ରାତିରେ ନିଦ ହଉନି? କଦଳୀ ଚା’ ପିଅନ୍ତୁ

Tuesday, August 29, 2017

 

ମେଟ୍ରୋର ବ୍ୟସ୍ତବହୁଳ ଜୀବନ ହେଉ ବା ଛୋଟ ସହରର ହାଲକାଫୁଲକା ଜୀବନ ଶୈଳୀ, ରାତିରେ ଠିକ ସେ ନିଦ ନ ହେବା ଆଜିକାଲି ଅନେକ ଲୋକଙ୍କର ଜୀବନଚର୍ଯ୍ୟା ସମ୍ବନ୍ଧିତ ସ୍ଵାସ୍ଥ୍ୟଗତ ଅଭିଯୋଗ (ଯଥା ଡାଇବେଟିସ,ବ୍ଲଡପ୍ରେସର ଆଦି) ରୁ ଗୋଟେ । ଦୈନନ୍ଦିନ ଜୀବନଶୈଳୀ ହେଉ ବା ଖାଇବା ପିଇବାରେ ଅନିୟମିତତା, ଏ ସବୁ କଥା ନିୟମିତ ନିଦ୍ରା ନ ହେବାର କାରଣ । ଏତଦବ୍ୟତୀତ ଥାଇରଏଡ, ଉଚ୍ଚ ରକ୍ତଚାପ, ଶ୍ଵାସ ରୋଗ , ଥଣ୍ଡା କଫ ଓ ମାନସିକ ଅବସାଦ ପ୍ରଭୃତି ରହିଲେ ରାତିରେ ଭଲ ଭାବେ ନିଦ ହୋଇ ନ ଥାଏ । ଅନେକ ବ୍ୟକ୍ତି ଏଥିପାଇଁ ନିଦ ବଟିକା ନେବାକୁ ପସନ୍ଦ କରିଥାନ୍ତି । ତେବେ ନିଦ ବଟିକାରେ ଅନେକ ସାଇଡଇଫେକ୍ଟ ରୁହେ ଯାହା ଆଗକୁ ଯାଇ ଶରୀରରେ ଅନ୍ୟାନ୍ୟ ନକରାତ୍ମକ ପ୍ରତିକ୍ରିୟା କରିପାରେ । ଏଥିପାଇଁ ଏକ ପ୍ରାକୃତିକ ଉପଚାର ହେଉଛି ପାଚିଲା କଦଳୀରେ ତିଆରି ଚା’ ।

 

କଦଳୀ ଚା’ କଣ ପାଇଁ ?

 

କଦଳୀରେ ପ୍ରଚୁର ମାତ୍ରାରେ ପୋଟାସିୟମ ଓ ମ୍ୟାଗ୍ନେସିୟମ ଥାଏ । ବିଭିନ୍ନ ଅନୁଧ୍ୟାନରୁ ଏହା ଜଣାପଡିଛି ଯେ ଏହି ଦୁଇ ଲବଣ ଆମ ଶରୀରର ମାଂସପେଶୀରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରି ମାଂସପେଶୀତନ୍ତ୍ରରେ  ସ୍ଥିରତା ଆଣିଥାଏ, ଯାହା ଫଳରେ ନିଦ ମାଡିଥାଏ। ଏକ ଅନୁଧ୍ୟାନ ମୁତାବକ, ଯେଉଁ ବ୍ୟକ୍ତିମାନେ ଠିକ ସେ ନିଦ ନ ହେବାର ଅଭିଯୋଗ କରନ୍ତି, ସେମାନଙ୍କ ଶରୀରରେ ମୁଖ୍ୟତଃ ଏହି ଦୁଇଟି ଲବଣର ପରିମାଣ କମ ଥାଏ । ଆଜିକାଲିର ଖାଇବାପିଇବା ରୁଚି ଫଳରେ ଏହିସବୁ ଲବଣର ମାତ୍ରା ଶରୀରରେ ହ୍ରାସ ପାଉଛି ଓ ନିଦ୍ରା ସୃଷ୍ଟି କରିବାରେ ବ୍ୟାଘାତ କରିଥାଏ । କଦଳୀରେ ଏହି ଦୁଇଟି ଲବଣ ପ୍ରଚୁର ପରିମାଣରେ ଥିବାରୁ ଏହାର ଚା' କରି ପିଇବା ଅତ୍ୟନ୍ତ ଲାଭକାରୀ ।

 

କେମିତି କରିବେ

କଦଳୀ ଚା’ କରିବା ପାଇ ଆବଶ୍ୟକୀୟ ସାମଗ୍ରୀ ହେଲା : ୧) ପାଚିଲା କଦଳୀ ୨) ଏକ ପାତ୍ର ଓ ପାଣି ୩) ଡାଲଚିନି ବା ଗୁଜରାତି

 

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଦଳୀର ଚୋପା ଛଡାଇ ଦିଅନ୍ତୁ । ଏବେ ଏକ ପାତ୍ରରେ ପାଣି ପକାଇ ଫୁଟାନ୍ତୁ । ପରେ କଦଳୀକୁ ସେଥିରେ ପକେଇ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଏବେ ଏକ ଛଣା ସାହାଯ୍ୟରେ ଏହି ପାଣିକୁ ଏକ କପରେ ଢାଳନ୍ତୁ ଓ ଏଥିରେ ଆପଣଙ୍କ ପସନ୍ଦ ମୁତାବକ ଡାଲଚିନି ବା ଗୁଜରାତି ଗୁଣ୍ଡ ପକାନ୍ତୁ । ଆପଣ ପିଇ ପାରିଲା ଭଳି ତାପମାତ୍ରା ହେବା ଯାଏଁ ଅପେକ୍ଷା କରନ୍ତୁ ଓ ଗରମ ଗରମ କଦଳୀ ଚା ପିଅନ୍ତୁ। ତେବେ ଶୋଇବାର ଘଣ୍ଟେ ଆଗରୁ ଏହାକୁ ପିଇବା ଆବଶ୍ୟକ।

 

ବୋନସ ଟିପ୍: ଯଦି ଆପଣ ଗରମ ପାଣିରେ ସିଝିଥିବା କଦଳୀକୁ ନଷ୍ଟ କରିବାକୁ ଚାହୁଁ ନାହାନ୍ତି , ତେବେ ଏହାକୁ ଏକ ଜିପ ଲକ ବା ପବନ ଯାଇପାରୁନଥିବା ଜରି ପ୍ୟାକରେ ରଖି ଫ୍ରିଜରେ ରଖନ୍ତୁ । ସକାଳେ ଏହାକୁ  ଓଟମିଲ, କର୍ଣଫ୍ଲେକ୍ସ ବା ଚୁଡା,କ୍ଷୀର ସହିତ ଖାଇ ପାରିବେ ।  

 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon