• ବେତାର ବ୍ୟୁରୋ

କୃଷି କ୍ଷେତ୍ରରେ ଜର୍ମାନ ରୋବୋଟିକ ଟେକ୍ନୋଲୋଜି ନିମନ୍ତେ ଚୁକ୍ତି କରିବ ଭାରତ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଜର୍ମାନର ରାଷ୍ଟ୍ରପତି ଆଙ୍ଗେଲା ମରକେଲଙ୍କ ଭାରତ ଗସ୍ତ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଅନେକ ଚୁକ୍ତି ସ୍ଵାକ୍ଷର କରିବାର ଯୋଜନା ରହିଛି ଯେଉଁଥିରେ କୃଷି କ୍ଷେତ୍ରରେ ରୋବୋଟିକ ଟେକ୍ନୋଲୋଜି ପାଇଁ ଚୁକ୍ତି ଅନ୍ୟତମ ।

ଜର୍ମାନୀର ଅନେକ ଅଗ୍ରଣୀ ସଂସ୍ଥା ରୋବୋଟିକ ଟେକ୍ନୋଲୋଜିର ବ୍ୟବହାର କରି ଅଟୋମାଟିକ ଟ୍ରାକ୍ଟର, ଗାଈ କ୍ଷୀର ଦୁହିଁବା ଯନ୍ତ୍ର ଆଦି ତିଆରି କରି ନାମ କମାଇଛନ୍ତି ।

ଭାରତରେ କୃଷି ଟେକ୍ନୋଲୋଜି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଜୁଲାଇ ମାସରେ କୃଷି କ୍ଷେତ୍ରରେ ରୋବୋଟିକ ଟେକ୍ନୋଲୋଜି ତଥା କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରିବାକୁ ଅନୁମତି ପ୍ରଦାନ କରିସାରିଛନ୍ତି । ବର୍ତ୍ତମାନ ଅନେକ ଭାରତୀୟ ଷ୍ଟାର୍ଟଅପ କମ୍ପାନୀ ଏହି ଟେକ୍ନୋଲୋଜୀର ବ୍ୟବହାର କରି କୃଷକମାନଙ୍କୁ ପାଣିପାଗର ସଠିକ ସୂଚନା, ପାଣିପାଗ ଅନୁସାରେ କେଉଁ ଫସଲ ଚାଷ କରିବ ତାହାର ସୂଚନା ଇତ୍ୟାଦି ପ୍ରଦାନ କରୁଛନ୍ତି ।

ଆଗକୁ ମୋବାଇଲ ଆପ “କିଷାନ ସୁବିଧା’ ମାଧ୍ୟମରେ କୃଷକମାନଙ୍କୁ ସଦ୍ୟତମ ବଜାରଦର, ନିକଟତମ କୋଲ୍ଡଷ୍ଟୋର ସୁବିଧା, ସାର ଓ ବିହନ କେନ୍ଦ୍ରର ଗଚ୍ଛିତ ଷ୍ଟକ ବିଷୟରେ ସୂଚନା ଦେବାର ବ୍ୟବସ୍ଥା ଏଥିରେ ରହିବ ।

ଜର୍ମାନ ଚୁକ୍ତି

ଭାରତ ସରକାର ଆଙ୍ଗେଲା ମରକେଲଙ୍କ ଗସ୍ତ ଅବସରରେ ସେଠାକାର କମ୍ପାନୀ ସହିତ ରୋବୋଟିକ ଟେକ୍ନୋଲୋଜି ତଥା ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଷୟରେ ଚୁକ୍ତି କରି କୃଷକଙ୍କ ଖର୍ଚ୍ଚ କମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି ।

ଉଦାହରଣ ସ୍ୱରୂପ ଜର୍ମାନୀର ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ପାଣିପାଗ , ତଥା ମାଟିର ସ୍ଥିତି ଅନୁଧ୍ୟାନ କରି ଜଣେ କୃଷକ କମ ବା ବେଶୀ ସାର ଦେବାର ନିର୍ଣ୍ଣୟ କରିପାରିବ ।

ସେହିପରି କେଉଁ ଫସଲ ପାଇଁ କେତେ ପରିମାଣର ସାର ଓ ପାଣି ଦରକାର ତଥା କେଉଁ ସମୟରେ ଦେବାକୁ ହେବ ଏସବୁ ସୂଚନା ଏହିସବୁ ଟେକ୍ନୋଲୋଜି ବ୍ୟବହାର କରିବା ଫଳରେ ଜଣେ ଚାଷୀସୁବିଧାରେ ପାଇ ପାରିବ ।

ତେବେ ଏହି ଚୁକ୍ତିର ପ୍ରକୃତ ରୂପରେଖ ସ୍ଵାକ୍ଷର ହେବା ପରେ ଜଣା ପଡିବ ।

#modi #German #ArtificialIntelligence #Agriculture

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon