• ବେତାର ବ୍ୟୁରୋ

ବଢିଲା ଗର୍ଭପାତ ସମୟସୀମା : ଜାଣନ୍ତୁ କାରଣ ଓ ନିୟମ


(ବେତାର ବ୍ୟୁରୋ) ଏଣିକି ଗର୍ଭବତୀ ମା’ ମାନେ ଗର୍ଭ ଧାରଣର ପାଞ୍ଚମାସ ପରିବର୍ତ୍ତେ ଛଅ ମାସରେ ଗର୍ଭପାତ କରାଇପାରିବେ । ଏହିଭଳି ଏକ ନିୟମକୁ କେନ୍ଦ୍ର ସରକାର ବୁଧବାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କେନ୍ଦ୍ରୀୟ କ୍ୟାବିନେଟ ଚିକିତ୍ସା ଗର୍ଭପାତ ସଂଶୋଧନ ବିଧେୟକ-୨୦୨୦କୁ ପାରିତ କରାଇ କହିଛନ୍ତି ଯେ ଗର୍ଭପାତ କରାଇବାର ସୀମା ୨୦ ସପ୍ତାହରୁ ବୃଦ୍ଧି କରି ୨୪ ସପ୍ତାହ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ବିଧେୟକ ପାର୍ଲିଆମେଣ୍ଟରେ ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବ ।

ବିଜେପି ଊଭୟ ସଦନରେ ସଂଖ୍ୟାବଳରେ ଉନ୍ନତ ଥିବାରୁ ଏହାକୁ ରାଷ୍ଟ୍ରପତିଙ୍କ ମୋହର ଦୁଇ ତିନି ମାସ ମଧ୍ୟରେ ମିଳିଯିବା ଆଶା କରାଯାଉଛି ।

ଧର୍ଷିତାଙ୍କୁ ସୁରକ୍ଷା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର ମିଡିଆକୁ ଏ ସମ୍ପର୍କରେସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ୨୦ ସପ୍ତାହରେ ଗର୍ଭପାତ କରାଇବା ଦ୍ୱାରା ମା’ର ଜୀବନ ପ୍ରତି ବିପଦ ରହୁଥିବା ନଜରକୁ ଆସିଛି। ତେଣୁ ଏହାକୁ ୨୪ ସପ୍ତାହକୁ ବୃଦ୍ଧି କରି ଦିଆଯାଇଛି। ୨୪ ସପ୍ତାହରେ ଗର୍ଭପାତ କଲେ ମା’ର ଜୀବନ ପ୍ରତି ବିପଦ ନାହିଁ।

ଏହାଛଡା ଧର୍ଷଣ ତଥା ବଳପୂର୍ବକ ଯୌନସଙ୍ଗମର ଶିକାର ହେଉଥିବା ମହିଳା ବା କନ୍ୟାମାନେ ଗର୍ଭବତୀ ଅଛନ୍ତି କି ନା ତାହା ପାଞ୍ଚ ମାସରେ ମଧ୍ୟ ଠିକ ସେ ଜଣା ପଡି ନ ଥାଏ । ଏହି ପରିବର୍ଦ୍ଧିତ ସମୟ ଯୌନ ଅପରାଧର ଶିକାର ହେଉଥିବା କନ୍ୟାଙ୍କ ନିମନ୍ତେ ସହାୟକ ହେବ ବୋଲି କେନ୍ଦ୍ର କ୍ୟାବିନେଟ କହିଛି ।

ଏହି କ୍ଷେତ୍ରରେ କୋହଳ ଲାଗୁ ହେବନି

ତେବେ ଗରଭପାତ ହେବ କି ନାହିଁ ଏ ସମ୍ପର୍କରେ ପୂର୍ବପରି ଏକ ମେଡିକାଲ ବୋର୍ଡ ନିଷ୍ପତ୍ତି ନେବ । ଯଦି ଜନ୍ମ ସମଯରୁ ଶିଶୁ ଭ୍ରୁଣରେ କୌଣସି ତ୍ରୁଟି ଦେଖାଦିଏ ଓ ମା’ର ସ୍ୱାସ୍ଥ୍ୟପ୍ରତିବିପଦ ଥାଏ , ତେବେ ଏହି ସମୟସୀମା କୋହଳ ଲାଗୁ ହେବ ନାହିଁ ବୋଲି ସରକାର କହିଛନ୍ତି ।

ଏଥିପାଇଁ ଗର୍ଭପାତ ଅଧିନିୟମ (ମେଡିକାଲ ଟର୍ମିନେଶନ ଅଫ ପ୍ରେଗ୍‌ନାନ୍ସି ଆକ୍ଟ)୧୯୭୧କୁ ସଂଶୋଧନ କରିବାକୁ ପଡ଼ିବ। ସଂସଦର ଆଗାମୀ ଅଧିବେଶନରେ ଏ ନେଇ ବିଧେୟକ ଆଗତ କରାଯିବ।

#Abortion #HealthNews #modigovt #GovtOfIndia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon