- ବେତାର ବ୍ୟୁରୋ
ଅନଲାଇନରେ କିଣାକିଣି କରୁଛନ୍ତି କି? ଠକାମିରେ ନ ପଡିବାକୁ ଜାଣିରଖନ୍ତୁ ଏହି ଟିପ୍ସ

ପୂଜା ପାର୍ବଣ ତଥା ବିଭିନ୍ନ ଉତ୍ସବରେ ଅନଲାଇନରେ ଆମାଜନ, ଫ୍ଲିପକାର୍ଟ ପରି ବହୁ କମ୍ପାନୀ ଅନେକ ଉତ୍ପାଦ ଉପରେ ଛାଡ ଦେଇଥାନ୍ତି। ଏହି ଅଫର ପାଇଁ ଗ୍ରାହକମାନେ ପୂର୍ବରୁ ଅପେକ୍ଷା ମଧ୍ୟ କରି ରହିଥାନ୍ତି। ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ ତଥା ମୋବାଇଲ ପରି ଜିନିଷ ଅନଲାଇନରୁ କମ୍ ଦରରେ କିଣିବା ପାଇଁ ଗ୍ରାହକଙ୍କୁ ଲୋଭାନ୍ବିତ କରାଯାଇଥାଏ। ତେବେ ଏସବୁ କିଣିବାବେଳେ ଆପଣଙ୍କୁ ବେଶ ସାବଧାନ ରହିବାକୁ ପଡିବ। ଯେପରି ଅନଲାଇନରୁ କିଣାକିଣି କରି ଠକାମୀରେ ନ ପଡନ୍ତି ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ।ଯଦି ଆପଣ ଅନଲାଇନ ସାମଗ୍ରୀ କିଣୁଛନ୍ତି ତେବେ ଜାଣି ରଖନ୍ତୁ ଏହି ଟିପ୍ସ।
କମ୍ପାନୀ ଓ୍ବେବସାଇଟରୁ ସ୍ପେଶିଫିକେଶନ ଜାଣନ୍ତୁ
ଯଦି ଆପଣ କୌଣସି ମୋବାଇଲ ଅନଲାଇନ କିଣୁଛନ୍ତି ତେବେ କମ୍ପାନୀର ଓ୍ବେବସାଇଟକୁ ଯାଇ ଫୋନର ସମ୍ପୂର୍ଣ୍ଣ ସ୍ପେଶିଫିକେଶନ ଭଲ ଭାବେ ପଢନ୍ତୁ। କାରଣ ଅନେକ ସମୟରେ ଇ-କମର୍ସ ଓ୍ବେବସାଇଟରେ ଫୋନର ଭୁଲ ଫିଚର ଓ ଅନ୍ୟାନ୍ୟ ତଥ୍ୟ ଦିଆଯାଇଥିବା ଦେଖିବାକୁ ମିଳେ।
ରିଭ୍ୟୁ ଓ ରେଟିଂ ଦେଖନ୍ତୁ
ଫ୍ଲିପକାର୍ଟ, ଆମାଜନ ଆଦିରୁ ଫୋନ କିମ୍ବା ଅନ୍ୟ କୌଣସି ଜିନିଷ କିଣୁଥିଲେ ଏହାର ରିଭ୍ୟୁକୁ ଓ ରେଟିଂକୁ ଭଲ ଭାବେ ପଢନ୍ତୁ । କାରଣ ଅନଲାଇନ ପ୍ଲାଟଫର୍ମ ସମ୍ପୃକ୍ତ ଉତ୍ପାଦ ଉତ୍ପାଦନ କରି ନ ଥାନ୍ତି। ଏହା କେବଳ ଅନ୍ୟ କମ୍ପାନୀର ଉତ୍ପାଦ ବିକ୍ରି କରିବାର ଏକ ମାଧ୍ୟମ । ତେଣୁ ରିଭ୍ୟୁ ଓ ରେଟିଂ ଦେଖିବା ପରେ ଆପଣ ଉତ୍ପାଦ ବିଷୟରେ ଅନେକ କିଛି ଜାଣିପାରିବେ ।

https ଲିଙ୍କ ନ ଥିଲେ କିଣନ୍ତୁ ନାହିଁ
ଯେ କୌଣସି ସାଇଟରୁ ଜିନିଷ କିଣି ପେମେଣ୍ଟ କରିବା ପୂର୍ବରୁ ଉକ୍ତ ୱେବସାଇଟର ୟୁଆରଏଲରେ https ଲିଙ୍କ ଅଛି ନା ନାହିଁ ତାହା ଭଲଭାବେ ଦେଖନ୍ତୁ । ଏହା ସହ ଲିଙ୍କରେ ଲକ୍ ଚିହ୍ନ ମଧ୍ୟ ରହିଥିବା ଜରୁରୀ । ଠକାମୀ ସାଇଟରେ https ଲିଙ୍କ କିମ୍ବା ଲକ୍ ଚିହ୍ନ ନ ଥାଏ । ତେଣୁ ଏପରି ସାଇଟରୁ ଆପଣ କିଣାକିଣି କଲେ ଠକାମୀରେ ପଡିପାରନ୍ତି ।
ଅଲଗା ସାଇଟରେ ଦାମ ତୁଳନା କରନ୍ତୁ
ଗୋଟିଏ ସାଇଟରେ କୌଣସି ଜିନିଷର ଦାମ ଦେଖିବା ପରେ ଅନ୍ୟ ଅନଲାଇନ ସାଇଟଗୁଡିକୁ ଯାଇ ମଧ୍ୟ ଏହାର ମୂଲ୍ୟ ଦେଖି ତୁଳନା କରନ୍ତୁ । ବେଳେବେଳେ କିଛି ସାଇଟରେ ଜିନିଷର ମୂଳ ମୂଲ୍ୟ ଅଧିକ ଦେଖାଇ ସେଥିରେ ଡିସକାଉଣ୍ଟ ଥିବା କହିଥାଏ । ହେଲେ ଏହାର ମୂଲ୍ୟ ଅନ୍ୟ ସାଇଟଗୁଡିକରେ କେତେଅଛି ଦେଖିଲେ ଆପଣ ଠିକ୍ ଦାମ ଜାଣିପାରିବେ ।
ଏଥିସହ ଉତ୍ପାଦର ଗ୍ୟାରେଣ୍ଟି କିମ୍ବା ୱାରେଣ୍ଟି ବାବଦରେ ମଧ୍ୟ ସବୁ ତଥ୍ୟ ଜାଣି ରଖନ୍ତୁ । ଜିନିଷ କିଣିବା ପରେ ପସନ୍ଦ ନ ଆସିଲେ କିମ୍ବା କ୍ୱାଲିଟି ଭଲ ନ ଥିଲେ ଏହାକୁ ରିଟର୍ନ କରିବାର ସର୍ତ୍ତାବଳୀ ଓ ସମୟକୁ ଜାଣିରଖନ୍ତୁ ।