• ବେତାର ବ୍ୟୁରୋ

43 ବର୍ଷ ପରେ ପୁଣି ସ୍ନାନ ପୂର୍ଣ୍ଣିମାରେ ପରମ୍ପରା ଭାଙ୍ଗିଲେ ପୁରୀ ଗଜପତି


(ବେତାର ବ୍ଯୁରୋ) ପୁରୀ ଗଜପତି ରାଜା ରଥଯାତ୍ରା ରେ ଛେରାପହଁରା କରିବା କଥା ସମସ୍ତଙ୍କୁ ଜଣା ଥିବ । ତେବେ ଏହା ବ୍ଯତୀତ ସେ ଦୋଳ ପୂର୍ଣ୍ଣିମା, ଚନ୍ଦନ ଯାତ୍ରା ଓ ସ୍ନାନ ପୂର୍ଣ୍ଣିମାରେ ମଧ୍ୟ ଛେରା ପହଁରା କରନ୍ତି ।

ବର୍ତ୍ତମାନର ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଚତୁର୍ଥ 1970 ମସିହା ଠାରୁ ରାଜା ଭାବେ ଅଭିଷିକ୍ତ ହେବା ପରଠାରୁ ନିୟମିତ ଭାବେ ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା କରି ଆସୁଛନ୍ତି । ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଘଟିଛି ।

ଏଥର ସେ ପୁରୀ ରାଜପ୍ରାସାଦରେ ଉପସ୍ଥିତ ଥାଇ ମଧ୍ୟ ଛେରାପହଁରା ପାଇଁ ଆସିଲେନି ।

50 ବର୍ଷରେ ଦୁଇଥର

ଶେଷଥର ଯେବେ ଗଜପତି ସ୍ନାନ ପୂର୍ଣ୍ଣିମାରେ ଛେରା ପହଁରା ପାଇଁ ଆସି ନ ଥିଲେ ତାହା ଘଟିଥିଲା 43 ବର୍ଷ ତଳେ । ଏହାକୁ ଶ୍ରୀମନ୍ଦିର ଇତିହାସରେ ଦ୍ବିତୀୟ ଘଟଣା ବୋଲି ସ୍ଵୟଂ ଗଜପତି ସ୍ଵୀକାର କରିଥିଲେ ।

୧୯୭୬ ମସିହାରେ ସେ ଆମେରିକାରେ ରହି LLM ପଢ଼ିବା ବେଳେ ଆସି ପାରି ନଥିଲେ ଗଜପତି । ସେହିପରି ଚଳିତ ବର୍ଷ ସେ ପୁରୀ ରେ ଉପସ୍ଥିତ ଥାଇ ମଧ୍ୟ ଯୋଗ ଦେଇନାହାନ୍ତି ।

ଏହାର କାରଣ ବିଷୟରେ ପ୍ରତିକ୍ରିୟା ରଖି ସେ କହିଛନ୍ତି , “ସରକାରଙ୍କ ଲକଡାଉନ ନିୟମ ବଳବତ୍ତର ଥିବାରୁ ଯୋଗଦେଇନି, କାରଣ ସାତରୁ ଅଧିକ ଲୋକଙ୍କୁ ମନ୍ଦିର ବାହାରେ ଏକାଠି ହେବାକୁ ଅନୁମତି ନାହିଁ।

ଏହା ବ୍ଯତୀତ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି, ସେଥିପାଇଁ ମଧ୍ୟ ଗଜପତି ଏଥର ସ୍ନାନପୂର୍ଣ୍ଣିମାରେ ଛେରାପହଁରା ନ କରିବାକୁ ନିଷ୍ପତ୍ତି ନେଲେ ।

ଗଜପତିଙ୍କୁ ବର୍ତ୍ତମାନ 67 ବର୍ଷ ବୟସ । ସେ ଅଧିକାଂଶ ସମୟରେ ଭୁବନେଶ୍ୱର ସ୍ଥିତ ବାସଭବନରେ ରହୁଥିବାବେଳେ ବିଭିନ୍ନ ପର୍ବପର୍ବାଣି ତଥା ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା କମିଟିରେ ଯୋଗ ଦେବା ପାଇଁ ପୁରୀ ଆସନ୍ତି ।

ପୁରୀ ରାଜପରିବାର ନିୟମ ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ଗଜପତିଙ୍କ ବଦଳରେ ମୁଦିରଥ ସେବକ ରାଜାଙ୍କ ପ୍ରତିନିଧି ରୂପେ ଯୋଗ ଦେଇ ପାରିବେ । ଚଳିତ ବର୍ଷ ସ୍ନାନଯାତ୍ରାରେ ସେହି ବ୍ୟବସ୍ଥା ଦେଖିବାକୁ ମିଳିଛି ।

#Puri #Jagannath #OdishaNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon