- ବେତାର ବ୍ଯୁରୋ
ଓଡିଶା ଫେରନ୍ତା ଶ୍ରମିକଙ୍କ ରୋଜଗାର ପାଇଁ ଆସିଲା ପ୍ଯାକେଜ , ଏମିତି ମିଳିବ ସୁବିଧା

(ବେତାର ବ୍ଯୁରୋ) ଲକଡାଉନ ସମୟରେ ଓଡିଶାକୁ ବିଭିନ୍ନ ରାଜ୍ୟରୁ ଫେରିଥିବା ଲକ୍ଷ ଲକ୍ଷ ଶ୍ରମିକ ତଥା ସେମାନଙ୍କ ପରିବାରକୁ ରୋଜଗାର ଯୋଗାଇ ଦେବା ନିମନ୍ତେ ଓଡିଶା ସରକାର ଏକ ବଡ ଘୋଷଣା ଶୁକ୍ରବାର କରିଛନ୍ତି । ଏହି ଘୋଷଣା କ୍ରମେ ଏହି ଶ୍ରମିକମାନଙ୍କୁ ଓଡିଶାରେ ରହି ରୋଜଗାର କରିବା ପାଇଁ ଅନେକ ଆର୍ଥିକ ସାହାଯ୍ୟ ମିଳିବ ।
ଏ ନେଇ ରାଜ୍ୟ କ୍ଯାବିନେଟ ଆଜି ଅନେକ ଗୁଡିଏ ପ୍ରସ୍ତାବ ଉପରେ ମୋହର ମାରିଛି।
ଗାମକୁ ଫୋକସ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଏହି ୧୭ହଜାର କୋଟି ଟଙ୍କାର ପ୍ୟାକେଜରେ କୃଷି, ମତ୍ସ୍ୟଚାଷ, ପଶୁପାଳନ, ସମବାୟ, ଖାଦ୍ୟ ସୁରକ୍ଷା, ହସ୍ତଶିଳ୍ପ ଓ ବୟନ ଶିଳ୍ପ, ଦକ୍ଷତା ବିକାଶ, ଖାଦ୍ୟ ସୁରକ୍ଷା, ପନିପରିବା ଓ ଫଳଚାଷ, ପୋଖରୀ ଖୋଳା ଆଦି ମାଧ୍ୟମରେ ଗ୍ରାମାଞ୍ଚଳରେ ଏହି ରାଶି ବିନିଯୋଗ ହେବ।
ଏହି ପ୍ୟାକେଜରେ ଗ୍ରାମାଞ୍ଚଳରେ କୃଷି ପାଇଁ ୨୦୦କୋଟି ଟଙ୍କା ଖର୍ଚ୍ଚ ହେବ। ୨୪.୫୬ଲକ୍ଷ ଚାଷୀ ଉପକୃତ ହେବେ ।
ଏହି ସ୍କିମରେ ୫ ଲକ୍ଷ ଚାଷୀଙ୍କୁ ହାଇବ୍ରିଡ୍ ପନିପରିବା ବିହନ ଯୋଗାଇ ଦିଆଯିବ। ୫୦ହଜାର ହେକ୍ଟର ଜମିରେ ଏହି ଚାଷ ହେବ । ସେହିପରି ଆଉ ୫ଲକ୍ଷ ଚାଷୀଙ୍କୁ ପନିପରିବା ବିହନ ମିନି କିଟ୍ ଦିଆଯିବ। ୬୭ହଜାର ଏକର ଜମିରେ ଚାଷ ପ୍ରଦର୍ଶନ ସହାୟତା ଯୋଗାଇ ଦିଆଯିବ। ପ୍ରତିଚାଷୀଙ୍କୁ ଗୋଟିଏ ହେକ୍ଟର କରି ସହାୟତା ପ୍ରଦାନ କରାଯିବ।
ରାଜ୍ୟ ଖାଦ୍ୟ ନିରାପତ୍ତାରେ ସାମିଲ ହେବେ ଦାଦନ ଶ୍ରମିକ । ୱାର୍ଡ ସ୍ତରରେ ଗଠନ ହେବ ପରିଚାଳନା କମିଟି ।
ପ୍ରବାସୀଙ୍କ ଚିନ୍ତା
ଏହାଛଡ଼ା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ମଧ୍ୟ ଏହି ପ୍ୟାକେଜରେ ବ୍ୟବସ୍ଥା ରହିଛି।ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ଭିତରେ ଖର୍ଚ୍ଚ ହେବ ।
ପ୍ରବାସୀ ଓଡ଼ିଆମାନେ ନିଜ ଗାଁକୁ ଫେରିଥିବାରୁ ସେମାନଙ୍କୁ କାମଧନ୍ଦା ଯୋଗାଇବା ଲକ୍ଷ୍ୟରେ ୨୦କୋଟି ଟଙ୍କା କାର୍ଯ୍ୟ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି।
ବିଭିନ୍ନ ଯୋଜନା ମାଧ୍ୟମରେ ୬୬୪୦ କୋଟି ଟଙ୍କାରେ ୪୬.୪୫ଲକ୍ଷ ହିତାଧିକାରୀଙ୍କ ପାଇଁ ଏହି ୨୦କୋଟି କାର୍ଯ୍ୟ ଦିବସ ବ୍ୟବସ୍ଥା କରାଯିବ। ଦକ୍ଷତା ବିକାଶ ପାଇଁ ୪୦କୋଟି ଟଙ୍କା ଖର୍ଚ୍ଚ ସହ ଗାଁରେ ଫଳ ଓ ପନିପରିବାର ତଥା ପୃଷ୍ଟିକର ଖାଦ୍ୟ ଲାଗି ଗଛ ଲଗାଇବାକୁ ମଧ୍ୟ ସହାୟତା ପ୍ରଦାନ କରାଯିବ ।
ଏସବୁ ନିଷ୍ପତ୍ତି ଯୋଗୁ କରୋନା ପ୍ରଭାବରେ ଜୀବିକା ହରାଇଥିବା ପ୍ରବାସୀ ଓଡ଼ିଆଙ୍କ ସମେତ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନଙ୍କୁ ରୋଜଗାର ପନ୍ଥା ମିଳିପାରିବ ବୋଲି ଆଶା କରାଯାଉଛି।
ଅବଶ୍ୟ ଏହି ୧୭ହଜାର କୋଟି ଟଙ୍କାର ପ୍ୟାକେଜ୍ ବିଭିନ୍ନ ବିଭାଗରେ ଆବଣ୍ଟିତ ବଜେଟ୍ ଅର୍ଥ ମଧ୍ୟରେ ହିଁ ପ୍ରସ୍ତୁତ କରାଯାଇଛି। ଏସବୁ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଥିବା ଅର୍ଥ ମାଧ୍ୟମରେ ଏହି ପ୍ୟାକେଜ୍ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।
ଅନ୍ୟାନ୍ୟ ଘୋଷଣା ମଧ୍ୟରେ ରହିଛି ଆସ୍କା ଚିନି କଳକୁ ୧୫କୋଟିର ସରକାରୀ ଗ୍ୟାରେଣ୍ଟି , ୧୯୨ ଓଏଏସ ପଦବୀ ସୃଷ୍ଟି , ଏନଡିଆରଏଫ ଷ୍ଟେସନ ପାଇଁ ବାଲେଶ୍ୱରରେ ସାଢେ ୩ ଏକର ଜାଗା ଯୋଗାଣ ।