- ବେତାର ବ୍ୟୁରୋ
ଓଡିଶା : +3 ଡିଗ୍ରୀ, ପିଜି ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ପରୀକ୍ଷା ନେଇ ଏମିତି ଆସିଲା ନିଷ୍ପତ୍ତି

(ବେତାର ବ୍ୟୁରୋ) ଓଡିଶାର ବିଭିନ୍ନ ଡିଗ୍ରୀ କଲେଜମାନଙ୍କରେ ଅଧ୍ୟୟନ କରୁଥିବା ପ୍ରଥମ ଓ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀମାନେ ସେମାନଙ୍କ ସେମିଷ୍ଟାର ପରୀକ୍ଷାକୁ ନେଇ ବିଭିନ୍ନ ଆଶା ଓ ଆଶଙ୍କାରେ ଥିବା ବେଳେ ଏ ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ମଙ୍ଗଳବାର ବିଭିନ୍ନ ବିଶ୍ଵବିଦ୍ଯ୍ଯାଳୟର କୁଳପତିଙ୍କ ସହ ଭିଡିଓ କନଫରେନ୍ସିଙ୍ଗ ବୈଠକ ପରେ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ଆସିଛି ।
ହେବନାହିଁ ପରୀକ୍ଷା
ମିଳିଥିବା ଖବର ଅନୁସାରେ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ +୩ର ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି । କରୋନା ମହାମାରୀ ପାଇଁ ସାମାଜିକ ଦୁରତ୍ଵ ବଜାୟ ନ ରହିବା ଆଶଙ୍କା ଥିବାରୁ ଏ ନେଇ ପ୍ରଥମ ବର୍ଷର ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ଓ ଦ୍ଵିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷାକୁ ବାତିଲ କରାଯାଇଛି ।
ସେହିପରି PG ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ ନାହିଁ । ଏହା ବଦଳରେ ବିଶ୍ବବିଦ୍ୟାଳୟ ଦ୍ବାରା ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାଙ୍କନ କରାଯାଇ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସେମିଷ୍ଟରକୁ ଉତିନ୍ନ କରାଯିବ ବୋଲି ମଙ୍ଗଳବାର ବୈଠକରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଘରେ ପଢିବେ ଛାତ୍ରଛାତ୍ରୀ
ଓଡିଶାରେ ଥିବା ବିଭିନ୍ନ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଭିଡିଓ କନଫରେନସିଙ୍ଗ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ କରୋନା ମହାମାରୀ ସକାଶେ ପାଠ୍ୟକ୍ରମ ବାଧାପ୍ରାପ୍ତ ହୋଇଥିବାରୁ ଏଣିକି ସମୁଦାୟ ପାଠ୍ୟକ୍ରମର କିଛି ଅଂଶ ଆଉ କ୍ଳାସରେ ପଢା ହେବ ନାହିଁ ।
ମଙ୍ଗଳବାର ନିଆଯାଇଥିବା ନିଷ୍ପତ୍ତି ଅନୁସାରେ +୩ ଓ PG ସିଲାବସର ୨୫% ପାଠ୍ୟକ୍ରମ ନିଜେ ପଢ଼ିବେ ଛାତ୍ରଛାତ୍ରୀ ।
ଏଥିପାଇଁ ପାଠ୍ୟ ଉପକରଣ ଯୋଗାଇଦେବେ କଲେଜ ଓ ବିଶ୍ବବିଦ୍ୟାଳୟ । ତେବେ ଛାତ୍ରଛାତ୍ରୀମାନଙ୍କର କୌଣସି ବିଷୟ ବୁଝି ନ ପାରିଲେ ଟିଉଟୋରିଆଲ କ୍ଳାସରେ ସନ୍ଦେହ ଦୂର କରିବେ ଅଧ୍ୟାପକ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ଏହି ଟ୍ଯୁଟୋରିଆଲ ଅନଲାଇନ ନା ଅଫଲାଇନ ହେବ ସେ ବିଷୟରେ କିଛି ଜଣାପଡିନାହିଁ ।
ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଜୁଲାଇ ୨୪ ତାରିଖ ସୁଦ୍ଧା +୩ ଶେଷ ବର୍ଷ ପରୀକ୍ଷା ସାରିବାକୁ ଓ ଅଗଷ୍ଟ ୨୦ ତାରିଖ ସୁଦ୍ଧା ପିଜି ଶେଷ ବର୍ଷର ସେମିଷ୍ଟାର ପରୀକ୍ଷା ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ ।