• ବେତରା ବ୍ୟୁରୋ

ଓଡିଶାକୁ ଜୁନ ମାସରେ ଏହି ସ୍ଥାନ ଦେଇ ପ୍ରବେଶ କରିବେ ପଙ୍ଗପାଳ


(ବେତାର ବ୍ୟୁରୋ) କରୋନା ମହାମାରୀ, ଲାକଡାଉନ, ଭୂମିକମ୍ପ ଓ ବାତ୍ୟା ପରେ ଏବେ କଷ୍ଟ ଦେଉଛି ପଙ୍ଗପାଳ। ଆଫ୍ରିକା ମହାଦେଶରେ ବ୍ୟାପକ କ୍ଷତି ଘଟାଇବା ପରେ ଏହି କୀଟଦଳ ଏବେ ପାକିସ୍ତାନ ଦେଇ ଭାରତ ମଧ୍ୟ ପଶିସାରିଛନ୍ତି । ଫଳରେ ରାଜସ୍ଥାନ, ମହାରାଷ୍ଟ, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ବ୍ୟାପକ ଫସଲ ହାନି କରିବା ସହ ସବୁଜିମାକୁ ନଷ୍ଟ କରିଛନ୍ତି ।

ଏବେ ସେମାନେ ଛତିଶଗଡ଼ ଦେଇ ଓଡ଼ିଶାରେ ପ୍ରବେଶ କରିବାର ପୂର୍ବାନୁମାନ କରୁଛନ୍ତି କଟକ ସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ବିଶେଷଜ୍ଞ ।

ଭାରତରେ ଏ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପଙ୍ଗପାଳଙ୍କ ଯୋଗୁଁ ବ୍ୟାପକ କ୍ଷତି ଘଟି ସାରିଛି । ୧୯୬୨ ମସିହା ପୂର୍ବରୁ ୧୨ ଥର ଓ ଏହା ପରେ ୧୯୬୪ ମସିହାରୁ ୧୯୯୭ ମସିହା ପର୍ଯ୍ୟନ୍ତ ୧୩ ଥର ଦେଶ ଏମାନଙ୍କ ଆକ୍ରମଣର ଶିକାର ହୋଇଛି । କିନ୍ତୁ ୨୦୧୦ ମସିହା ପର ଠାରୁ ଏହା ହେଉଛି ପଙ୍ଗପାଳମାନଙ୍କର ସବୁ ଠାରୁ ବଡ଼ ଆକ୍ରମଣ । ଏକ ବୃହତାକାର ପଙ୍ଗପାଳ ଦଳ ଗୋଟିଏ ଦିନରେ 35 ହଜାର ଲୋକଙ୍କ ଖାଦ୍ୟ ଖାଇ ନଷ୍ଟ କରିଦେଇଛନ୍ତି।

ପଶ୍ଚିମ ଓଡିଶାକୁ ବିପଦ

ପଙ୍ଗପାଳଙ୍କ ପ୍ରଭାବରେ ଛତିଶଗଡ଼ର ସୀମାନ୍ତରେ ଥିବା ଓଡ଼ିଶାର ଜିଲ୍ଲାଗୁଡିକରେ ବ୍ୟାପକ ଫସଲ ହାନି ଓ ଜଙ୍ଗଲ ନଷ୍ଟ ହେବାର ଆଶଙ୍କା କରାଯାଉଛି । ବିଶେଷ କରି ସେମାନେ ସମ୍ବଲପୁର ଦେଇ ଓଡ଼ିଶା ମଧ୍ୟକୁ ପଶିବାର ପୂର୍ବାନୁମାନ କରିଛି NRRI ।

ଓଡିଶାରେ ପ୍ରବେଶ କରିବା ପରେ ସେମାନେ ମୁଖ୍ୟତଃ ସମ୍ବଲପୁର, ବରଗଡ଼ ଓ ସୋନପୁର ଅଞ୍ଚଳରେ ତାଣ୍ଡବ ଲୀଳା ରଚି କ୍ରମଶଃ ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବେଶ କରିପାରନ୍ତି ବୋଲି କହିଛନ୍ତି NRRIର କିଟ ରୋଗ ବିଶେଷଜ୍ଞ ।

‘‘ଅନ୍ୟ ରାଜ୍ୟଗୁଡ଼ିକ ଭଳି ଏମାନେ ଓଡିଶାର ସବୁଜିମାକୁ ବ୍ୟାପକ ଭାବେ ନଷ୍ଟ କରିବା ନେଇ ଆମେ ଆଶଙ୍କା କରୁଛୁ,’’ କହିଛନ୍ତି ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ରୋଗ ପୋକ ବିଭାଗର ପ୍ରମୁଖ ବୈଜ୍ଞାନିକ ଡ଼କ୍ଟର ଶ୍ୟାମାରଞ୍ଜନ ଦାସମହାପାତ୍ର ।

ସେ ଏକଥା ମଧ୍ୟ କହିଛନ୍ତି ଯେ ଯଦି ଓଡିଶାର କୌଣସି ସ୍ଥାନର ଏକ ବୃହତ ଅଞ୍ଚଳରେ ବହୁ ସଂଖ୍ୟାରେ ପଙ୍ଗପାଳଙ୍କ ଉପସ୍ଥିତି ଦେଖିବାକୁ ମିଳେ ତେବେ ଡ୍ରୋନ୍ କିମ୍ବା ହେଲିକାପ୍ଟର ମାଧ୍ୟମରେ ଆକାଶମାର୍ଗରୁ କୀଟନାଶକ ସିଞ୍ଚନ ପାଇଁ ଆମେ ପରାମର୍ଶ ଦେଇଛୁ।

ଅମ୍ପନ ବଞ୍ଚାଇଦେଲା

ବାତ୍ୟା ଅମ୍ଫନ ଯଦି ଆସି ନ ଥାନ୍ତା ତାହେଲେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଦଳ ଏ ପର୍ଯ୍ୟନ୍ତ ଓଡ଼ିଶାକୁ ପ୍ରବେଶ କରି ସାରିଥାନ୍ତେ । ବାତ୍ୟା ସେମାନଙ୍କୁ ବାଧା ଦେଇଥିଲା ବୋଲି କହିଛନ୍ତି ଡଃ ଦାସମହାପାତ୍ର ।

ପଙ୍ଗପାଳଙ୍କ ବର୍ତ୍ତମାନର ଗତିବିଧିକୁ ଲକ୍ଷ କରି ସେମାନେ ଜୁନ ମାସ ମଧ୍ୟ ଭାଗ ସୁଦ୍ଧା ଓଡ଼ିଶାକୁ ପ୍ରବେଶ କରିବାର ଅନୁମାନ କରାଯାଉଛି । ଏହା ପରେ ମୌସୁମୀ ବାୟୁ ପ୍ରଭାବରେ ସେମାନେ ପୁଣି ପଞ୍ଚିମ ମୁହାଁ ହେବେ ।

କିନ୍ତୁ ରାଜସ୍ଥାନ ମରୁଭୂମିରେ ସେମାନେ ଅଣ୍ଡା ଦେଇ ସାରିଥିବାରୁ ୯୦ ଦିନର ସମୟସୀମା ମଧ୍ୟରେ ସେହି ଅଣ୍ଡା ଫୁଟିବାକୁ ଥିବାରୁ ଏହି ପଙ୍ଗପାଳଙ୍କ ସମସ୍ୟା ବେଶ କିଛି ଦିନ ଧରି ଦେଶରେ ଲାଗି ରହିବ ବୋଲି ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ କହିଛନ୍ତି ।​


©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon