କାହିଁକି ହେଲା ସାରିଡନ ଔଷଧ ନିଷେଧ ? ଜାଣନ୍ତୁ

Thursday, September 13, 2018

(ବେତାର ବ୍ୟୁରୋ) ଔଷଧ ଦୋକାନରେ ସହଜରେ ମିଳିଯାଉଥିବା ଯନ୍ତ୍ରଣା ଉପଶମକାରୀ ଔଷଧ (ପେନ କିଲର) ଓ କାଶ ପାଇଁ ଦିଆଯାଉଥିବା ସିରପ ଆଗକୁ ଆଉ ବଜାରରେ ମିଳିବ ନାହିଁ। କେନ୍ଦ୍ର ସରକାର ଏପରି 328ଟି ଔଷଧର ବିକ୍ରିକୁ ଗୁରୁବାର ନିଷେଧ କରିଛନ୍ତି। ଏହାମଧ୍ୟରେ ଏପରି ଅନେକ ଔଷଧ ରହିଛି ଯାହାକି ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଦୋକାନରେ ମିଳିଯାଇଥାଏ।

 

ସାଧାରଣ ଭାବରେ ଥଣ୍ଡା, ମୁଣ୍ଡବିନ୍ଧା ଓ ଜ୍ଵର ପାଇଁ ବ୍ୟବହାର କରାଯାଉଥିବା ସାରିଡନ ଓ ଜିଣ୍ଟେପ ପରି ମିଶ୍ରିତ ଔଷଧକୁ କେନ୍ଦ୍ର ସରକାରଙ୍କ ତରଫରୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଏହି ସବୁ ମିଶ୍ରିତ ଔଷଧରେ ଏକାଧିକ ଔଷଧୀୟ ଗୁଣ ମିଶି କରି ରହିଥାଏ। ଡ୍ରଗ ଟେକ୍ନୋଲୋଜି ଏଡଭାଇଜରି ବୋର୍ଡ (DTAB)ର ପରାମର୍ଶ ଅନୁଯାୟୀ ଏହି ସବୁ ଔଷଧ ରୋଗୀଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ।

 

କିଛି ଡାକ୍ତରଙ୍କ ମତରେ ମିଶ୍ରିତ ଔଷଧରେ ଏକରୁ ଅଧିକ ଔଷଧ ମିଶିକରି ରହୁଥିବାରୁ ଏହା ଏକ ନୂତନ ଔଷଧ ଅଟେ, ତେଣୁ ଏହାକୁ ବିକ୍ରି କରିବା ପାଇଁ ଔଷଧ ବିତରକ ମାନଙ୍କୁ ନୂତନ ଭାବରେ ଲାଇସେନ୍ସ ଆଣିବାକୁ ପଡିବ।

 

ଏହି 328 ପ୍ରକାରର ଔଷଧକୁ ନିଷେଧ କରାଯିବା ପରେ ଔଷଧ ଦୋକାନରେ ଏହି ଔଷଧ ବିକ୍ରି କରିବାକୁ ବେଆଇନ ଭାବେ ବିବେଚନା କରାଯିବ। ଯଦି କୌଣସି ଔଷଧ ଦୋକାନରେ ଏହି ଔଷଧ ବିକ୍ରି କରାଯାଉଥିବାର ସୂଚନା ମିଳେ ତେବେ ଉକ୍ତ ଦୋକାନର ସଞ୍ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଭାରତରେ ପ୍ରାୟ 2,000 ପ୍ରକାରର ମିଶ୍ରିତ ଔଷଧ ବିକ୍ରି ହେଇଥାଏ ଓ ଆମେରିକାରେ ଏହାର ସଂଖ୍ୟା 500। ଏଭଳି ଔଷଧର ସ୍ଵାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ରହୁଥିବାରୁ ଏହିପ୍ରକାର ଔଷଧ ପ୍ରସ୍ତୁତି ଓ ବିକ୍ରିକୁ ନିଷେଧ କରାଯାଇଛି।

 

ମାର୍ଚ୍ଚ 2010 ରେ କେନ୍ଦ୍ର ସରକାର କୋରେକ୍ସ କଫ ସିରପ, ଭିକ୍ସ ବଟିକା ଆଦି  344 ଟି ମିଶ୍ରିତ ଔଷଧକୁ ନିଷେଧ କରିବା ପାଇଁ ଆଦେଶ ଜାରି କରିଥିଲେ, ଯାହା ଉପରେ ସୁପ୍ରିମ କୋର୍ଟ ରହିତାଦେଶ ପ୍ରଦାନ କରିଥିଲେ ଓ ଏହା ଉପରେ ଏକ ରିପୋର୍ଟ ପ୍ରଦାନ କରିବାକୁ ଗତ ଡିସେମ୍ବର ମାସରେ  DTABକୁ ନିର୍ଦ୍ଦେଶ ଦେଇଥିଲେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon