ଏସିଆ କପ ଦଳ ଚୟନକୁ ନେଇ ପ୍ରଶ୍ନ କଲେ ହରଭଜନ

Thursday, September 6, 2018

(ବେତାର ବ୍ୟୁରୋ) ଏସିଆ କପ 2018 ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଅଛି। ତେବେ ଭାରତୀୟ ଦଳରେ କର୍ଣ୍ଣାଟକର ଷ୍ଟାଇଲିସ ଖେଳାଳୀ ମୟଙ୍କ ଅଗ୍ରୱାଲଙ୍କୁ ସାମିଲ ନ କରାଯିବାରୁ ହରଭଜନ ସିଂ ଚୟନକର୍ତ୍ତାଙ୍କୁ ପ୍ରଶ୍ନ କରିଛନ୍ତି।

 

ବୁଧବାର ହରଭଜନ ସିଂ ଟ୍ଵିଟ କରି ଚୟନକର୍ତ୍ତାଙ୍କୁ ଏନେଇ ପ୍ରଶ୍ନ କରିବା ସହିତ ଚୟନ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ଵିଟ କରି ଲେଖିଛନ୍ତି ଯେ, “ମୟଙ୍କ ଅଗ୍ରୱାଲ କାହାନ୍ତି? ଏତେ ଅଧିକ ରନ କରିବା ପରେ ମଧ୍ୟ ତାଙ୍କୁ ଦଳରେ ଦେଖିବାକୁ ପାଉନି। ମତେ ଲାଗୁଛି ପ୍ରତ୍ୟେକ ଖେଳାଳୀଙ୍କ ପାଇଁ ଚୟନ ନୀତି ଅଲଗା ଅଲଗା ଅଟେ।“ ଏହା ସହିତ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ଏସିଆ କପ ପାଇଁ ଚୟନ ହୋଇଥିବା ଖେଳାଳୀଙ୍କ ନାମ ରହିଛି।

ଗତ ରଣଜୀ ଟ୍ରଫି ସିଜିନରେ ମୟଙ୍କ ଅଗ୍ରୱାଲଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିଲା। ସେ ଏହି ସିରିଜରେ ସବୁଠାରୁ ଅଧିକ ରନ ମଧ୍ୟ ସଂଗ୍ରହ କରିଥିଲେ। ମୟଙ୍କ ମୋଟ 13ଟି ଇନିଙ୍ଗ୍ସରେ 1160 ରନ କରିଥିଲେ।

 

ଏହାବ୍ୟତୀତ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଆଠଟି ଇନିଙ୍ଗ୍ସରେ 723 ରନ କରିଥିଲେ। 2017-18 ସିଜିନରେ ସେ ମୋଟ 2000 ରନ ସଂଗ୍ରହ କରିଛନ୍ତି, କିନ୍ତୁ ଚୟନକର୍ତ୍ତା ମାନେ ଏତେ ଭଲ ପ୍ରଦର୍ଶନ ପରେ ମଧ୍ୟ ତାଙ୍କ ଉପରେ ଭରସା ଦେଖାଇ ନାହାନ୍ତି।

 

ଇଣ୍ଡିଆନ ପ୍ରିମିୟର ଲିଗରେ ମୟଙ୍କ ଭଲ ପ୍ରଦର୍ଶନ କରିପାରି ନ ଥିଲେ କିନ୍ତୁ ଇଂଲଣ୍ଡରେ ଭାରତ-A ପାଇଁ ତିନୋଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ କରିପାରିଥିଲେ। ସାଉଥ ଆଫ୍ରିକା-A ବିରୁଦ୍ଧରେ ମଧ୍ୟ ସେ ଦ୍ଵିଶତକ ହାସଲ କରିଥିଲେ।

 

ଏହି ଏସିଆ କପ ପାଇଁ ବିରାଟ କୋହଲିଙ୍କୁ ଆରାମ ଦିଆଯାଇଥିବା ବେଳେ ଦଳର ଅଧିନାୟକ ଭାର ରୋହିତ ଶର୍ମାଙ୍କୁ ଦିଆଯାଇଛି ଓ ଶିଖର ଧାବନ ଉପଅଧିନାୟକ ରହିବେ। ଏହା ସହିତ ଅମ୍ବତି ରାୟଡୂ ଓ କେଦାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି।

 

ଏସିଆ କପ 2018 ସେପ୍ଟେମ୍ବର ମାସ 15 ତାରିଖରୁ ୟୁଏଇ (UAE)ରେ ଆରମ୍ଭ ହେବ। ଭାରତ ଏହାର ପ୍ରଥମ ମ୍ୟାଚ ସେପ୍ଟେମ୍ବର 18 ତାରିଖରେ ଦୁବାଇରେ ଖେଳିବ ଓ ସେପ୍ଟେମ୍ବର 19 ତାରିଖରେ ପାକିସ୍ଥାନ ବିପକ୍ଷରେ ମ୍ୟାଚ ଖେଳିବ। 

 

ଏସିଆ କପରେ ଭାରତର ପ୍ରଥମ ମ୍ୟାଚ କ୍ଵାଲିଫାଇଙ୍ଗ ଟିମ ସହିତ  ଖେଳିବ , ହେଲେ ଏ ପର୍ଯ୍ୟନ୍ତ କେଉଁ ଦଳ ଭରତ ବିପକ୍ଷରେ ଖେଳିବ ତାହା ସ୍ଥିର ହେଇ ନାହିଁ । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon