ସୁନା ସ୍ମଗଲିଙ୍ଗର ପ୍ରୟୋଗଶାଳା : ଭୁବନେଶ୍ଵର ବିମାନବନ୍ଦର

Monday, June 25, 2018

ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନବନ୍ଦର ଦେଇ ବିଦେଶରୁ ଚୋରା ସୁନା ଚାଲାଣ କମିବାରେ ନାଁ ନେଉନାହିଁ । ନିୟମିତ ଭାବରେ ଗୋଟିଏ ପରେ ଗୋଟିଏ ସୁନା ଚାଲାଣ ଘଟଣା ପଦାକୁ ଆସୁଛି।

 

ରବିବାର କଷ୍ଟମ ବିଭାଗ ତରଫରୁ ପୁଣି ଦୁଇଜଣ ଯାତ୍ରୀଙ୍କ ଠାରୁ ୧କିଗ୍ରା ସୁନା ଜବତ କରାଯାଇଛି। ଯେଉଁଥିରେକି ୨ଟି ସୁନା ଚେନ ସହ ଗୋଟିଏ ବ୍ରେସଲେଟ ରହିଛି। ଯାହାର ବର୍ତ୍ତମାନ ଆନୁମାନିକ ମୂଲ୍ୟ ୩୧ଲକ୍ଷ ୫୪ହଜାର ୬୨୦ ଟଙ୍କା ହେବାନେଇ କଷ୍ଟମ ବିଭାଗ ତରଫରୁ ଆକଳନ କରାଯାଇଛି।

 

କଷ୍ଟମ ବିଭାଗର ଆସିଷ୍ଟାଣ୍ଟ କମିଶନର ଶଶିଭୂଷଣଙ୍କ ରିପୋର୍ଟ ଅନୁଯାୟୀ ଧରାପଡିଥିବା ଦୁଇ ଯାତ୍ରୀଙ୍କ ମଧ୍ୟରୁ ଜଣେ ନୂଆଦିଲ୍ଲୀର ହୋଇଥିବାବେଳେ ଅନ୍ୟଜଣେ ଜଗତସିଂପୁର ଜିଲ୍ଲାର। ସେମାନେ ଯଥାକ୍ରମେ ବ୍ୟାଙ୍କକ ଓ ଦୁବାଇରୁ ସୁନା ବିମାନ ଯୋଗେ ଚାଲାଣ କରି କଟକ ଏବଂ ଜଗତସିଂପୁରକୁ ନେଉଥିବା ତଦନ୍ତବେଳେ ଜଣାପଡିଛି। ପୂର୍ବରୁ ସୁନା ଚାଲାଣର ଖବର ପାଇ କଷ୍ଟମ ବିଭାଗ ଏହି ଦୁଇ ଅପରାଧୀଙ୍କୁ ଯାଞ୍ଚ କରିଥିଲା ଏବଂ  ଯାଞ୍ଚ ସମୟରେସେମାନଙ୍କ ଠାରୁ ସୁନା ଜବତ କରିଥିଲା।

 

କଷ୍ଟମ ବିଭାଗର ରିପୋର୍ଟ ଅନୁଯାୟୀ ସୁନାଚାଲାଣରେ ସାମିଲଥିବା ଅପରାଧୀମାନେ ଅଧିକାଂଶ ବିଦେଶୀ ହୋଇଥିବା ବେଳେ ସେମାନେ ଓଡିଶା ବାହାରେ ତଥା ଚେନ୍ନାଇରେ ଚାଲାଣ ସୁନାର କଳା ବ୍ୟବସାୟ କରୁଛନ୍ତି। ଏଥିସହ ଭୁବନେଶ୍ଵର ବିମାନବନ୍ଦର ତୁଳନାରେ ଅନ୍ୟ ବିମାନ ବନ୍ଦରରେ ସୁରକ୍ଷା ବିଭାଗ ବହୁ କଡାକଡି ରହିବା ସହ ମାଲେସିଆ,ଦୁବାଇ ଓ ବ୍ୟାଙ୍କକ ପରି ସ୍ଥାନରୁ ଭୁବନେଶ୍ଵରକୁ ବିମାନଭଡା କମ ରହୁଛି। ତେଣୁ ଅପରାଧୀମାନେ ଚୋରା ଚାଲାଣ ନିମନ୍ତେ ଭୁବନେଶ୍ଵର ବିମାନବନ୍ଦରକୁ ଶ୍ରେୟ ମଣୁଛନ୍ତି। ଭୁବନେଶ୍ୱରରେ ସଫଳତାର ସହ ପହଞ୍ଚିବା ପରେ ସେମାନେ ଟ୍ରେନ, ବସ ଅଥବା କାର ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି । 

ଗତ ଜୁନ ୧୪ତାରିଖରେ ଏୟାରଇଣ୍ଡିଆ ଯୋଗେ ମାଲେସିଆରୁ ଭୁବନେଶ୍ଵର ଆସୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ପୂର୍ବରୁସୁଚିତ କଷ୍ଟମ ବିଭାଗ ୩୫୬ଗ୍ରାମ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୧ଲକ୍ଷ ୩୮ହଜାର ଟଙ୍କା ବୋଲି ଆକଳନ କରାଯାଇଛି। ଯାତ୍ରୀ ଜଣକ ଅଭିନବ ଉପାୟରେ ଏହି ସୁନା ସବୁକୁ ଚାଲାଣ କରୁଥିଲେ। ଯାତ୍ରୀ ଜଣକ ନିଜ ମଳ ଦ୍ଵାରରେ ୨ଟି କଳା ରଙ୍ଗର କ୍ୟାପସୁଲରେ ଏହି ସୁନା ଆଣିଥିଲେ। କ୍ୟାପସୁଲମଧ୍ୟରେ କିଛି ମଟିଆରଙ୍ଗର ଅର୍ଦ୍ଧତରଳ ପଦାର୍ଥ ମଧ୍ୟରେ ୫ଖଣ୍ଡ ସୁନା ଚାଲାଣ କରୁଥିବାନେଇ କଷ୍ଟମ ବିଭାଗ ସୂଚନା ଦେଇଛି।

 

ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ ଏପରି ବହୁତ ଘଟଣା ଘଟିଯାଇଛି। ପୂର୍ବରୁ ଗତ ୧୪ ତାରିଖ,୧୬ ତାରିଖ,୨୧ ତାରିଖରେ ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କା ର ସୁନା ଜବତ ହୋଇଛି। ରବିବାରର ଘଟଣାକୁ ମିଶାଇ ମୋଟ ୪ଥରରେ ୨କିଗ୍ରା ଓଜନର ସୁନା ଜବତ କରାଯାଇଥିବା ବେଳେ ଗତ ୩ମାସ ମଧ୍ୟରେ ବିମାନ ବନ୍ଦରରୁ ମୋଟ ୨୧ଥରରେ ୨୦କିଗ୍ରା ସୁନା ଜବତ କରାଯାଇଥିବା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon