• ବେତାର ବ୍ୟୁରୋ

ତୁଳା ରାଶିରେ ମଙ୍ଗଳ ପ୍ରବେଶ : କେଉଁ ରାଶିକୁ କ'ଣ ପ୍ରଭାବ


(ବେତାର ବ୍ୟୁରୋ) ମଙ୍ଗଳ ଗ୍ରହଙ୍କର ଗୋଚର ଅବଧି ପ୍ରାୟ ଦେଢ ମାସ ପର୍ଯ୍ୟନ୍ତ ହୋଇଥାଏ। ଜ୍ୟୋତିଷିୟ ଗଣନା ଅନୁସାରେ ମଙ୍ଗଳ ଗ୍ରହ ନଭେମ୍ବର 10 ତାରିଖ ଅପରାହ୍ନ 1.33 (ଭାରତୀୟ ସମୟ) ରେ କନ୍ୟା ରାଶି ପରିତ୍ୟାଗ କରି ତୁଳାରେ ପ୍ରବେଶ କରିବେ। ଏହି ରାଶିରେ ମଙ୍ଗଳ ଗ୍ରହ ଆସନ୍ତା ଡିସେମ୍ବର 25 ତାରିଖ ପର୍ଯ୍ୟନ୍ତ ରହିବେ।

ମଙ୍ଗଳଗ୍ରହର ଚଳନ ବା ଗୋଚର କୁଣ୍ଡଳୀର ତୃତୀୟ (ବ୍ୟବହାର), ଷଷ୍ଠ (ଶତ୍ରୁ ଦମନ), ଅଷ୍ଟମ (ଅଚାନକ ଧନ ଲାଭ) ତଥା ଦଶମ (ଦୈନନ୍ଦିନ କର୍ମ) ଘର ପାଇଁ ଶୁଭ।

ଏହି ଗ୍ରହ ସାହସ, ପରାକ୍ରମ, ବୁଦ୍ଧି, ଅହଂଭାବ, ରକ୍ତ, ମାଂସପେଶୀ ଇତ୍ୟାଦିକୁ ସୂଚାଇ ଥାଏ। ଏହି ଗୋଚର ସମୟରେ ସମସ୍ତ ବାରଟି ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିବ। ତେବେ ଜାଣିରଖନ୍ତୁ ଏହା ଆପଣଙ୍କ ରାଶି ଉପରେ କଣ ପ୍ରଭାବ ପକାଇବ।

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

ମେଷ: ଜୀବନସାଥୀଙ୍କ ବ୍ୟବହାରରେ ପରିବର୍ତ୍ତନ ହେବ। ସେହିପରି ବ୍ୟବସାୟରେ ବା କର୍ମସ୍ଥଳରେ ସହକର୍ମୀ ବିରୋଧୀ ଭଳି ବ୍ୟବହାର କରିବେ। ବିବାଦ ନ କରି ଖାଆଖୁଆଇ ଚାଲିବା ବୁଦ୍ଧିମାନର କାମ।

ବୃଷ: ନିଜର ବୁଦ୍ଧି, ବିବେକ ବଳରେ ଶତ୍ରୁ ବା ବିରୋଧୀଙ୍କ ସାମ୍ନା କରିପାରିବେ। ଅଯଥା ଖର୍ଚ୍ଚ, ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତୁ।

ମିଥୁନ: ପରିବାର ବା ବନ୍ଧୁଙ୍କ ସହିତ ବର୍ତ୍ତାଳାପରେ ସଂଯମୀ ହୁଅନ୍ତୁ, ଅନ୍ୟଥା ବିବାଦ ହୋଇପାରେ। ସମୟ ଆପଣଙ୍କ ରାଶିପାଇଁ ସେତେଟା ଅନୁକୂଳ ନାହିଁ। ମଙ୍ଗଳର ଏହି ଚଳନ ସମୟରେ ସଫା, ବା ଧଳା ରଙ୍ଗର ଲୁଗା/କପଡା ପିନ୍ଧନ୍ତୁ।

କର୍କଟ: ଏହି ଚଳନ ଆପଣଙ୍କ ଜୀବନସାଥୀ, ନିକଟତମ ବନ୍ଧୁଙ୍କ ପାଇଁ ଉପଯୋଗୀ। ନିଜ ସ୍ୱାସ୍ଥ୍ୟର ନିୟମିତ ଯତ୍ନ ନିଅନ୍ତୁ ତଥା ମା'ଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ରଖନ୍ତୁ।

ସିଂହ: ଏହି ଚଳନରେ ଆପଣଙ୍କ ଆତ୍ମବିଶ୍ଵାସ ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ସହକର୍ମୀଙ୍କ ସହିତ ଝଗଡ଼ା ହେଲେବି ଚାକିରୀ ପାଇଁ କୌଣସି ବିପଦ ନାହିଁ।ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

କନ୍ୟା: ଏହି ସମୟରେ ଆପଣଙ୍କୁ ଅଚାନକ ଧନପ୍ରାପ୍ତି ହୋଇପାରେ। ତେବେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଅନ୍ୟଥା ଘରେ ବା କର୍ମକ୍ଷେତ୍ରରେ ବିବାଦ ଲାଗିବ। ପ୍ରତିକାର ପାଇଁ ନାଲି ଫୁଲ ଦାନ କରନ୍ତୁ ।

ତୁଳା: ଏହି ଚଳନ ଫଳରେ ଆପଣଙ୍କ ମାନସିକ ନିୟନ୍ତ୍ରଣ ବିଗିଡିପାରେ, ଫଳରେ ଛୋଟଛୋଟ କଥାରେ ବିରକ୍ତ ହେବେ। ଏଥିପାଇଁ ଅନେକ ସମସ୍ୟା ସୃଷ୍ଟି ହେବ। ଶାରୀରିକ ଆଘାତ ଲାଗିପାରେ, ସତର୍କ ରୁହନ୍ତୁ। ଏହି ଚଳନ ସରିବା ଯାଏଁ ପ୍ରତ୍ୟେକ ଦିନ ରକ୍ତ ଚନ୍ଦନ ଘୋରି ନିଜେ ନ ଲଗାଇ ଅନ୍ୟକୁ ଲଗାନ୍ତୁ।

ବିଛା: କାର୍ଯ୍ୟକ୍ଷେତ୍ରରେ ହେଉଥିବା ଅସୁବିଧା ପାଇଁ ବିରକ୍ତ ହେବେ, ତେବେ କିଛି ଦିନ ଅପେକ୍ଷା କରନ୍ତୁ। ସବୁ ଠିକ ହୋଇଯିବ। ରାତିରେ ବିଳମ୍ବରେ ନିଦ୍ରା ଗଲେ ଅସୁସ୍ଥତା ଦେଖାଦେଇପାରେ। ମାନସିକ ଶାନ୍ତି ପାଇଁ ସଫ୍ଟ ମ୍ୟୁଜିକ ଗୀତ ଶୁଣି ଶୁଅନ୍ତୁ।

ଧନୁ: ଏହି ଚଳନ ଆପଣଙ୍କ କର୍ମକ୍ଷେତ୍ର ତଥା ଧନଲାଭ ବା ସେହିଭଳି ଲାଭ ଆଣିଦେବ। ପାରିବାରିକ ଜୀବନ ଖୁସିରେ କଟିବ। ପୁରୁଣା ପଇସା ଫେରିପାଇବେ। ସ୍ଵାସ୍ଥ୍ୟ ଉତ୍ତମ ରହିବ।

ମକର: କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ବ ବୃଦ୍ଧି ପାଇବ, ତେବେ ଅଫିସ ରାଜନୀତିରେ ନିଜକୁ ସାମିଲ ନ କଲେ ଭଲ। ଜୀବନସାଥୀଙ୍କ ସହ ଯୁକ୍ତିତର୍କ ହେବ, ବିବେକ ଅନୁସାରେ ଉଚିତ ସମାଧାନ କରନ୍ତୁ।

କୁମ୍ଭ: ଦୂରସ୍ଥାନକୁ ଯାତ୍ରା କରିବେ ବା ସେ ବିଷୟରେ ଭାବିବେ।କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ ତେବେ ଆର୍ଥିକ ଲାଭ ମଧ୍ୟମଧରଣର ରହିବ। ତେବେ ଏହି ଚଳନ ଯୋଗୁ ଆପଣଙ୍କ ଜୀବନସାଥୀଙ୍କ ଉନ୍ନତି ହୋଇପାରେ।

ମୀନ: ଭାଇ ବା ଭଉଣୀ ଆପଣଙ୍କ ସାହାଯ୍ୟ ଲୋଡିବେ। କର୍ମକ୍ଷେତ୍ରରେ ଅସୁବିଧା ଆସିପାରେ, ତେବେ ସମୟ କ୍ରମେ ଏହା ଦୁରେଇଯିବ। ସତର୍କତାର ସହିତ ରୁହନ୍ତୁ, ଶରୀରକୁ ଆଘାତ ଲାଗିପାରେ। ସେହିପରି ଅଯଥା ଖର୍ଚ୍ଚ କରିବା ଠାରୁ ନିଜକୁ ଦୂରେଇ ରଖନ୍ତୁ।

#astrology #marstransit

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon