- ବେତାର ବ୍ୟୁରୋ
ପାକିସ୍ତାନରେ ଟମାଟୋକୁ ଗହଣା କରି ପିନ୍ଧିଲେ ଯୁବତୀ; ଇଣ୍ଟରନେଟରେ ଏପରି ହେଲା ଚର୍ଚ୍ଚା

(ବେତାର ବ୍ୟୁରୋ) ପାକିସ୍ତାନରେ ଟମାଟୋ ଦର ଉଚ୍ଚ ଥିବାରୁ ଜଣେ ଯୁବତୀ ଏହି ବିଷୟକୁ ଉଠାଇବା ପାଇଁ ଏହାକୁ ଗହଣା ପରି ସଜାଇ ବିବାହ ଉତ୍ସବକୁ ଆସିଥିଲେ । ଏହାର ଏକ ଭିଡିଓ ଇଣ୍ଟରଭିଉ ଇଣ୍ଟରନେଟରେ ପ୍ରସାରିତ ହେବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି ।
ଘଟଣା କଣ
ଓଡିଶା ଓ ପଶ୍ଚିମ ବଙ୍ଗ ବଜାରରେ ଆଳୁ ପରି ଭାରତର ପଶ୍ଚିମ ଭାଗ ତଥା ପାକିସ୍ତାନରେ ଟମାଟୋ ଏକ ଲୋକପ୍ରିୟ ପରିବା ।
ତେବେ ଭାରତ ସରକାର କାଶ୍ମୀରରେ ଧାରା 370 ନିୟମରେ ପରିବର୍ତ୍ତନ କରିଥିବା ପ୍ରତିବାଦରେ ସେଠାକାର ସରକାର ଭାରତରୁ ଟମାଟୋ ଆମଦାନୀ ବନ୍ଦ କରିଛନ୍ତି । ଫଳରେ ସେଠାକାର କିଛି ବଜାରରେ ଟମାଟୋ ଏବେ କିଲୋ ପିଛା 300 ଟଙ୍କାରେ ବିକ୍ରି ହେଉଛି ।
ଲାହୋରରେ ଏକ ବିବାହ ଉତ୍ସବରେ ଜଣେ ମହିଳା ଟମାଟୋର ହାର, ଓ ଅନ୍ୟାନ୍ୟ ଅଳଙ୍କାର କରି ନିଜକୁ ସଜେଇ ହୋଇଥିଲେ । ଏହାକୁ ଦେଖି ସାମ୍ବାଦିକ ଜଣକ କାହିଁକି ଏପରି ପିନ୍ଧିଛନ୍ତି କହିବାରୁ ସେ ସୁନା ପରି ଟମାଟୋ ଦର ବୃଦ୍ଧି ପାଇଥିବା କଥା କହିଥିଲେ ଓ ସେହି କାରଣରୁ ମହଙ୍ଗା ଟମାଟୋର ଅଳଙ୍କାର କରି ପିନ୍ଧିଥିବା କଥା କହିଥିଲେ ।
ଅସତ୍ୟ ଭିଡିଓ !
ତେବେ ଏହି ଭିଡିଓ ଇଣ୍ଟରନେଟରେ ଛାଇ ଯିବାପରେ କେତେକେ ଏହାକୁ ଦେଖି ଏହି ଭିଡିଓ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ କରାଯାଇଛି ଓ ଏହାର ସତ୍ୟତା ନ ଥିବା କଥା କହିଥିଲେ ।
ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ ପାକିସ୍ଥାନରେ ନବବଧୂମାନେ ଅଳଙ୍କାରରେ ସଜାଇ ହେବା ସହିତ ମେହେନ୍ଦୀ ଲାଗିବା ଏକ ପୁରୁଣା ପରମ୍ପରା । ତେବେ ଭିଡିଓରେ ଉକ୍ତ ଯୁବତୀ ଜଣକ ହାତରେ ମେହେନ୍ଦୀ ନ ଲଗାଇଥିବାର ସ୍ପଷ୍ଟ ଜଣାପଡିଥିଲା ।
ସେହିପରି ଭିଡିଓରେ ଯୁବତୀଙ୍କ ନାମ ବା ତାଙ୍କ ପରିବାରର କାହାର ସଦସ୍ୟଙ୍କ ନାମ ମଧ୍ୟ ବର୍ଣ୍ଣିତ ହୋଇ ନ ଥିଲା । ଫଳରେ ଏହି ଭିଡିଓକୁ କେହି ଜଣେ ସେଠାରେ ଉଚ୍ଚ ଟମାଟୋ ଦର ବିଷୟରେ ବ୍ୟଙ୍ଗ କରିବା ପାଇଁ କରିଥାଇପାରେ ବୋଲି ଇଣ୍ଟରନେଟ ବ୍ୟବହାରକରି ମାନେ ସୋସିଆଲ ମିଡିଆରେ ମତାମତ ରଖିଥିଲେ ।