ରାଜଧାନୀରେ 2ଟି ସିଏନଜି ଆଉଟଲେଟ ଶୀଘ୍ର

Friday, September 22, 2017

ରାଜଧାନୀରେ ପେଟ୍ରୋଲ ପମ୍ପରେ ସିଏନଜି ବିକ୍ରି ହେବାର ଯୋଜନା ନେଇ ଗ୍ୟାସ ଅଥରୀଟି ଅଫ ଇଣ୍ଡିଆ (GAIL/ଗେଲ) ତରଫରୁ ଆଜି ଏଠାରେ ଶିଳାନ୍ୟାସ କରାଯାଇଛି । ରାଜଧାନୀରେ ଆଇଓସିଏଲ ଅଧିନସ୍ଥ ଦୁଇଟି ପେଟ୍ରୋଲ ପମ୍ପରେ ଏହି ଇନ୍ଧନ ବିକ୍ରି ହେବାର ଯୋଜନା ଅଛି । ତେବେ କେଉଁ ଦୁଇଟି ପେଟ୍ରୋଲ ପମ୍ପରେ ଏହା  ବିକ୍ରି ହେବ ଓ କେବେଠାରୁ ବିକ୍ରି ହେବ ସେ ବିଷୟରେ କିଛି କୁହାଯାଇନାହିଁ ।

 

ଭୁବନେଶ୍ୱରରେ ସମ୍ପ୍ରତି ଅଟୋ ଏଲପିଜି ଗ୍ୟାସ ରାଜଭବନ ଛକ ସ୍ଥିତ ପେଟ୍ରୋଲପମ୍ପ ଓ ସିଆରପି ଛକ ସ୍ଥିତ ଆଇଓସିଏଲ ପେଟ୍ରୋଲ ପମ୍ପରେ ବିକ୍ରି କରାଯାଉଛି ।  

 

ସିଏନଜି ଅଥବା କମ୍ପ୍ରେସଡ ନ୍ୟାଚୁରାଲ୍ ଗ୍ୟାସ୍ ଇନ୍ଧନ ପଦ୍ଧତିର ଅର୍ଥନୈତିକ ତଥା ପରିବେଶ ସମ୍ବନ୍ଧୀୟ ସୁବିଧା ସମ୍ପର୍କରେ ଅଟୋରିକ୍ସା ମାଲିକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଗେଲ୍ ପକ୍ଷରୁ ‘ସିଏନଜି- ସବୁଜ ପରିବେଶ ଦିଗରେ ଏକ ଭିଜନାରୀ ପଦକ୍ଷେପ’ ନାମକ ଏକ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ବହୁ ସଂଖ୍ୟାରେ ଅଟୋଚାଳକମାନେ ଅଂଶ ଗ୍ରହଣ କରି ସିଏନଜି ବିଷୟରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟକ୍ରମର ଅଂଶଭାବେ ଗେଲ୍ର ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଅଶୋକ କର୍ଣ୍ଣାଟକ ଭୁବନେଶ୍ୱରର ଦୁଇଟି ପେଟ୍ରୋଲ୍ ପମ୍ପରେ ସିଏନଜି ଆଉଟ୍ଲେଟର ଶିଳାନ୍ୟାସ କରିଥିଲେ ବୋଲି ଗେଲ ଏକ ବିବୃତିରେ କହିଛି ।

 

ସିଏନଜି ପେଟ୍ରୋଲ୍  ତୁଳନାରେ ୬୩.୬% ଶସ୍ତା  ହୋଇଥିବା ବେଳେ ଡିଜେଲ୍ ଠାରୁ ୬୪.୧୧% ଶସ୍ତା ଅଟେ ଯାହା ଫଳରେ ଜଣେ ଅଟୋଚାଳକ ଦୈନିକ ପ୍ରତି ୧୦୦ କିଲୋମିଟର ପିଛା ୧୫୦ ଟଙ୍କା ଅଧିକ ରୋଜଗାର କରିପାରିବ ।

 

ସିଏନଜିର ଫାଇଦା ସମ୍ପର୍କରେ ଗଣମାଧ୍ୟମକୁ ଗେଲର ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ଅଶୋକ କର୍ଣ୍ଣାଟକ କହିଥିଲେ, “ସିଏନଜି ଇନ୍ଧନ ପଦ୍ଧତି ଅପଣେଇବା ଦ୍ୱାରା ବିଭିନ୍ନ ପ୍ରକାରରେ ଉପକୃତ ହେବେ । ଏକ ବ୍ୟକ୍ତି ଅର୍ଥ ସଂଚୟ କରିପାରିବ, ପରିବେଶରୁ ପ୍ରଦୂଷଣ ମାତ୍ରା କମିବ ଏବଂ ପେଟ୍ରୋଲ୍ ଆମଦାନୀକୁ ମଧ୍ୟ ଏହା କମାଇବ”।  
 

ସିଏନଜିକୁ ପେଟ୍ରୋଲ୍, ଡିଜେଲ୍ ଓ ଏଲ୍ପିଜି ପରିବର୍ତେ ବ୍ୟବହାର କରାଯାଇ ପାରିବ । ବାୟୁ ଠାରୁ ହାଲକା ହୋଇଥିବାରୁ ଏହା ଲିକ୍ ହେବା ସମୟରେ ଖୁବ୍ ଶିଘ୍ର ବାଷ୍ପିଭୂତ ହୋଇଯାଏ । କାର୍ବନର ଓଜନ ଅନୁପାତ ହାଇଡ୍ରୋଜେନ୍ ଠାରୁ ଖୁବ୍ କମ୍ ହୋଇଥିବାରୁ ଏହା ଇନ୍ଧନକୁ ସମ୍ପୂର୍ଣ୍ଣରୂପେ ଜଳାଇଦିଏ ,ତେଣୁ ଏହା ଶୁଦ୍ଧତମ ।

 

୧୨,୪୯୦ କୋଟି ଟଙ୍କା ମୁଲ୍ୟ ବିଶିଷ୍ଟ ୨୫୪୦ କିଲୋମିଟର ଲମ୍ବା ଜଗଦିଶପୁର-ହଳଦୀଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ୍ ପାଇପ୍ଲାଇନ୍ ପ୍ରକଳ୍ପ ଦ୍ୱାରା ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା ଓ ପଶ୍ଚିମ ବଙ୍ଗ ଆଦି ୫ଟି ରାଜ୍ୟର ୪୦ଟି ଜିଲ୍ଲା ଏବଂ ୨୬୦୦ ଗ୍ରାମ ଉପକୃତ ହେବେ । ୨୦୧୮-୨୦୨୦ଶୁଦ୍ଧା ଏହି ପାଇପଲାଇନ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି ।

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon