• ବେତାର ବ୍ୟୁରୋ

ଓଡିଶାରେ ମାସ୍କ ନ ପିନ୍ଧିଲେ ଦେବାକୁ ହେବ ଏତିକି ଫାଇନ


(ବେତାର ବ୍ୟୁରୋ) ଓଡିଶାରେ ଗୁରୁବାର (ଏପ୍ରିଲ ୯) ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି । ତେବେ ମାସ୍କ ବଦଳରେ ମହିଳା ମାନେ ଓଢଣି, ରୁମାଲ ଓ ସେହିପରି ପୁରୁଷମାନେ ଗାମୁଛା ବ୍ୟବହାର କରିପାରିବେ ବୋଲି କୁହାଯାଇଛି ।

ତଥାପି ଯେଉଁମାନେ ବିନା ମୁହଁ ଘୋଡାଇ ହୋଇ ବାହାରକୁ ଆସିବେ ସେମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଦୁଇ ପ୍ରକାର ଦଣ୍ଡ

ଗୁରୁବାର ଓଡିଶା ସରକାର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏଣିକି ଯେଉଁ ବ୍ୟକ୍ତିମାନେ ମାସ୍କ ପିନ୍ଧି ନ ଥିବା ଅବସ୍ଥାରେ ଧରାପଡିବେ , ସେମାନଙ୍କୁ ଟ. 200 ଫାଇନ ଦେବାକୁ ପଡିବ । ଏହିପରି ଭାବେ ପ୍ରଥମ ତିନି ଥର ଯାଏଁ ନିୟମ ଉଲ୍ଲଂଘନ ପାଇଁ 200 ଟଙ୍କା ଦେବାକୁ ପଡିବ ।

କିନ୍ତୁ ଜଣେ ବ୍ୟକ୍ତି ଯଦି ତିନି (3) ଥର ଧରା ପଡିବା ପରେ ପୁନର୍ବାର ମାସ୍କ ନ ପିନ୍ଧିଥିବା ଅବସ୍ଥାରେ ଧରାପଡନ୍ତି, ତେବେ ତାଙ୍କୁ 500 ଟଙ୍କା ଫାଇନ ଦେବାକୁ ପଡିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ତେବେ ପୂର୍ବରୁ ରାଜ୍ୟ ସରକାର ଓ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି କହୁଥିବା ବେଳେ ମାସ୍କ ବ୍ୟବସ୍ଥା ବାଧ୍ୟତାମୂଳକ କରିବା ନେଇ କିଛି ବୁଦ୍ଧିଜୀବିମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ଉଠାଇଛନ୍ତି ।

ଏଥିପାଇଁ ବଦଳିଲା ନିୟମ

ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇ ନିର୍ଦ୍ଦେଶ ଅନୁସାରେ, କାଶୁଥିବା କିମ୍ବା ଛିଙ୍କୁଥିବା ବ୍ୟକ୍ତିଙ୍କ ଠାରୁ ୧ ମିଟିର ଦୂରତ୍ୱ ରଖିବା ଦରକାର। ସଂକ୍ରମିତ ବ୍ୟକ୍ତି କିମ୍ବା ତାଙ୍କ ଦେଖାରେଖା କରୁଥିବା ବ୍ୟକ୍ତି ମାସ୍କ ପିନ୍ଧିବେ।

କିନ୍ତୁ ଏବେ ଆସିଥିବା ନୂଆ ସର୍ଭେ ଅନୁସାରେ ମାସ୍କ ପିନ୍ଧିବା ନେଇ କଟକଣା ବଦଳିଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରାୟ ସମସ୍ତଙ୍କ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇପାରେ।

ନିକଟରେ ଆମେରିକାରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଥିଲା ଯେ କାଶିବା ଦ୍ୱାରା ବିଭିନ୍ନ ଆକାରର ଅନେକ ଛୋଟ ଛୋଟ ବୁନ୍ଦା ଅଧିକ ଦୂର ପର୍ଯ୍ୟନ୍ତ ଯାଇପାରେ ଏବଂ ଏହାକୁ କେବଳ ମାସ୍କ ହିଁ ରୋକି ପାରିବ ।

ଏହି ଅଧ୍ୟୟନ ଉପରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ତର୍ଜ୍ଜମା କରୁଛି ଓ ଏହାପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଆସିପାରେ ।

ତେବେ ଏହା ଆଗରୁ ଓଡିଶା ସରକାର ରାଜ୍ୟରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ବୋଲି ଘୋଷଣା କରିଛନ୍ତି ।

#odishanews #odishagovernmen #CoronaNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon