ନିଆରା ବାହାଘର : ଯୌତୁକରେ ନେଲେ ଚାରାଗଛ

Tuesday, June 26, 2018

ବର୍ତ୍ତମାନ ସମୟରେ ଯୌତୁକ ପାଇଁ ବହୁ ସଂଖ୍ୟାରେ ବଧୁ ନିର୍ଯ୍ୟାତନା ଓ ବଧୁହତ୍ୟା ଦେଖିବାକୁ ମିଳୁଥିବା ବେଳେ  ଓଡିଶାର କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର।ରୋଷଣୀ, ଉଚ୍ଚ ଧ୍ୱନି ସମ୍ପନ୍ନ ଡିଜେ ଓ ସୁସଜ୍ଜିତ ଗାଡି ବିନା ଅଢେଇ କିଲୋମିଟର ପାଦରେ ଚାଲି ଚାଲି ଯାଇଛନ୍ତି ବିବାହ କରିବା ପାଇଁ। ସବୁଠାରୁ ବଡ କଥା ହେଉଛି ବାହାଘର ପାଇଁ କୌଣସି ଯୌତୁକ ନନେଇ ବଦଳରେ 1001 ଫଳ ଗଛର ଚାରା ନେଇଛନ୍ତି।  

 

ଏହିପରି ନିଆରା ବିବାହ କରିଥିବା ଯୁବକ ଜଣକ ହେଉଛନ୍ତି ସରୋଜ କାନ୍ତ ବିଶ୍ଵାଳ। ସେ ଜଣେ ବିଜ୍ଞାନ ଶିକ୍ଷକ। ପିଲାଟି ଦିନରୁ ସେ ବହୁତ ପ୍ରକୃତି ପ୍ରିୟ ଓ ଯୌତୁକ ପ୍ରଥାକୁ ସେ ବହୁତ ଘୃଣା କରନ୍ତି। ସେଥିପାଇଁ ସେ ବିନା ଯୌତୁକରେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

 

ନିର୍ବନ୍ଧ ଠିକ ହେବା ସମୟରେ ସରୋଜ କନ୍ୟାପକ୍ଷଙ୍କୁ ଯୌତୁକ ନେବେ ନାହିଁ ବୋଲି ମନା କରିଦେଇଥିଲେ। ହେଲେ କନ୍ୟାପକ୍ଷ କହିଥିଲେ ଯେ କିଛି ତ ଦେବାକୁ ପଡିବ। ସେହି ସମୟରେ ସରୋଜ 1001 ଫଳ ଗଛର ଚାରା ମାଗିଥିଲେ।

 

ପରିବେଶ ସଚେତନ 

ଯୌତୁକ ପ୍ରଥା ଏବଂ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରୋଜ ଏପରି ଏକ ପ୍ରୟାସ କରିଛନ୍ତି। ଭୋଜି ସମୟରେ ପରିବେଶ ପ୍ରଦୂଷଣ ହେବ ବୋଲି ଭୋଜିରେ ପଲିଥିନର ବ୍ୟବହର ମଧ୍ୟ କରିନଥିଲେ। ଶବ୍ଦ ପ୍ରଦୂଷଣ ଓ ବାୟୁ ପ୍ରଦୂଷଣ ନହେବା ପାଇଁ ବାହାଘରରେ କୌଣସି ବାଣ ଫୁଟା ଯାଇନଥିଲା କି ଗାଡି ମଧ୍ୟ ଯାଇନଥିଲା। କେବଳ ଶଙ୍ଖ ଓ ମହୁରୀ ବଜାଇ କନ୍ୟା ଘରକୁ ଅଢେଇ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯାଇଥିଲେ।

 

କନ୍ୟା ରଶ୍ମିରେଖା ପାଇଟାଳ ମଧ୍ୟ ଜଣେ ସ୍କୁଲ ଶିକ୍ଷକ ଓ ବରପକ୍ଷଙ୍କର ଯୌତୁକ ନନେବା ଏବଂ ଗଛର ଚାରା ନେବା ନିଷ୍ପତ୍ତିରେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି ସରୋଜ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon