କେରଳରେ ଓଣମ,ପୁରୀରେ ସୁନିଆଁ,ତାଇୱାନରେ ଭୂତ ପର୍ବ

Tuesday, September 5, 2017

 ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ହେଉଥିବା ପ୍ରଚାର ହେଉ ଅଥବା ପ୍ରବାସୀ ଓଡିଆ ଭାବେ ଦକ୍ଷିଣ ଭାରତରେ ରହୁଥିବା ଯୋଗୁଁ,  ଓଡିଆ ଲୋକମାନେ କେରଳ ରାଜ୍ୟର ଓଣମ ପର୍ବ ସହିତ ଊଣା ଅଧିକେ ପରିଚିତ । ଏହି ପର୍ବ ଓଡିଆ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଭାଦ୍ରବ ଶୁକ୍ଲପକ୍ଷ ଦ୍ଵାଦଶୀରେ ପଡିଥାଏ ଓ ଇଂରାଜୀ କ୍ୟାଲେଣ୍ଡର ହିସାବରେ ଭିନ୍ନ ଭିନ୍ନ ତାରିଖରେ ପଡିଥାଏ । ଚଳିତ ବର୍ଷ ଏହା ସେପ୍ଟେମ୍ବର 4 ତାରିଖ ରେ ପଡିଥିଲା । ହେଲେ ଏହି ଦିନ କେବଳ କେରଳୀ/ମାଲୟାଲୀ ଲୋକମାନେ ସେମାନଙ୍କ ପର୍ବ ପାଳି ନ ଥାନ୍ତି । ଓଡିଶାର ପୁରୀ ରାଜା ଉଆସ , ଶ୍ରୀମନ୍ଦିର ଓ ନେପାଳରେ ମଧ୍ୟ ଏହି ପର୍ବ ପାଳନ ହେଇଥାଏ , ଯଥାକ୍ରମେ ସୁନିଆଁ ଓ ଇନ୍ଦ୍ରଯାତ୍ରା ନାମରେ । ଆସନ୍ତୁ ଜାଣିବା ଅନ୍ୟ କେଉଁ କେଉଁ ସ୍ଥାନ/ଦେଶରେ ଏହି ପର୍ବ ପାଳନ ହୋଇଥାଏ ।

 

ଓଣମ

କେରଳୀ କିମ୍ବଦନ୍ତୀ ଓ ପୌରାଣିକ ଗାଥା ଅନୁସାରେ ବାମନ ଅବତାର ଉପରେ ଏହି ପର୍ବ ଆଧାରିତ । ବାମନ ଅବତାର ଭାବେ ନିଜ ପାଦରେ ବଳୀ ରାଜାଙ୍କୁ ପାତାଳକୁ ଚାପି ଦେବା ପରେ, ଭଗବାନ ତାଙ୍କୁ ବର ଦାନ ଦେଇ କହିଥିଲେ ଯେ ସେ ବର୍ଷକୁ ଥରେ ଭୂ-ପୃଷ୍ଠକୁ ଆସିପାରିବେ । ଓଣମ ହେଉଛି ବର୍ଷର ସେହିଦିନ , ଯେଉଁ ଦିନ ମାଲୟାଲୀ କ୍ୟାଲେଣ୍ଡର ହିସାବରେ ବଳୀ ରାଜା ପୃଥିବୀ ଉପରକୁ ଆସିଥାନ୍ତି । ଏହିଦିନ ଠାରୁ କେରଳୀ ନବବର୍ଷ ଆରମ୍ଭ ହୁଏ । ଏହା କେରଳର ସରକାରୀ ଛୁଟି ଦିବସ। ଚାରିଦିନ ବ୍ୟାପୀ ଏହି ପର୍ବରେ ପ୍ରସିଦ୍ଧ ନୌକା ଚାଳନା ପ୍ରତିଯୋଗୀତା , କଥକଲି ନାଚ ଓ ସୁସ୍ଵାଦୁ ଭୋଜନରେ କେରଳୀମାନେ ପର୍ବ ପାଳନ କରନ୍ତି । କିଛି କେରଳୀ ଲୋକକଥା ଅନୁସାରେ ଏହି ପର୍ବ ଖରିଫ ଫସଲ ଅମଳ ସମୟରେ ଭଗବାନଙ୍କୁ ଧନ୍ୟବାଦ ଦେବା ପାଇଁ ମଧ୍ୟ ପାଳନ କରାଯାଏ । କେରଳୀ ଖ୍ରୀଷ୍ଟିୟାନ ଓ ଅଳ୍ପ କିଛି ମୁସଲମାନ ମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି ।

 

ସୁନିଆଁ, ବାମନବେଶ

 ସୁନିଆଁ ଦିନ ଗଜପତି ରାଜାମାନଙ୍କର ମୁଦ୍ରା ପ୍ରଚଳନ କରାଯାଇଥାଏ । ଏହି ଦିନ ରାଜାଙ୍କର ନୂତନ ଅଙ୍କ ପ୍ରଚଳନ ବା ନୂତନ ସାଲ ଆରମ୍ଭ ହୋଇଥାଏ । ପ୍ରଜାମାନେ ରାଜାଙ୍କଠାରୁ ନେଇଥିବା ସମସ୍ତ କର ବା ଋଣ ପରିଶୋଧ କରିଥାଆନ୍ତି । ଏହା ବ୍ୟତୀତ ପୁରୀ ଶ୍ରୀମନ୍ଦିରରେ ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କର ବାମନ ଅବତାର ବେଶ ହେଇଥାଏ  ତଥା ଇନ୍ଦ୍ରଧ୍ଵଜ ପୂଜା ଅନୁଷ୍ଠିତ ହେଇଥାଏ ।

 

ଇନ୍ଦ୍ରଯାତ୍ରା (ନେପାଳ)

କିମ୍ବଦନ୍ତୀ ଅନୁସାରେ ଇନ୍ଦ୍ର ରାଜା ଭୂ-ପୃଷ୍ଠକୁ ପାରିଜାତ ପୁଷ୍ପ ନେବାକୁ ଆସିଥିଲେ ଓ କିଛି ଲୋକ ତାଙ୍କୁ ଚୋର ଭାବି ବାନ୍ଧି ପକାଇଥିଲେ । ପରେ ଇନ୍ଦ୍ରଙ୍କ ମା’ ଆସି ଖୋଜିବାରୁ ଲୋକମାନେ ନିଜ ଭୁଲ ବୁଝି ଛାଡି ଦେଇଥିଲେ ଓ ସେହି ଖୁସିରେ ଇନ୍ଦ୍ରଙ୍କ ମା' ଭଲ ଫସଲ  ହେବାର ବରଦାନ କାଠମାଣ୍ଡୁବାସୀଙ୍କୁ ଦେଇଥିଲେ । ସେଇଦିନ ଠାରୁ ନେପାଳ ରାଜଧାନୀ କାଠମାଣ୍ଡୁରେ ଏହି ପର୍ବ ରାଜରାସ୍ତାରେ ପାଳିତ ହେଇ ଆସୁଛି । ପ୍ରଥା ଅନୁସାରେ ଇନ୍ଦ୍ରଙ୍କ ବନ୍ଧା ହେଇଥିବା ହାତର ମୂର୍ତ୍ତି ଶୋଭାଯାତ୍ରାରେ ବାହାରିଥାଏ ।

 

ଭୁତ ପର୍ବ (ତାଇୱାନ)

 ଏହି ଦିନଟିକୁ ତାଇୱାନରେ ଭୁତ ପର୍ବ ହିସାବରେ ପାଳନ କରାଯାଏ। ବୌଦ୍ଧ ପରମ୍ପରା ଅନୁସାରେ ଏହିଦିନ ନର୍କର ଦ୍ଵାର ଖୋଲିଥାଏ । ଏହାର 15 ଦିନ ଆଗରୁ ଏହି ଦେଶର ଲୋକମାନେ ଠାକୁରପୂଜା ବନ୍ଦ କରିଥାନ୍ତି । ଏହି ଦିନ ପୂର୍ବ ପୁରୁଷଙ୍କ ଆତ୍ମା ଭୂ-ପୃଷ୍ଠକୁ ଆସୁଥିବା ମନେକରି ଶ୍ରାଦ୍ଧ ଦେବାଭଳି ପ୍ରଥା ମଧ୍ୟ ଦେଖାଯାଏ , ଯାହାକି ବଳୀରାଜା ପାତାଳରୁ ଭୂ-ପୃଷ୍ଠ ଆସିବା ପ୍ରଥା ସହିତ ତୁଳନୀୟ । ଏହି ସମାନ ପର୍ବ ଭିନ୍ନ ଭିନ୍ନ ନାମରେ ଜାପାନ, କୋରିଆ, କମ୍ବୋଡିଆ, ଭିଏତନାମ, ଇଣ୍ଡୋନେସିଆ ତଥା ମାଲେସିଆରେ ପାଳନ ହୁଏ । ପୂର୍ବ ଏସିଆର ଏହି ଦେଶ ଗୁଡିକରେ ଏହି ଦିନ ଲୋକମାନେ ଅନାବଶ୍ୟକ ଆସବାବଜିନିଷ ପତ୍ର ଓ ନକଲି ଟଙ୍କା ନୋଟ ମଧ୍ୟ ପୋଡିଥାନ୍ତି ।  ତେବେ ସେମାନେ ନିଜ ନିଜ ସ୍ଥାନୀୟ କ୍ୟାଲେଣ୍ଡର ହିସାବରେ ପାଳନ କରୁଥିବାରୁ ଭାରତୀୟ ପର୍ବ ଓଣମର ଦିନେ ପରେ ସେଠାରେ ଏହି ପର୍ବ ପାଳିତ ହେଇଥାଏ ।  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon