- ବେତାର ବ୍ୟୁରୋ
ଜାରି ହେଲା OPSC ମ୍ୟୁନିସପାଲ ପ୍ରଶାସନ ସେବା ପରୀକ୍ଷା ଆଡମିଟ କାର୍ଡ, ଏମିତି ହେବ ଡାଉନଲୋଡ

(ବେତାର ବ୍ୟୁରୋ) ଓଡିଶା ଲୋକ ସେବା ଆୟୋଗ (OPSC) ଅଧୀନରେ ପରିଚାଳିତ ହେବାକୁ ଥିବା ଓଡିଶା ମ୍ୟୁନିସିପାଲଟି ସେବା ପରୀକ୍ଷା ପାଇଁ ଆଡମିଟ କାର୍ଡ୍ ଜାରି ହୋଇସାରିଛି । ଆସନ୍ତା ନଭେମ୍ବର ମାସ 3 ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ଆୟୋଗ ପ୍ରକାଶ କରିଛି ।
ରାଜ୍ୟରେ ପ୍ରଥମ ଥର ଏହି ପରି ଏକ କ୍ୟାଡର ପଦ ପରୀକ୍ଷା ହେଉଥିବା ବେଳେ ଏଥିରେ ଭାଗ ନେବା ପାଇଁ 22,220 ଜଣ ପ୍ରାର୍ଥୀଙ୍କ ଆବେଦନ ପତ୍ର ସ୍ବୀକୃତ ହେଇଛି ବୋଲି ଆୟୋଗ ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛି ।
କିପରି କରିବେ ଡାଉନଲୋଡ
ପ୍ରାର୍ଥୀମାନଙ୍କୁ ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ opsc.gov.in ୱେବସାଇଟକୁ ଯିବାକୁ ପଡିବ । ସେଠାରେ ନୋଟିଫିକେସନ ରେ “Download Admission Certificate & Instruction to Candidates for the Written Examination to be held on 03.11.2019 in connection with Recruitment to the Posts of Odisha Municipal Administrative Services-2019[Advt. No. 03 of 2019-20]” ରେ କ୍ଲିକ କରିଲେ ଆଉ ଏକ ୱିଣ୍ଡୋ ଖୋଲିବ ।
ନୂଆ ୱିଣ୍ଡୋରେ ଏହି ସମାନ ଲେଖା ଥିବା (download admission..) ଜାଗା ତଳେ More ଉପରେ କ୍ଲିକ କରିଲେ ଆଉ ଏକ ୱିଣ୍ଡୋ ଖୋଲିବ । ଏଥିରେ ପ୍ରାର୍ଥୀମାନେ ନିଜ ରେଜିଷ୍ଟ୍ରେଶନ ନମ୍ବର ଓ ଜନ୍ମ ତାରିଖ ଦେଇ ଅଡାମିଟ କାର୍ଡ ଡାଉନଲୋଡ କରିପାରିବେ ।
ସାଧାରଣତଃ opsconline.gov.in ୱେବସାଇଟରେ ଆୟୋଗର ବିଭିନ୍ନ ପରୀକ୍ଷା ସିଟିଙ୍ଗ ନିମନ୍ତେ ଆଡମିଟ ଡାଉନଲୋଡ କରିବା ଲିଙ୍କ ପ୍ରଦର୍ଶିତ ହେଇଥାଏ । ମାତ୍ର ଏହି ପରୀକ୍ଷାର ଆଡମିଟ କାର୍ଡ ଡାଉନଲୋଡ କରିବା ଲିଙ୍କ opsconline.gov.in ର ହୋମ ପେଜ୍ ରେ ପ୍ରଦର୍ଶିତ ହେଉନାହିଁ ।
ଲିଖିତ ପରୀକ୍ଷା ସିଟିଙ୍ଗ
ରାଜ୍ୟ ଲୋକସେବା ଆୟୋଗର ବିଜ୍ଞପ୍ତି ଅନୁସାରେ ଆସନ୍ତା ନଭେମ୍ବର 3 ତାରିଖ (ରବିବାର) ଦିନ ଦୁଇଟି ସିଟିଙ୍ଗରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଙ୍ଗ ସକାଳ 10.30 ରୁ ଆରମ୍ଭ ହେଇ 12.30ରେ ସରିବ ଓ ଦ୍ଵିତୀୟ ସିଟିଙ୍ଗ ଅପରାହ୍ନ 2ଟାରୁ ଆରମ୍ଭ ହେଇ 4ଟାରେ ସରିବ ।
ପ୍ରଥମ ସିଟିଙ୍ଗରେ ସାଧାରଣ ଜ୍ଞାନ-ପେପର 1 ଓ ଦ୍ଵିତୀୟ ସିଟିଙ୍ଗରେ ସାଧାରଣ ଜ୍ଞାନ ପେପର 2 ଅନୁଷ୍ଠିତ ହେବ ।
ଏହି ପରୀକ୍ଷା ରାଜ୍ୟର ପାଞ୍ଚଟି ସ୍ଥାନ ଯଥା ବାଲେଶ୍ଵର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଅନୁଷ୍ଠିତ ହେବ ।
ଏହି ପଦ ପାଇଁ ଲିଖିତ ଓ ମୌଖିକ ଭାବେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ଲିଖିତ ପରୀକ୍ଷାରେ ଦୁଇଟି ସାଧାରଣ ଜ୍ଞାନ ବିଷୟରେ ପ୍ରଶ୍ନପତ୍ର ରହିବ ଓ ପ୍ରତିଟି ପ୍ରଶ୍ନପତ୍ରର ମୂଲ୍ୟ ୨୦୦ ମାର୍କ ରହିବ ।
ସୂଚନାଯୋଗ୍ୟ ଯେ ଓପିଏସସିର ଅନ୍ୟାନ୍ୟ ଗେଜେଟେଡ ଅଫିସର ପରୀକ୍ଷା ଯଥା ଟାଉନ ପ୍ଲାନର ପାଇଁ ଲିଖିତ ପରୀକ୍ଷା ତାରିଖ ନଭେମ୍ବର 10 (ରବିବାର), ଓଡିଶା କୃଷି ଓ ଖାଦ୍ୟ ସେବାର ଇଂଜିନିୟର ପଦ ପାଇଁ ପରୀକ୍ଷା ନଭେମ୍ବର 17 ତାରିଖ (ରବିବାର)ରେ ଅନୁଷ୍ଠିତ ହେବ।
ଅଗଷ୍ଟରେ ବିଜ୍ଞପ୍ତି
ରାଜ୍ୟରେ ମ୍ୟୁନିସିପାଲିଟି ପ୍ରଶାସନିକ ସେବାର ମୋଟ ୨୮ଟି ପଦବୀରେ ନିଯୁକ୍ତି ନିମନ୍ତେ ଲୋକ ସେବା ଆୟୋଗ ଚଳିତ ଅଗଷ୍ଟ ମାସରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ।
ଏହି ପରୀକ୍ଷାରେ ପାଇଁ ଗ୍ରୁପ ‘ଏ’ ଓ ଗ୍ରୁପ ‘ବି’ କ୍ୟାଡର ମିଳିତ ଭାବେ ସମୁଦାୟ ୨୮ଟି ପଦ ପାଇଁ ନିଯୁକ୍ତି ହେବ ।