ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ଏବଂ ୧୦ କଳିଙ୍ଗ ମଡେଲ ରେସିଡେନ୍ସିଆଲ ସ୍କୁଲରେ ଏହି ସବୁ ନିଯୁକ୍ତି ହେବ ।

ଦରମା

ବିଜ୍ଞପ୍ତି ଅନୁସାରେ କୃତୀ ପ୍ରାର୍ଥୀ ଏସସି ଏସଟି ଉନ୍ନୟନ ବିଭାଗ ଅଧୀନରେ ନିଯୁକ୍ତି ପାଇବା ପରେ ୪୪,୯୦୦ ଟଙ୍କାର ଦରମା ପ୍ରଦାନ କରାଯିବ ।

ଆବେଦନ ଫି

ଏହି ପରୀକ୍ଷା ବାବଦରେ ପ୍ରାର୍ଥମୀାନେ ପାଞ୍ଚ ଶହ ଟଙ୍କା ଦାଖଲ କରିବେ । ତେବେ ଅନୁସୂଚିତ ଜାତି ତଥା ଆଦିବାସୀ ପ୍ରାର୍ଥୀମାନଙ୍କ ପାଇଁ ଫି' ଛାଡ କରାଯାଇଛି ।ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ଆବେଦନକାରୀ ପରୀକ୍ଷା ଫି ଦାଖଲ କରିବେ ।

ବୟସ ସୀମା

ଆବେଦନକାରୀଙ୍କ ବୟସ ଅତିକମ୍ରେ ୨୧ ଏବଂ ଅତିବେଶୀରେ ୨୦୧୯ ଜାନୁୟାରୀ ୧ ତାରିଖ ସୁଦ୍ଧା ୩୨ ବର୍ଷ ହେବା ଆବଶ୍ୟକ ।

ଚୟନ ପଦ୍ଧତି

ଲିଖିତ ପରୀକ୍ଷା ଏବଂ ଭାଇବା ଟେଷ୍ଟ କରାଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଲିଖିତ ପରୀକ୍ଷାରେ ୧୫୦ ନମ୍ବର ସମ୍ବଳିତ ଅବଜେକ୍ଟିଭ ଟାଇପ ପ୍ରଶ୍ନ ରହିବ । ପାର୍ଟ-ଏ (ବାଧ୍ୟତାମୂଳକ) ଏବଂ ପାର୍ଟ -ବି (ସମ୍ପୃକ୍ତ ବିଷୟ)ରେ ପରୀକ୍ଷା ହେବ । ପାର୍ଟ-ଏରେ ଇଂରାଜୀ, କମ୍ପ୍ୟୁଟର ଆପ୍ଟିଟ୍ୟୁଡ, ପେଡାଗୋଜି ଓ ସାଧାରଣ ଜ୍ଞାନ ବିଷୟ ବସ୍ତୁ ସମ୍ବଳିତ ୫୦ ନମ୍ବରର ପରୀକ୍ଷା ହେବ ।

ଲିଖିତ ପରୀକ୍ଷା କେନ୍ଦ୍ର ନିମନ୍ତେ କଟକକୁ ଚୂଡାନ୍ତ ସ୍ଥାନ ହିସାବରେ ନିର୍ଦ୍ଧାରିତ କରାଯାଇଛି।ତେବେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଦେଖି ଆୟୋଗ ପରବର୍ତ୍ତୀ ସମୟରେ ବ୍ରହ୍ମପୁର, ସମ୍ବଲପୁର, ଭୁବନେଶ୍ୱର ଇତ୍ୟାଦି ସ୍ଥାନରେ ପରୀକ୍ଷା କରାଇବା ସମ୍ପର୍କରେ ନିଷ୍ପତ୍ତି ନେବେ।

#news #employment #opsc

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon