ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି : ପରକୀୟାପ୍ରୀତି ଅପରାଧ ନୁହେଁ

Thursday, September 27, 2018

(ବେତାର ବ୍ୟୁରୋ)ବ୍ୟଭିଚାର ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି,  ବିବାହ ପରେ କୌଣସି ପୁରୁଷ ବା ମହିଳା ଯଦି ଅନ୍ୟ ବିବାହିତ ପୁରୁଷ ବା ମହିଳା ସହିତ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହା  ଅପରାଧ ନୁହେଁ। ଏହାସହିତ 157ବର୍ଷ ଧରି ଚାଲିଆସୁଥିବା ପୁରୁଣା ବ୍ୟଭିଚାର ଆଇନ ଆଇପିସିର ଧାରା 497କୁ ସୁପ୍ରିମକୋର୍ଟର ପାଞ୍ଚଜଣିଆ ଖଣ୍ଡପୀଠ ଅସମ୍ବିଧାନିକ ବୋଲି କହିଛନ୍ତି।

 

ଏହାବ୍ୟତୀତ ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ପରକୀୟା ପ୍ରୀତି ପ୍ରମାଣିତ ହୁଏ ତେବେ ଛାଡପତ୍ର ହୋଇପାରିବ। ପରକୀୟା ପ୍ରୀତି ଯୋଗୁଁ ଯଦି ପତିପତ୍ନୀଙ୍କ ମଧ୍ୟରୁ କେହି ଆତ୍ମହତ୍ୟା କରନ୍ତି ଓ ତାହା ପ୍ରମାଣିତ ହୋଇଯାଏ ତେବେ ଏହାକୁ ଆତ୍ମହତ୍ୟାର କାରଣ ବୋଲି ବିବେଚନା କରାଯିବ।

 

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ, “ପତି ପତ୍ନୀଙ୍କ ମାଲିକ ନୁହନ୍ତି। ମହିଳାଙ୍କ ପ୍ରତି ଅସମାନତା ଆଚରଣ କରାଯାଉଥିବା ଯେ କୌଣସି ଆଇନ ବ୍ୟବସ୍ଥା ସାମ୍ବିଧାନିକ ନୁହେଁ।“

 

ସେହିପରି ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ସମାଜ ଚାହିଁବା ଅନୁସାରେ ମହିଳାଙ୍କୁ ଚିନ୍ତା କରିବାକୁ କୁହାଯାଇ ପାରିବ ନାହିଁ। ଧାରା 497 ମହିଳାଙ୍କୁ ସମାନ ଅଧିକାର ଦିଏ ନାହିଁ ଓ ମହିଳାଙ୍କ ସମ୍ମାନ ସବୁଠାରୁ ଉର୍ଦ୍ଧ୍ଵରେ। ତେଣୁ ମହିଳାଙ୍କ ସହ ଖରାପ ବ୍ୟବହାର ମଧ୍ୟ ଅସମ୍ବିଧାନିକ ଅଟେ।

 

ଅଗଷ୍ଟ ମାସରେ ଏହି ମାମଲାର ଶୁଣାଣି କରି ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ରାୟ ସଂରକ୍ଷିତ ରଖିଥିଲେ। ଭାରତୀୟ ପିଙ୍ଗଳ କୋଡର 497 ଧାରା ମୁତାବକ ବିବାହିତ ପୁରୁଷ ଅନ୍ୟ ବିବାହିତ ମହିଳାଙ୍କ ସହିତ ସମ୍ପର୍କ ରଖିଲେ  ପୁରୁଷ ଦୋଷୀ ହେବେ, କିନ୍ତୁ ଉକ୍ତ ମହିଳାଙ୍କୁ ଦୋଷୀ ଘୋଷଣା କରାଯାଇପାରିବ ନାହିଁ। 

 

ସେହି ସମୟରେ ସୁପ୍ରିମକୋର୍ଟରେ ଏହି କେଶପାଇଁ ଲଢ଼ୁଥିବା ଜଣେ ଆଡଭୋକେଟ ଏହି ଆଇନ ପଛରେ ଥିବା କାରଣ ବର୍ଣ୍ଣନା କରି କହିଥିଲେ ବ୍ୟଭିଚାର ମାମଲାରେ ପର ପୁରୁଷ ସହିତ ସମ୍ପର୍କ ରଖିଥିବା ସ୍ତ୍ରୀ ଯେପରି ନିଜ ସ୍ୱାମୀ ଦ୍ୱାରା ନିର୍ଯ୍ୟାତିତ ନ ହୁଏ, ସେହି କାରଣ ପାଇଁ ବିବାହିତ ମହିଳାମାନଙ୍କୁ ଏହି କ୍ଷେତ୍ରରେ ଦୋଷମୁକ୍ତ ଭାବେ ଧରିନେବାପାଇଁ ସେତେବେଳର ଆଇନ ବିଶେଷଜ୍ଞମାନେ ଏହି ବ୍ୟବସ୍ଥା କରିଥିଲେ। 

 

ଏହି ଆଇନ ସମ୍ବିଧାନର ଧାରା 14 (ଆଇନ ଆଖିରେ ସମସ୍ତେ ସମାନ) କୁ ଉଲ୍ଲଂଘନ କରୁଛି ବୋଲି ଯୁକ୍ତି ଦର୍ଶାଇ ଏହି ନିୟମକୁ ଉଚ୍ଛେଦ କରିବାକୁ ଆବେଦନ ହେଇଥିଲା ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon