• ବେତାର ବ୍ୟୁରୋ

ଏହି 2 କାରଣ ପାଇଁ ଗୁଗୁଲ ସର୍ଚ୍ଚ ତାଲିକାରେ ଟ୍ରେଣ୍ଡ କଲା ଓଡିଶା


(ବେତାର ବ୍ୟୁରୋ) ଗୁରୁବାର ଟ୍ଵିଟରରେ ଟ୍ରେଣ୍ଡ କରୁଥିଲା ଓଡିଶା (Odisha) । ଏହାପରେ ଅପରାହ୍ନରେ ଗୁଗୁଲର ଦୈନିକ ସର୍ଚ୍ଚ ତାଲିକାରେ ଶ୍ରେଷ୍ଠ ଖୋଜାଯାଇଥିବା ବିଷୟ ଗୁଡିକ ମଧ୍ୟରୁ ଓଡିଶାର ସ୍ଥାନ ପଞ୍ଚମରେ ରହିଥିଲା । ସମଗ୍ର ଦେଶରେ ପଚାଶ ହଜାରରୁ ଅଧିକ ଲୋକ ଓଡିଶାର ଇଂରାଜୀ ବନାନକୁ ଗୁଗୁଲରେ ଟାଇପ କରି ଗୁରୁବାର ଦିନ ଓ ରାତି ତମାମ ରାଜ୍ୟ ବିଷୟରେ ଖବର ସଂଗ୍ରହ କରିଥିଲେ ।

ଏହି ତାଲିକାରେ ଖ୍ରୀଷ୍ଟିୟାନମାନଙ୍କ ପର୍ବ ଗୁଡ ଫ୍ରାଇଡେ ଥିବାରୁ ଏହିଦିନ Good Friday ସବୁଠୁ ଅଧିକ ଖୋଜାଯାଇଥିବା ବିଷୟ ହିସାବରେ ଏକ ନମ୍ବର ସ୍ଥାନରେ ରହିଥିଲା । ତେବେ ଓଡିଶା ବିଷୟରେ ଦୁଇଟି ଘଟଣା ଏହାକୁ ସର୍ଚ୍ଚ ଟ୍ରେଣ୍ଡରେ ଚତୁର୍ଥ ସ୍ଥାନରେ ରଖିବାରେ ସାହାଯ୍ୟ କରିଥିଲା ବୋଲି ସର୍ଚ୍ଚ ଟ୍ରେଣ୍ଡ ଆନାଲିସିସରୁ ଜଣା ପଡିଛି ।

ଟେଷ୍ଟ କିଟ୍

ଗୁରୁବାର ସନ୍ଧ୍ୟାରେ ମୁମ୍ବାଇରୁ 4,000 ଟେଷ୍ଟ, ରିଜେଣ୍ଟ ଏବଂ ଭାଇରାଲ ଟ୍ରାନ୍ସପୋର୍ଟ ମିଡିୟମ (ଭିଟିଏମ୍) ଇତ୍ୟାଦି ନେଇ ଏକ ସ୍ୱତନ୍ତ୍ର ଏୟାର କାର୍ଗୋ ମାଧ୍ୟମରେ କୋଭିଡ -19 ଟେଷ୍ଟ କିଟ୍ ଭୁବନେଶ୍ଵର ପାଇଁ ଉଡ଼ାଣ କରିଥିଲେ।

ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏହା କରୋନାଭାଇରସ୍ ପରୀକ୍ଷା ସୁବିଧାକୁ ବୃଦ୍ଧି କରିବା ପାଇଁ ଓଡିଶା ସରକାରଙ୍କ ଉଦ୍ୟମକୁ ଦୃଢୀଭୂତ କରିବ।

ଓଡିଶାରେ କରୋନା ପରୀକ୍ଷା ସୁବିଧା ବଢାଇବାକୁ ରାଜ୍ୟ ସରକାର ଏକ ଲକ୍ଷ ଟେଷ୍ଟ କିଟ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଓଡିଶାର ବିପର୍ଯ୍ୟୟ ପାଣ୍ଠି ଅର୍ଥକୁ 400 କୋଟି ରୁ 2000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।

ରାଜ୍ୟର ସମସ୍ତ ସହରାଞ୍ଚଳ ତଥା ଗ୍ରାମାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟେଷ୍ଟ କିଟ କରୋନା ସଂଦିଗ୍ଧଙ୍କ ପରୀକ୍ଷା କରିବାରେ ସହାୟକ ହେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟବିଭାଗ ତରଫରୁ କୁହାଯାଇଛି ।

ବର୍ଦ୍ଧିତ ଲକଡାଉନ୍

ଦେଶରେ 21 ଦିନିଆ ଲକଡାଉନ୍ ଅବଧି ସାରିବା ପୂର୍ବରୁ ଓଡ଼ିଶା ସରକାର ଏହି ବନ୍ଦକୁ 30 ଏପ୍ରିଲ ଯାଏଁ ବୃଦ୍ଧି କରିବାକୁ ନିଷ୍ପତ୍ତି ଗୁରୁବାର ନେଇଥିଲେ । ଏଭଲୁ ନିଷ୍ପତ୍ତି ନେବାରେ ଦେଶର ପ୍ରଥମ ରାଜ୍ୟ ହେଲା ଓଡିଶା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରି କହିଛନ୍ତି ଯେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍ 17 ପର୍ଯ୍ୟନ୍ତ ବନ୍ଦ ରହିବ। ଏଥି ସହିତ ସେ ଏପ୍ରିଲ 30 ପର୍ଯ୍ୟନ୍ତ ଟ୍ରେନ ଏବଂ ବିମାନ ସେବା ଆରମ୍ଭ ନକରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ଓଡିଶା ସରକାରଙ୍କ ଏହି ଘୋଷଣା ଦେଶର ପ୍ରମୁଖ ସମ୍ବାଦପତ୍ର ଓ ବିଭିନ୍ନ ୱେବସାଇଟଗୁଡିକରେ ପ୍ରକାଶ ପାଇଥିଲା ଓ ଏ ନେଇ ଅନେକ ବ୍ୟକ୍ତି ଓଡିଶା ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରୁଥିବା ଦେଖାଯାଇଥିଲା ।

#odishanews #OdishaGovernment #OdishaNews #NaveenPatnaik

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon