• ବେତାର ବ୍ୟୁରୋ

ଆମାଜନରେ ଜିନିଷ ବିକି ଲକ୍ଷପତି ହେଲେଣି 18,000 ବେପାରୀ, ଏତିକି ହେଲେ କୋଟିପତି


(ବେତାର ବ୍ୟୁରୋ) ଭାରତରେ ଅଗ୍ରଣୀ ଇ-ବିକ୍ରେତା ଭୂମିକାରେ ଥିବା ଆମେରିକୀୟ କମ୍ପନୀ ଆମାଜନ ଚଳିତ ବର୍ଷ ପ୍ରାୟ 18,000 ବ୍ୟକ୍ତିଙ୍କୁ ଲକ୍ଷପତି କରିସାରିଛି ବୋଲି ଏହାର ବ୍ୟବସାୟୀ ସେବା ପରିଚାଳନା ମୁଖ୍ୟ କହିଛନ୍ତି ।

ଆମାଜନ ମାଧ୍ୟମରେ ବେପାରୀମାନେ ଦେଶର କୋଣ ଅନୁକୋଣରେ ଥିବା ଗ୍ରାହକଙ୍କୁ ନିଜ ଜିନିଷ ବିକ୍ରି କରିଥାନ୍ତି । ଏହି କମ୍ପାନୀର ୱେବସାଇଟ / ଆପ୍ ଏକ ମାଧ୍ୟମ ହିସାବରେ କାମ କରିଥାଏ ଓ ବିକ୍ରି ହିସାବରେ କମିଶନ ନେଇଥାଏ । ଏହା ମାଧ୍ୟମରେ ବ୍ୟବସାୟ କରି ଅନେକ ବ୍ୟକ୍ତି ଲକ୍ଷପତି ହେଲେଣି ବୋଲି ଆମାଜନର ବେପାରୀ ସେବା ବିଭାଗ ଉପସଭାପତି ଗୋପାଳ ପିଲ୍ଲାଇ କହିଛନ୍ତି ।

ନ୍ୟୁଜଏଜେନ୍ସି IANS ସହିତ ଏକ ସାକ୍ଷାତକାରରେ ସେ କହିଥିଲେ “ ଆମେ ମାତ୍ର 100 ଜଣ ବେପାରୀଙ୍କୁ ନେଇ ଭାରତରେ ବ୍ୟବସାୟ ଆରମ୍ଭ କରିଥିଲୁ । ଏବେ ଆମ ପାଖରେ ସାଢେ ପାଞ୍ଚଲକ୍ଷରୁ ଉର୍ଦ୍ଧ୍ଵ ବ୍ୟବସାୟୀ ଅଛନ୍ତି । କେବଳ ଏହି ବର୍ଷ (2019) ଆମେ 18,000 ଲକ୍ଷପତି ଓ 3,500 କୋଟିପତି ତିଆରି କରିଛୁ । “ ଆମାଜନ ବେପାରୀମାନଙ୍କୁ ଚଳିତ ବର୍ଷ କେତେ ଲାଭ ଦେଇଛି ତାହାରି ଆଧାରରେ ପିଲ୍ଲାଇ ଏକଥା କହିଥିଲେ ।

ଭାରତୀୟ ଆୟକର ବିଭାଗର ତଥ୍ୟ ଅନୁସାରେ 2019 ଅକ୍ଟୋବର ସୁଦ୍ଧା 97,689 ଭାରତୀୟ ସେମାନଙ୍କ ଆୟ ଏକ କୋଟିରୁ ଉର୍ଦ୍ଧ୍ଵ ଦର୍ଶାଇ ଥିଲେ ।

ମାତ୍ରାଧିକ ରିହାତି ତେବେ ଆମାଜନରେ ଜିନିଷ ଅଧିକ ରିହାତି ଦରରେ ବିକ୍ରି ହେଉଥିବା ଓ ଏହା ଫଳରେ ଦୋକାନ ଘର କରି ବ୍ୟବସାୟ କରୁଥିବା ବେପାରୀ କ୍ଷତିଗ୍ରସ୍ତ ହେଉଥିବାର ଅଭିଯୋଗ ଅନେକ ବ୍ୟବସାୟୀ ସଂଘ କରିଆସିଛନ୍ତି । ଏଥିପାଇଁ ଆମାଜନ, ଫ୍କିପକାର୍ଟ ପରି ସଂସ୍ଥା ବିରୁଦ୍ଧରେ କେସ ମଧ୍ୟ ଦାଏର ହୋଇଛି ।

ତେବେ ଏହି ଅଭିଯୋଗ ସଂପୂର୍ଣ୍ଣ ନିରାଧାର ବୋଲି ଆମାଜନ କହିଛି ।

ପିଲ୍ଲାଇ କହିଛନ୍ତି ଯେ “ଆମେ ସରକାରୀ ନୀତି ନିୟମକୁ ନିଷ୍ଠାର ସହିତ ପାଳନ କରୁ ଓ ଏବିଷୟରେ ସ୍ପଷ୍ଟିକରଣ ମଧ୍ୟ କର୍ତ୍ତୁପକ୍ଷଙ୍କୁ ପ୍ରଦାନ କରିସାରିଛୁ । ଆମେ କେବଳ ମାତ୍ର ମାଧ୍ୟମ ଓ ବ୍ୟବସାୟୀ କେତେ ଟଙ୍କାରେ ତାଙ୍କ ଜିନିଷ ବିକ୍ରି କରିବେ ତାହା କେବଳ ସେମାନେ ସ୍ଥିର କରିଥାନ୍ତି । “

#amazon #Smartphone #MobileApp

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon