ବେତାର ପ୍ରଶ୍ନୋତ୍ତର: ପିଆଜି, ଘୁଗୁନି ଓଡିଆ ଫାଷ୍ଟଫୁଡ

Saturday, November 4, 2017

 

ଭାରତୀୟ ଖାଇବା ଶୈଳୀର ବିଶେଷଜ୍ଞ ଭାବେ ଜବାହାରଲାଲ ବିଶ୍ଵ ବିଦ୍ୟାଳୟର ପୂର୍ବତନ ପ୍ରଫେସର ପୁଷ୍ପେଷ ପନ୍ଥ ଏକ ଜଣାଶୁଣା ନାମ । ଆନ୍ତର୍ଜାତୀୟ ସମ୍ବନ୍ଧ ଉପରେ ପାଠ ପଢଉଥିଲେ ମଧ୍ୟ ଦେଶ ତଥା ବିଦେଶର ଖାଇବାପିଇବା ଓ ରହଣି ସମ୍ପର୍କରେ ବେଶ ରୁଚି ନେଇଥାନ୍ତି ଓ ଗବେଷଣା ମଧ୍ୟ କରିଥାନ୍ତି । ଭାରତୀୟ ଖାଦ୍ୟ ଓ ଏହାର ଇତିହାସ ସମ୍ପର୍କରେ ଉପରେ ସେ ବିଭିନ୍ନ ସ୍ଥାନ ଭ୍ରମଣ କରି ଓ ଏହା ସମ୍ପର୍କରେ ତଥ୍ୟ ଆଧାର କରି ସେ ଏଯାବତ ତିନୋଟି ପୁସ୍ତକ ଲେଖି ସାରିଲେଣି , ଯାହା ସମୀକ୍ଷକ ମହଲରେ ଉଚ୍ଚ ପ୍ରଶଂସିତ ହେଇଛି । ଭୁବନେଶ୍ଵରରେ ଆୟୋଜିତ ହେଇଥିବା ଓଡିଶା ଲିଟେରାରି ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଥିବା ବେଳେ ବେତାର.ଇନ ସହ ସାକ୍ଷାତକାରରେ ସେ ଓଡିଶାର ଖାଦ୍ୟ ଇତିହାସ, ରସଗୋଲା ଓ ମହାପ୍ରସାଦ ସମ୍ପର୍କରେ ଅନେକ କଥା ଆଲୋଚନା କରିଥିଲେ । ସେହି ଆଳାପରୁ ଅଳ୍ପକିଛି ନିମ୍ନରେ ପ୍ରଦାନ କରାଗଲା ।

 

ପ୍ର : ଜଣେ ଭାରତୀୟ ଖାଦ୍ୟର ଇତିହାସକାର ହିସାବରେ ଆପଣଙ୍କୁ ପ୍ରଥମ ପ୍ରଶ୍ନ ରହିବ ରସଗୋଲା କାହାର ? ଓଡିଶାର ନା ବଙ୍ଗଳାର ?

 

ଉତ୍ତର :  ମୋତେ ଲାଗୁଛି ଏ ପ୍ରଶ୍ନର ଉତ୍ତର ମିଳିସାରିଛି । ମୁଁ ଓଡିଆ ବା ବଙ୍ଗାଳୀ ନୁହେଁ । କିନ୍ତୁ ମୁଁ ଏକଥା ସ୍ଵୀକାର କରୁଛି ଯେ ରସଗୋଲା ଓଡିଶାର । ଏକଥା ଇତିହାସରୁ ପ୍ରମାଣିତ ହେଇସାରିଛି ଯେ ପ୍ରାୟ ଛଅ ଶହ ବର୍ଷ ତଳେ ଓଡିଶାରେ ରସଗୋଲା ତିଆରି ପଦ୍ଧତି ବିକଶିତ ହେଇଥିଲା । ତେଣୁ ସେ ବିଷୟରେ ଅଧିକ ଚର୍ଚ୍ଚାର ଆବଶ୍ୟକତା ନାହିଁ । ଓଡିଆ ଲୋକମାନେ ଗର୍ବର ସହିତ କହିବା କଥା ରସଗୋଲା ଓଡିଶାର ।

 

ପ୍ର : ପ୍ରଶ୍ନ ଉଠାଇବାର କାରଣ ହେଲା କିଛି ବଙ୍ଗୀୟ ଲେଖକ ବାରମ୍ବାର ଏକଥା ଲେଖୁଛନ୍ତି ଯେ, ଛେନା ବା ଚିଜ୍ ତିଆରି  କରିବାର କୌଶଳ ପର୍ତ୍ତୁଗୀଜ ମାନେ ପ୍ରଥମକରି ଭାରତକୁ ଆଣିଥିଲେ ଏବଂ ସେଥିପାଇଁ ଏହା ଭାରତର ନୁହେଁ । ଏହାଛଡା ଭାରତରେ କ୍ଷୀରକୁ ଛେନା ଛିଡଉନଥିଲେ କାରଣ ଏହାକୁ ଭୋଗ ହିସାବରେ ଲଗା ଯାଉନଥିଲା ।   

 

ଉତ୍ତର: ବାଜେ କଥା । ଭାରତ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ହେଇ ଥିବାରୁ କ୍ଷୀର ଯଦି କିଛି ସମୟ ବାହାରେ ରୁହେ ଆପେ ଦହି ହେଇଯାଏ । ସେହିପରି ଲେମ୍ବୁ ପକେଇ ରାନ୍ଧିଲେ ବା କିଛି ବିଶେଷ ପାତ୍ରରେ ରାନ୍ଧିଲେ କ୍ଷୀରରୁ ଛେନା ଅଲଗା ହେଇଥାଏ । ସେଥିପାଇଁ ମୁଁ ଏହା ମାନିବାକୁ ପ୍ରସ୍ତୁତ ନୁହେଁ ଯେ, ଛେନା ତିଆରି କୌଶଳ ବିଦେଶରୁ ଆସିଛି । ଅନ୍ୟାନ୍ୟ ଚିଜ୍ ବିଦେଶରୁ ଆସିପାରିଥାଏ, ଛେନା ନୁହେଁ ।

 

ଆଉ ଗୋଟିଏ କଥା ହେଲା ଯଦିଓ ଧରିନେବା ପର୍ତ୍ତୁଗୀଜ ମାନେ ଛେନା ତିଆରି କୌଶଳ ଭାରତକୁ ଆଣିଥିଲେ , ତେବେ ଆପଣ ସେଥିରେ କେଉଁ ଖାଦ୍ୟ ପ୍ରସ୍ତୁତ କଲେ ତାହା ଆପଣଙ୍କ କୃତିତ୍ଵ । (ଅଳ୍ପ ହସି) ପର୍ତ୍ତୁଗୀଜମାନେ ତ ଆଳୁ ବି ତାଙ୍କ ସହିତ ଆଣିଥିଲେ, ତେବେ ସେହି ହିସାବରେ ‘ଆଲୁଦମ’ ବଙ୍ଗଳାର ନୁହେଁ ।

 

ପ୍ର : ପ୍ରାୟ ଏକ ହଜାରରୁ ଅଧିକ ବର୍ଷ ଧରି ଭାରତକୁ ବିଭିନ୍ନ ବିଦେଶୀ ଶକ୍ତିମାନେ ଆକ୍ରମଣ କରିଥିବାରୁ ଭାରତୀୟ ଖାଦ୍ୟର ପ୍ରାଚୀନ ପରମ୍ପରା ଆଉ ନାହିଁ କହିଲେ ଚଳେ । ଆମ ଖାଦ୍ୟରେ ଟମୋଟୋ, ଆଳୁ ଓ ଲଙ୍କାର ଏପରି ବ୍ୟବହାର ରହିଛି ଯେ, ବେଳେ ବେଳେ ଲାଗେ ବିଦେଶୀମାନେ ଆସି ନ ଥିଲେ ଆମମାନେ କଣ ଖାଉଥାନ୍ତେ ଓ ଆଜିର ଜଣେ ବ୍ୟକ୍ତି କଣ ଏକ ହଜାର ବର୍ଷ ତଳର ଖାଦ୍ୟ ଖାଇଲେ ତାକୁ ସେହିପରି ସ୍ଵାଦ ଲାଗିବ ?

 

ଉତ୍ତର: ନିଶ୍ଚିତ ଭଲ ସ୍ଵାଦ ଲାଗିବ । ଆଳୁ ନ ଥିଲେ ଆମ ପାଖେ ଦେଶୀଆଳୁ , ସାରୁ, କନ୍ଦମୂଳ ଇତ୍ୟାଦି ଥିଲା । ସେହିପରି ଟମାଟୋ ବଦଳରେ ଲେମ୍ବୁ, ତେନ୍ତୁଳୀ ଥିଲା , ଓଡିଶାରେ ଓଉ ବି ଥିଲା । ଲଙ୍କା ବଦଳରେ ଗୋଲମରୀଚ ଥିଲା । ଏହାଛଡା ଆପଣ ପ୍ରାଚୀନ ଖାଦ୍ୟ ଖାଇବାକୁ ଯଦି ଇଚ୍ଛୁକ ତେବେ ଜଗନ୍ନାଥଙ୍କ ମହାପ୍ରସାଦ ଖାଆନ୍ତୁ । ଏଥିରେ ବିଗତ କେଇ ଶହ ବର୍ଷ ଧରି କିଛି ପରିବର୍ତ୍ତନ ହେଇ ନାହିଁ ଓ ଏହାହିଁ ଭାରତର ପ୍ରାଚୀନ ଖାଦ୍ୟ । କାରଣ ଏହି ପ୍ରସାଦରେ ବିଦେଶୀ ପରିବା ବା ବିଦେଶୀ ରନ୍ଧନ ଶୈଳୀ ନ ଥାଏ ।

 

ପ୍ର :ମହାପ୍ରସାଦ ତ ଜଣେ ସବୁବେଳେ ଖାଇ ପାରିବ ନାହିଁ । ତେଣୁ ବିଦେଶୀ ପରିବାକୁ ବାଦ ଦେଇ ଆଉ କଣ କଣ ପ୍ରାଚୀନ ଖାଦ୍ୟ ଥିଲା ଭାରତରେ ?

 

ଉତ୍ତର: ଶାଗ । ଭାରତରେ ପ୍ରାୟ 25 ପ୍ରକାର ଶାଗ ଅଛି । ତେବେ ଉତ୍ତର ଭାରତରେ ପାଳଙ୍ଗର ବେଶୀ ପ୍ରଚଳନ ଅଛି ଓ ଗ୍ରାମୀଣ ଅଞ୍ଚଳରେ କିଛି ଲୋକ ମେଥି ଶାଗ, ପୋଇ ମଧ୍ୟ ଖାଇ ଥାନ୍ତି । ତେବେ ଓଡିଶାରେ ଅନେକ କିସମର ଶାଗ ରହିଛି ଓ ଆପଣଙ୍କ ପଡୋଶୀ ରାଜ୍ୟମାଙ୍କରେ ମଧ୍ୟ ଅନେକ ପ୍ରକାର ଶାଗ ଅଛି । ପଞ୍ଜାବରେ ଗାଁ  ଲୋକମାନେ ଆଜି ବି ସୋରିଷ ଶାଗ ଖାଆନ୍ତି ।

 

ପ୍ର :କୁହାଯାଏ କୌଣସି ସ୍ଥାନର ଖାଦ୍ୟ ଏହାର ଅଧିବାସୀଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସମ୍ପର୍କରେ ସୁଚାଇ ଥାଏ । ଓଡିଶାର ଖାଦ୍ୟ ବିଷୟରେ ଆପଣଙ୍କ ମତ କଣ ? ଓଡିଶା ବିଷୟରେ ଏହା କଣ କୁହେ ?

 

ଉତ୍ତର: ଓଡିଶା ଏବେବି ଏକ ଗରିବ ରାଜ୍ୟ ଓ ଏଠାକାର ଲୋକମାନେ ସରଳ ଖାଦ୍ୟ ଖାଇଥାନ୍ତି । ତେବେ ଏଠାକାର ଗୋଟିଏ କଥା ମୋତେ ଆକୃଷ୍ଟ କରିଥାଏ, ତାହା ହେଲା ସରଳ ହେଲେ ମଧ୍ୟ ଏଠାରେ ଖାଦ୍ୟର ଅନେକ କିସମ ରହିଛି ଯେମିତିକି ଡାଲମା, ଚକୁଳି ପିଠା ବା କାନିକା ମିଠା ।  ଏଠାକାର ଖାଦ୍ୟ ଋତୁକାଳୀନ ହେଇଥିବାରୁ ଏବଂ ଓଡିଆ ଖାଦ୍ୟରେ ଅନ୍ୟାନ୍ୟ ଭାରତୀୟ ଖାଦ୍ୟ ପରି ଟମାଟୋର ବ୍ୟବହାର ସେତେଟା ନ ଥିବାରୁ ଏହାର ଏକ ସ୍ଵତନ୍ତ୍ରତା ରହିଛି ।

 

ପ୍ର : ତାହେଲେ ଆଜିର ଫାଷ୍ଟଫୁଡ ଯୁଗରେ କଣ ଓଡିଆ ଖାଦ୍ୟ ରୋଲ, ଚାଉମିନ ସହିତ ପ୍ରତିଯୋଗୀତା କରିପାରିବ ?

 

ଉତ୍ତର: ନିଶ୍ଚୟ । ଯଦି ବମ୍ବେର ବଡାପାଓ ହେଇପାରିଲା ତେବେ ଓଡିଶାର ପିଆଜି, ଘୁଗୁନି କାହିଁକି ନୁହେଁ । ଏହା ହିଁ ଓଡିଆ ଫାଷ୍ଟଫୁଡ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon