• ବେତାର ବ୍ଯୁରୋ

ଦିଲ୍ଲୀରେ କରୋନା ରୋଗୀ ଚିହ୍ନଟ: ଶଙ୍କାର ବଳୟରେ ଆହୁରି ଏତିକି ଜନ୍ମଦିନ ପାର୍ଟି ଅତିଥି


(ବେତାର ବ୍ଯୁରୋ) ଦିଲ୍ଲୀରେ ନିକଟରେ ଜଣେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଚିହ୍ନଟ ହୋଇଛନ୍ତି । ତେବେ ଏହା ପରେ ସେ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା ଶୁଣି କର୍ତ୍ତୃପକ୍ଷ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଉକ୍ତ ବ୍ୟକ୍ତିଜଣକ ନିକଟରେ ଏକ ବାଳକର ଜନ୍ମଦିନ ପାର୍ଟି ଉତ୍ସବରେ ଯୋଗ ଦେବାକୁ ଦିଲ୍ଲୀର ହ୍ୟାତ ରିଯେନ୍ସି ହୋଟେଲ ଯାଇଥିଲେ । ହୋଟେଲ ତରଫରୁ ମିଳିଥିବା ସୂଚନା ଅନୁସାରେ ଏହି ପାର୍ଟିରେ ଗୋଟିଏ ସ୍କୁଲରୁ ପ୍ରାୟ 25 ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ ।

ସ୍କୁଲ ବନ୍ଦ

ଦିଲ୍ଲୀରେ ଚିହ୍ନିତ ହୋଇସାରିଥିବା ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ 6 ଜଣଙ୍କୁ କରୋନା ଭାଇରସ ଆକ୍ରାନ୍ତ କରିଥିବା ଅନୁମାନ କରାହେଉଛି । ଏହାପରେ କର୍ତ୍ତୃପକ୍ଷ ଅଧିକ ସତର୍କ ହୋଇଯାଇଛନ୍ତି ।

ନୋଏଡାର ଉକ୍ତ ସ୍କୁଲକୁ ତିନିଦିନ ପାଇଁ ବନ୍ଦ କରି ଦିଆଯାଇଛି । ପାର୍ଟିରେ ଯୋଗ ଦେଇଥିବା ସମସ୍ତ 25ଜଣ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକଙ୍କୁ 14 ଦିନ ପାଇଁ ଅଲଗା ରଖାଯାଇଛି ।

ଯଦି ସମସ୍ତ ସନ୍ଦିଗ୍ଧଙ୍କ ଠାରୁ କରୋନା ଭାଇରସର ଲକ୍ଷଣ ନ ମିଳେ , ତେବେ ଆଶ୍ଵସ୍ତିର ବିଷୟ । ହେଲେ ଯଦି ଜଣକୁ ମଧ୍ୟ ସଂକ୍ରମିତ ହୋଇଥିବ ଓ ଉକ୍ତ ଛାତ୍ର/ଛାତ୍ରୀ ବା ବ୍ୟକ୍ତି ଯଦି ସେହି ଅବସ୍ଥାରେ ସ୍କୁଲ ବା ଅଫିସ ଯାଇଥିବେ ତେବେ ପରିସ୍ଥିତି ସାଂଘାତିକ ହେବ ।

ସେହିପରି ହୋଟେଲର ସମସ୍ତ ଷ୍ଟାଫଙ୍କୁ ମଧ୍ୟ 14 ଦିନ ପାଇଁ ଅଲଗା କରି ରଖାଯାଇଛି ।

ଶଙ୍କାରେ ବିମାନ କୃ

ଦିଲ୍ଲୀର ନାମୀଦାମୀ ଇଲାକାରେ ରହୁଥିବା ଉକ୍ତ ବ୍ୟକ୍ତି ଜଣକ ନିକଟରେ ଇଟାଲୀର ଭିଏନା ଯାଇଥିଲେ । ତାଙ୍କ ସହିତ ଏୟାର ଇଣ୍ଡିଆର ବିମାନରେ 10 ଜଣ କୃ ମେମ୍ବର ମଧ୍ୟ ଆସିଥିଲେ । ବର୍ତ୍ତମାନ ଏହି ସମସ୍ତ ଷ୍ଟାଫଙ୍କୁ 14 ଦିନ ପାଇଁ ଅଲଗା କରି ରଖାଯାଇଛି ।

ଚାଇନା, ଦକ୍ଷିଣ କୋରିଆ ଓ ଇରାନ ପରେ ଇଟାଲୀ ହେଉଛି ସମ୍ପ୍ରତି ବିଶ୍ଵର ସବୁଠୁ ଅଧିକ କରୋନା ସଂକ୍ରମିତ ହୋଇଥିବା ଦେଶ ।

#HealthNews #News #Corona

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon