- ବେତାର ବ୍ୟୁରୋ
ଏହି ତିନି କାରଣ ପାଇଁ ଏତିକି ଦିନ ରହିବ ଉଚ୍ଚ ପିଆଜ ଦର

(ବେତାର ବ୍ୟୁରୋ) ପିଆଜ ଦର ସାରା ଦେଶରେ ସେପ୍ଟେମ୍ବର ଶେଷ ସପ୍ତାହରୁ ଅତି ଉଚ୍ଚ ସ୍ତରରେ ରହିଥିବା ବେଳେ ଓଡିଶାରେ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାର ସୁଲଭ ମୂଲ୍ୟ କେନ୍ଦ୍ରରେ ବିକ୍ରି କରିବା ବିଷୟରେ ନିଷ୍ପତ୍ତି ନେଇଛନ୍ତି । ତେବେ ଗତ ସପ୍ତାହରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ମନ୍ତବ୍ୟ ଅନୁସାରେ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ସରକାରୀ ଦରରେ ବିକ୍ରି ହେଉଛି ।
ସରକାରୀ ଭାବରେ ପିଆଜ କିଲୋ ପିଛା ଦର ସୁଲଭ କେନ୍ଦ୍ରରେ ହେଉଛି : ଅନୁଗୁଳ 55, କଟକ 49 , ସମ୍ବଲପୁର 52, ବରମପୁର 42, ଢେଙ୍କାନାଳ 48 , ନୂଆପଡା 50, ଜୟପୁର 52, ବାଲେଶ୍ଵର 52 କେନ୍ଦ୍ରପଡା/କେଉଁଝର 55 ।
କିନ୍ତୁ ସାରା ରାଜ୍ୟରେ ପିଆଜର ଖାଉଟି ବଜାର ଦର କ୍ଵାଲିଟି ହିସାବରେ 60 ରୁ 70 ଟଙ୍କା କିଲୋ ପିଛା ବିକ୍ରି ହେଉଛି । ସାରା ଦେଶରେ ପିଆଜ ଯୋଗାଣ ସ୍ଥିତି ଦେଖିଲେ ଏହି ଦର ପ୍ରାୟତଃ ଡିସେମ୍ବର ମାସ ଯାଏଁ ରହିବ ବୋଲି ଅନୁମାନ କରାଯାଉଛି । ଏହାର କିଛି କାରଣ ରହିଛି ।
ବିଦେଶୀ ପିଆଜ ଆସିବାକୁ ସମୟ ଲାଗିବ : ପିଆଜ ଯୋଗାଣ ଅବସ୍ଥାକୁ ଦେଖି କେନ୍ଦ୍ର ସରକାର ବିଦେଶରୁ ପିଆଜ କିଣିବାକୁ MMTC ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁସାରେ MMTC ଇଜିପ୍ଟ, ଆଫଗାନିସ୍ତାନ ଇତ୍ୟାଦି ଦେଶରୁ ପ୍ରାୟ ଏକ ଲକ୍ଷ ଟନ ପିଆଜ ଆଣି ବିକ୍ରି କରିବ । ତେବେ ଏହା ବିଦେଶରୁ ଆସି ସାରା ଦେଶରେ ପହଞ୍ଚିବା ପାଇଁ କେନ୍ଦ୍ର ସରକାର ଡିସେମ୍ବର 15 ଯାଏଁ ସମୟ ଦେଇଛନ୍ତି । ଏଣୁ ଏହି ସମୟରେ ଦେଶରେ ପିଆଜ ଦର ଉଚ୍ଚ ରହିବ ।
ମହାରାଷ୍ଟ୍ର,ଗୁଜୁରାଟ ଅମଳ ହେଇନି : ଭାରତରେ ସର୍ବାଧିକ ପିଆଜ ମହାରାଷ୍ଟ୍ର, ଗୁଜରାଟ ଅଞ୍ଚଳରେ ହୋଇଥାଏ । ଏହି ପିଆଜ ସାଧାରଣତଃ ଜାନୁୟାରି ମାସରୁ ବଜାରକୁ ଆସିଥାଏ ଓ ବାକି ସମୟରେ ଏହା ଶୀତଳ ଭଣ୍ଡାରରୁ ଓ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସିଥାଏ । ଚଳିତ ବର୍ଷ ସେଠାରେ ଅସମୟରେ ବର୍ଷା ହେବାରୁ ପିଆଜ ଫସଲ କମ ହେବା ଆଶଙ୍କା କରାଯାଉଛି । ଅସଲ ଅମଳ ସମୟ ଆହୁରି ମାସେ ରହିଥିବାରୁ ସେ ସମୟ ଯାଏଁ ପିଆଜ ଦର ଉଚ୍ଚ ରହିବ ।
ଓଡିଶା ଦେଶୀ ପିଆଜ ଅମଳ : ଓଡିଶାରେ ନାସିକରୁ ପିଆଜ ଜାନୁୟାରିରେ ଆସି ପହଞ୍ଚି ଥାଏ ଓ ଏହା ପୂର୍ବରୁ , ଆଶ୍ଵୀନ ଓ କାର୍ତ୍ତିକ ମାସ ସାରା ଆନ୍ଧ୍ରରୁ ଆମଦାନୀ ହେଉଥିବା ପିଆଜ ଯୋଗାଣ ହୋଇଥାଏ । ତେବେ ମହାରାଷ୍ଟ୍ରରେ ପିଆଜ ଦର ବୃଦ୍ଧି ଦେଖି ଆନ୍ଧ୍ର ପ୍ରଦେଶ ବେପାରୀ ମାନେ ଦର କମାଉ ନାହାନ୍ତି । ସେହିପରି ଓଡିଶାରେ ଚାଷ ହେଉଥିବା ଦେଶୀ ପିଆଜ ଅମଳ ପାଇଁ ସମୟ ଆହୁରି ପ୍ରାୟ ମାସେ ରହିଥିବାରୁ ଦର ଉଚ୍ଚ ରହିବ ବୋଲି ଅନୁମାନ କରାଯାଉଛି ।
ତେବେ ଦିଲ୍ଲୀ ଭଳି ପିଆଜ ଦର ଓଡିଶାରେ କିଲୋ ପିଛା 90-100 ଦର ନହେଲେ ମଧ୍ୟ 60 ରୁ 70 ଟଙ୍କା ଭିତରେ ଡିସେମ୍ବର ଶେଷ ସପ୍ତାହ ଯାଏଁ ରହିବ ବୋଲି ରାଜ୍ୟ ବ୍ୟବସାୟୀ ସଂଘ କହିଛି ।