• Bhagyashri Sahoo

ବିଶ୍ୱ ଆର୍କିଟେକ୍‌ଚର ପୁରସ୍କାର ପାଇଁ ଓଡ଼ିଶା କୃଷି ଭବନ ମନୋନୀତ : ଜାଣନ୍ତୁ ଏହାର ବିଶେଷତ୍ୱ


(ବେତାର ବ୍ୟୁରୋ)ରାଜଧାନୀ ଭୁବନେଶ୍ୱର ସ୍ଥିତ ‘କୃଷି ଭବନ’ ବିଶ୍ୱ ଆର୍କିଟେକ୍‌ଚର ପୁରସ୍କାର ପାଇଁ ଚୂଡାନ୍ତ ତାଲିକାରେ ସ୍ଥାନ ପାଇଛି। ସୁନ୍ଦର କାରୁକାର୍ଯ୍ୟ ଓ ପରିବେଶ ଅନୁକୂଳ କୃଷି ଭବନର ଏହି ଅଟ୍ଟାଳିକାକୁ ଫୋର୍ବସ ଇଣ୍ଡିଆ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆସନ୍ତା ଡିସେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆମଷ୍ଟରଡାମ ସହରରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଆର୍କିଟେକଚର ଫେଷ୍ଟିଭାଲରେ ଶ୍ରେଷ୍ଠ ବିବେଚିତ ଅଟ୍ଟାଳିକାଗୁଡିକୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆସନ୍ତୁ ଜାଣିବା କ’ଣ ରହିଛି କୃଷି ଭବନର ବିଶେଷତ୍ୱ। ୧ ଲକ୍ଷ ୩୦ ହଜାର ବର୍ଗଫୁଟ୍‌ ଜାଗାରେ ନିର୍ମିତ ସମ୍ପୂର୍ଣ୍ଣ ଦେଶୀୟ ଶୈଳୀରେ ୧ ଲକ୍ଷ ୩୦ ହଜାର ବର୍ଗଫୁଟ ଜାଗାରେ ନିର୍ମିତ ହୋଇଛି ଏହି କୃଷି ଭବନ। ଓଡ଼ିଶାର କଳା କାରିଗରୀର ଝଲକ ଭବନର କାରୁକାର୍ଯ୍ୟକୁ ବେଶ ମନୋରମ କରିଛି। ଏହାର ନିର୍ମାଣରେ ଓଡ଼ିଶାର ୩ ପ୍ରକାର ମାଟିରେ ତିଆରି ଇଟା ବ୍ୟବହାର କରାଯାଇଛି। ଏଥିସହ ଭବନର ସାଜସଜ୍ଜାରେ ଓଡ଼ିଶାର ସାମଗ୍ରୀମାନ ଲଗାଯାଇଛି। ସମ୍ବଲପୁରୀ ଇକ୍କତ ଡିଜାଇନରେ ନିର୍ମିତ ହୋଇଥିବା ଏହି କୋଠା କୃଷି ସମ୍ପର୍କିତ ଲୋକକଥା ଉପରେ ଆଧାରିତ। ପ୍ରାକୃତିକ ଉପାୟରେ ଶୀତତାପ ନିୟନ୍ତ୍ରଣ

କୃଷି ଭବନ ନିର୍ମାଣରେ ଅତ୍ୟାଧୁନିକ ଟେକ୍ନୋଲୋଜିର ତଥା ସ୍ମାର୍ଟ ନିର୍ମାଣ ଶୈଳୀର ବ୍ୟବହାର କରାଯାଇଛି। ଏହି ଭବନକୁ ଏପରି ଭାବରେ ନିର୍ମାଣ କରାଯାଇଛି ଯେ ଏହାର ଅଧିକାଂଶ ଭାଗ ପ୍ରାକୃତିକ ଉପାୟରେ ଶୀତତାପ ନିୟନ୍ତ୍ରିତ, ଯାହା ବିଜୁଳି ବିଲ କମାଇବା ତଥା ଶକ୍ତି ସଞ୍ଚୟ କରିବାରେ ସହାୟକ ହେଉଛି। ଜାଣି ଆଶ୍ଚର୍ଯ୍ୟ ଲାଗେ ଯେ ଏତେବଡ ଭବନର ମାତ୍ର ୨୦ ପ୍ରତିଶତ ସ୍ଥାନରେ ଏସିର ବ୍ୟବସ୍ଥା କରାଯାଇଛି। ଗୋଟିଏ ଛାତ ତଳେ ସମ୍ପୂର୍ଣ୍ଣ ସୁବିଧା ରାଜ୍ୟର କୃଷକମାନେ ଯେପରି ସେମାନଙ୍କ ସମସ୍ୟା ନେଇ ବିଭିନ୍ନ ସ୍ଥାନକୁ ନ ଦୌଡନ୍ତି ତାହାକୁ ଲକ୍ଷ୍ୟରେ ରଖାଯାଇ କୃଷି ଭବନର ନିର୍ମାଣ କରାଯାଇଛି। କୃଷି ଓ କୃଷକ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଏହି ଭବନରେ ଉପଲବ୍ଧ ରଖାଯାଇଛି। କୃଷି ବିଭାଗ ସହ ହର୍ଟିକଲଚର, ଏଗ୍ରିକଲଚର ଓ ମୃତ୍ତିକା ସଂରକ୍ଷଣ ବିଭାଗ ଏହି ଭବନରେ ରହିଛି। ଏଥିସହ ଖାଇବା ପିଇବା ପାଇଁ ଭିତରେ କ୍ୟାଣ୍ଟିନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଭବନରେ ସ୍ବତନ୍ତ୍ର ଉଦ୍ୟାନ ସହ ଜଳସେଚନ ନାଳୀ, ବର୍ଷା ଜଳ ଅମଳ, ମୃତ୍ତିକା ସମସ୍ୟାର ସମାଧାନ ଏବଂ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ଜୈବିକ କୃଷିର ସୁବିଧା ରହିଛି। କୃଷକମାନଙ୍କର ପ୍ରଶିକ୍ଷଣଠାରୁ ଆରମ୍ଭ କରି ଶିକ୍ଷାକେନ୍ଦ୍ର, ଅଡିଟୋରିୟମ, ମୁକ୍ତ ଥିଏଟର, ଉଦ୍ୟାନ, ପବ୍ଲିକ ପ୍ଲାଜା, ପ୍ରଦର୍ଶନ କକ୍ଷ ମଧ୍ୟ ଏହା ମଧ୍ୟରେ ନିର୍ମାଣ କରାଯାଇଛି। ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୃଷି ଭବନ ଲୋକାର୍ପିତ କରିଥିଲେ।

#OdishaNews #OdishaGovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon