ବନ୍ଦ ହେବାକୁ ଯାଉଛି ଭାରତୀୟ ବଜାରରେ ନାନୋ କାର

Thursday, July 5, 2018

ଭାରତୀୟ ବଜାରରେ ଟାଟା ମୋଟର୍ସ ଦ୍ଵାରା ନିର୍ମିତ ନାନୋ କାରର ଯାତ୍ରା ଶେଷ ହେବାନେଇ ଆଶଙ୍କା ଉପୁଜିଛି। କାରଣ ଜୁନ ମାସରେ କମ୍ପାନି ଦ୍ଵାରା ଦେଶରେ ସର୍ବମୋଟ ତିନୋଟି ନାନୋ ବିକ୍ରି କରିଥିବାବେଳେ ଗୋଟିଏ ମାତ୍ର କାର ଉତ୍ପାଦନ କରାଯାଇଛି । ତେବେ କୌଣସି ପ୍ରକାର ରପ୍ତାନି ଆଦୌ ହୋଇ ନ ଥିବା ମଧ୍ୟ ସୂଚନା ମିଳିଛି। ତେଣୁ ମିଳିଥିବା ଉପରୋକ୍ତ ସମସ୍ତ ଖବରରୁ ନାନୋ ବନ୍ଦ ହୋଇଯିବା ନେଇ ଚର୍ଚ୍ଚା ଜୋର ଧରିଛି।

 

ବାଇକ ଆରୋହୀମାନଙ୍କୁ ଶସ୍ତାରେ କାର ଯୋଗାଇଦେବାର ସ୍ଵପ୍ନକୁ ପୁରା କରିବା ପାଇଁ ଟାଟା ମୋଟର୍ସ ଗ୍ରହକଙ୍କୁ ଭେଟିଦେଇଥିଲା ନାନୋ କାର। ଯାହାର ପ୍ରାରମ୍ଭ ମୂଲ୍ୟ ୧ ଲକ୍ଷ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା କ୍ରମାଗତ ଭାବେ ବୃଦ୍ଧି ପାଇ ୨.୨୫ ଲକ୍ଷ ଟଙ୍କାରୁ  ୩.୨୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ମୂଲ୍ୟରେ ବୃଦ୍ଧିସହ କାରର ଚାହିଦା ଏବଂ ବିକ୍ରିରେ କ୍ରମାଗତ ହ୍ରାସ ପାଇବାରେ ଲାଗିଛି।

 

ଦେଶରେ ଟାଟାର ଅଧିକାଂଶ ଡିଲରଙ୍କ ନିକଟରେ ଏହି କାର ଏବେ ଦେଖିବାକୁ ମିଳୁନାହିଁ। ତା ସହ ଅଧିକାଂଶ ଡିଲର୍ସ ଗତ ତିନି ଚାରି ମାସ ମଧ୍ୟରେ ନାନୋ କାରର ଅର୍ଡର ନେବା ମଧ୍ୟ ବନ୍ଦ କରି ଦେଇଥିବା ନେଇ ସୂଚନା ମିଳିଛି ।

 

ଷ୍ଟକ ମାର୍କେଟକୁ  ମିଳିଥିବା ସୂଚନା ଅନୁଯାୟୀ ,ଟାଟା ମୋଟର୍ସ ଦ୍ଵାରା ଚଳିତବର୍ଷ ଜୁନ୍‌ ମାସରେ ନାନୋର ରପ୍ତାନି ଆଦୌ ହୋଇ ନ ଥିବା ବେଳେ ଗତବର୍ଷ ଜୁନ୍‌ରେ ନାନୋର ରପ୍ତାନି ୨୫ ୟୁନିଟ ରହିଥିବା ନେଇ କୁହାଯାଇଛି ।

ସେହିଭଳି ଗତବର୍ଷ ଜୁନ୍‌ରେ କମ୍ପାନି ଦ୍ଵାରା ଦେଶରେ ୧୬୭ଟି ନାନୋ ବିକ୍ରି କରିଥିବାବେଳେ ଚଳିତବର୍ଷ ଜୁନ୍‌ରେ ଏହା ବହୁଳ ମାତ୍ରାରେ ହ୍ରାସ ପାଇ କେବଳ ୩ ୟୁନିଟ୍‌ ପର୍ଯ୍ୟନ୍ତ ଖସିଆସିଛି।

 

ସେହିଭଳି ନାନୋର ଉତ୍ପାଦନ ସଂଖ୍ୟା ଦେଖିବାକୁ ଗଲେ ଗତବର୍ଷ ଜୁନ୍‌ରେ କମ୍ପାନି ଦ୍ଵାରା ୨୭୫ଟି ନାନୋ ଉତ୍ପାଦନ ହେଇଥିବା ବେଳେ ଚଳିତବର୍ଷ ଜୁନ୍‌ରେ ଗୋଟିଏ ମାତ୍ର ନାନୋ ଉତ୍ପାଦନ ହୋଇଛି।

 

୨୦୦୮ ଜାନୁଆରିରେ ଦିଲ୍ଲୀ ଅଟୋ ଏକ୍ସପୋରେ ଏହି କାରର ପ୍ରଦର୍ଶନ କରାଯାଇଥିଲା। ତେବେ ଆରମ୍ଭରୁହିଁ ଏହି କାର ନିର୍ମାଣକୁ ନେଇ କମ୍ପାନି ଅନେକ ଉତ୍‌ଥାନ ପତନ ଦେଇ ଗତି କରିଥିବା ରେକଡ ରହିଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon