• ବେତାର ବ୍ୟୁରୋ

ଅଣ-ଗେଜେଟେଡ କର୍ମଚାରୀ ନିଯୁକ୍ତି : ବଜେଟ 2020ରେ କେନ୍ଦ୍ର ସରକାର ଆଣିଲେ ଏହି ବଡ ପ୍ରସ୍ତାବ


(ବେତାର ବ୍ୟୁରୋ) କେନ୍ଦ୍ର ସରକାର ତଥା ସରକାରୀ ବ୍ୟାଙ୍କରେ ଅଣ-ଗେଜେଟେଡ ସରକାରୀ କର୍ମଚାରୀ ନିଯୁକ୍ତି ପାଇଁ ହେଉଥିବା ଚୟନ ପ୍ରକ୍ରିୟାରେ ଏକ ଧରଣର ପରିବର୍ତ୍ତନ ଆଣିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଶନିବାର ବଜେଟ 2020 ପ୍ରସ୍ତାବ ସଂସଦରେ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ବିଷୟରେ ଆସୁଥିବା ଆଗାମୀ ପରିବର୍ତ୍ତନ ସମ୍ପର୍କ’ରେ ଘୋଷଣା କରିଥିଲେ ।

ଏ ନିଷ୍ପତ୍ତି ଅନୁଯାୟୀ ଏଣିକି ଅଣ-ଗେଜେଟେଡ କର୍ମଚାରୀ ନିଯୁକ୍ତି ଚୟନ ପ୍ରକ୍ରିୟାକୁ ସରଳୀକରଣ କରାଯିବ । ଯାହା ଫଳରେ ବ୍ୟାଙ୍କ କ୍ଳର୍କ, ଷ୍ଟୋର କିପର ଆଦି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥିମାନଙ୍କ ପାଇଁ ସୁବିଧା ହେବ ।

ଗୋଟିଏ ପରୀକ୍ଷା

ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ସମାନ ପ୍ରକାରର ପଦ ଯଥା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟରେ କ୍ଳର୍କ ଓ ଷ୍ଟେଟ ବ୍ୟାଙ୍କରେ କ୍ଳର୍କ ପଦ ପାଇଁ ଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ବ୍ୟାଙ୍କରେ ଭିନ୍ନ ଭିନ୍ନ ପରୀକ୍ଷା ଦେବାକୁ ପଡୁଥିଲା , ଯେତେବେଳେକି ପରୀକ୍ଷାର ବିଷୟବସ୍ତୁ ସମାନ ରହୁଥିଲା । ଏହା ଫଳରେ ଅନେକ ଶକ୍ତି ଓ ସମୟ ଖର୍ଚ୍ଚ ହେବା ସହିତ ପ୍ରାର୍ଥିମାନଙ୍କୁ ଅନେକ ବାର ପରୀକ୍ଷା ଦେବାକୁ ପଡୁଥିଲା ।

ଏହିସବୁ ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ନ୍ୟାସନାଲ ରିକୃଟମେଣ୍ଟ ଏଜେନ୍ସି (National Recruitement Agency ) ସ୍ଥାପନ କରିବାକୁ ଯାଉଛନ୍ତି । ଏହି ଏଜେନ୍ସି ସାରା ଦେଶରେ ଅଣ ଗେଜେଟେଡ କର୍ମଚାରୀ ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷା ପରିଚାଳନା କରାଇବ ।

ଫଳରେ ପ୍ରାର୍ଥୀମାନଙ୍କୁ ଆଉ ଅଲଗା ଅଲଗା ବିଭାଗ ଓ ସରକାରୀ ବ୍ୟାଙ୍କ ନିମନ୍ତେ ଆଉ ଅଲଗା ଅଲଗା ପରୀକ୍ଷା ଦେବାକୁ ହେବ ନାହିଁ ।

ଏଥିପାଇଁ କେନ୍ଦ୍ର ସରକାର ପ୍ରତି ଜିଲାରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି କେନ୍ଦ୍ର ସ୍ଥାପନ ପାଇଁ ପଛୁଆ ଜିଲ୍ଲାକୁ ଅଗ୍ରାଧିକାର ଦିଆହେବ ।

IBPS ପରି ପରୀକ୍ଷା !

ବର୍ତ୍ତମାନ ଦେଶରେ 20 ସରକାରୀ କ୍ଷେତ୍ର ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କକୁ ଛାଡି) ନିମନ୍ତେ PO ଓ କ୍ଳର୍କ ପରୀକ୍ଷା IBPS ପରିଚାଳନା କରୁଅଛି । ତେବେ ଏହି ନୂଆ ଏଜେନ୍ସି ସ୍ଥାପନ ହେଲେ IBPS ଅଧୀନରେ ପରିଚାଳିତ ହେଉଥିବା ପରୀକ୍ଷା ଉଠିଯିବ ନା ରହିବ ତାହା ସ୍ପଷ୍ଟ ହୋଇ ନାହିଁ ।

ଏ ବିଷୟରେ ଅଧିକ ନୀତି ଆଗକୁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ତରଫରୁ ଜାରି ହେବ ବୋଲି ଜଣା ପଡିଛି ।

#Budget2020 #modigovt #BankExam #onlineexam #GovtJobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon