• ବେତାର ବ୍ୟୁରୋ

ପ୍ରକାଶ ପାଇଲା କେନ୍ଦ୍ର ଷ୍ଟାଫ ସିଲେକ୍ସନ ତରଫରୁ 34ଟି ପଦ ପାଇଁ ପରୀକ୍ଷା ତାରିଖ


(ବେତାର ବ୍ୟୁରୋ) କେନ୍ଦ୍ର ଷ୍ଟାଫ ସିଲେକ୍ସନ କମିଶନ (ଏସଏସସି) ତରଫରୁ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଗ୍ରାଜୁଏଟ ଲେଭଲ ପରୀକ୍ଷା ପାଇଁ ଆବେଦନ ଓ ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।

ଏହି ପରୀକ୍ଷାରେ ଦେଶର ଗ୍ରାଜୁଏଟ ମାନେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ବିଭିନ୍ନ ସଂସ୍ଥା ଯଥା ସିବିଆଇ, ଏନଆଇଏ, ଅଡିଟର ଜେନେରାଲ , ଡାକ ବିଭାଗ ତଥା ଅନ୍ୟାନ୍ୟ ମନ୍ତ୍ରାଳୟର ଗ୍ରୁପ 'ବି' ଓ ଗ୍ରୁପ 'ସି' ପଦ ପାଇଁ ଆବେଦନ କରପାରିବେ । ଆବେଦନକାରୀ ssc.nic.in ୱେବସାଇଟକୁ ଯାଇ ନୋଟିଫିକେସନ ଦେଖିବା ସହ ସେଠାରେ ହିଁ ନାମ ପଂଜୀକରଣ କରିପାରିବେ ।

ଜରୁରୀ ତାରିଖ

ଏହି ପରୀକ୍ଷା ପାଇଁ ଅକ୍ଟୋବର 22 ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ନଭେମ୍ବର 25 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ । ନଭେମ୍ବର 25 ତାରିଖ ସୁଦ୍ଧା ଆବେଦନ ଶୁଳ୍କ ପଇଠ କରିବାକୁ ପଡିବ । ନଭେମ୍ବର 27କୁ ବ୍ୟାଙ୍କ ଚାଲାଣ କାଟିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।

ଆସନ୍ତା ବର୍ଷରେ ଅର୍ଥାତ 2020ରେ ତିନିଟି ପ୍ରକ୍ରିୟାରେ ହେବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଭାଗ (TIER 1) ମାର୍ଚ୍ଚ 2 ରୁ 11 ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଷ୍ଟାଫ ସିଲେକ୍ସନ ବୋର୍ଡ ନୋଟିସରେ ପ୍ରକାଶ ପାଇଛି । ସେହିପରି ଏହାର ଅନ୍ୟ ଦୁଇ (Tier 2 & 3) ଭାଗ ଜୁନ 22 ରୁ 25 ମଧ୍ୟରେ ଅନୁଷ୍ଠିତ ହେବ ।

ଚୟନ ପ୍ରକ୍ରିୟା

ଏହି ପଦ ପାଇଁ ଆବେଦନକାରୀଙ୍କୁ ପ୍ରଥମେ ଅନଲାଇନ ପରୀକ୍ଷା ଦେବାକୁ ପଡିବ । ଏଥିରେ ସାଧାରଣ ଜ୍ଞାନ, ଗଣିତ, ଇଂରାଜୀ ଓ ମାନସିକ ଦକ୍ଷତା ଇତ୍ୟାଦି ମିଶାଇ ସମୁଦାୟ 200 ମାର୍କର ପରୀକ୍ଷା ଅନୁଷ୍ଠିତ ହେବ ଯାହାର ସମୟ ସୀମା ଏକ ଘଣ୍ଟା ।

ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଆଉ ଏକ ଅନଲାଇନ ପରୀକ୍ଷା ଦେବାକୁ ପଡିବ ଯାହାର ସମୁଦାୟ ମାର୍କ 800 । ଏଥିରେ ସଫଳତା ଲାଭ କଲା ପରେ ପ୍ରାର୍ଥିମାନଙ୍କୁ ଏକ ଇଂରାଜୀ ବା ହିନ୍ଦୀରେ ଲିଖିତ ପରୀକ୍ଷା ଦେବାକୁ ହେବ ।

ସେହିପରି କେତେକେ ବିଶେଷ ପଦ ଯେପରି କି ଷ୍ଟାଟିଷ୍ଟିକ୍ସ ଅଧିକାରୀ , କମ୍ପ୍ୟୁରର ସହାୟକ ପାଇଁ ଏସବୁ ବାଦ ଅଲଗା ପରୀକ୍ଷା ହେବ ।

ଓଡିଶାରେ ବାଲେଶ୍ଵର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, କଟକ, ଢେଙ୍କାନାଳ ଓ ରାଉରକେଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ପଦ ସଂଖ୍ୟା

ଚଳିତ ବର୍ଷ ଉଭୟ ଗ୍ରୁପ 'ବି' ଓ 'ସି' ପଦ (ସେକ୍ସନ ଅଫିସର, ଅଧିକାରୀ, ସହାୟକ, ଇନିସ୍ପେକ୍ଟର)କୁ ମିଶାଇ ଭିନ୍ନ ଭିନ୍ନ 36ଟି ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସମୁଦାୟ କେତୋଟି ପଦ ପୂରଣ ହେବ ସେ ନେଇ ଆୟୋଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏ ବିଷୟ ପରେ ସୂଚନା ଦିଆଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଯୋଗ୍ୟତା

ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ କିମ୍ବା ସମାନ କୋର୍ସରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏଥିସହ ଷ୍ଟାଟିଷ୍ଟିକଲ ଅଧିକାରୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଉକ୍ତ ବିଷୟରେ ଗ୍ରାଜୁଏସନ କରିଥିବା ଆବଶ୍ୟକ ।

ଏଥିମଧ୍ୟରୁ ଗ୍ରୁପ 'ବି' ପଦ ପାଇଁ ପ୍ରାର୍ଥୀଙ୍କ ବୟସ 1 ଜାନୁୟାରୀ 2020 ସୁଦ୍ଧା ଅତିକମରେ 20 ଏବଂ ଅତିବେଶୀରେ 30 ବର୍ଷ ହେବା ଜରୁରୀ ।

ସେହିପରି ଗ୍ରୁପ ସି ପ୍ରାର୍ଥୀଙ୍କ ବୟସ 1 ଜାନୁୟାରୀ 2020 ସୁଦ୍ଧା 18ରୁ 27 ବର୍ଷ ବୟସ ହେବା ଆବଶ୍ୟକ । ତେବେ ଏସସି, ଏସଟି, ଭିନ୍ନକ୍ଷମ ଓ ଅନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି ।

ଆବେଦନ ଶୁଳ୍କ

ପରୀକ୍ଷାର୍ଥୀ ମାନେ ଏହି ପରୀକ୍ଷା ପାଇଁ ଶହେ ଟଙ୍କା ବ୍ୟାଙ୍କ ଚାଲାଣ କାଟିବେ । ହେଲେ ଏସସି, ଏସଟି, ପିଡବ୍ଲ୍ୟୁଡି, ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ପ୍ରାର୍ଥୀମାନେ ଅନଲାଇନ ବ୍ୟାଙ୍କିଙ୍ଗ ଓ ଅଫଲାଇନ ଚାଲାଣ ସହିତ ଭୀମ UPI ମାଧ୍ୟମରେ ଫି’ ଦାଖଲ କରିପାରିବେ ।

#news #ssc #employment #Jobs #GovtJobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon