ଏହି କାରଣରୁ ପୁରୀ ମନ୍ଦିରରେ ହେବ ସ୍ଵର୍ଣ୍ଣମନ୍ଦିର ପରି ଧାଡି ଦର୍ଶନ

Friday, September 28, 2018

(ବେତାର ବ୍ୟୁରୋ) ପୁରୀ ଶ୍ରୀମନ୍ଦିରରେ ଶ୍ରୀ ଜୀଉମାନଙ୍କ ଦର୍ଶନ ବ୍ୟବସ୍ଥାକୁ ଶ୍ରୁଙ୍ଖଳିତ କରିବା ପାଇଁ ଆସନ୍ତା ଅକ୍ଟୋବର ୧ ତାରିଖରୁ ଅମୃତସରର ସ୍ଵର୍ଣ୍ଣମନ୍ଦିର  ପରି ଧାଡିରେ ଦର୍ଶନ ବ୍ୟବସ୍ଥା ଲାଗୁହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

 

ଏହି ନିଷ୍ପତ୍ତି ଅନୁଯାୟୀ ଭକ୍ତମାନେ ସିଂହ ଦ୍ଵାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନୋଟି ଦ୍ଵାର ଦେଇ ପ୍ରସ୍ଥାନ କରିବେ । ଏଥିପାଇଁ ସ୍ଵର୍ଣ୍ଣମନ୍ଦିର ଢାଞ୍ଚାରେ ଶ୍ରୀମନ୍ଦିରର ମେଘନାଦ ପ୍ରାଚୀର ପାଖରେ ୧୮ ଫୁଡ଼ ଚଉଡାର ଏକ ବ୍ୟରିକେଡ ଲାଗିବ । ଭକ୍ତ ମାନେ ଶ୍ରୁଙ୍ଖଳିତ ଭାବେ ପ୍ରବେଶ ଓ ପ୍ରସ୍ଥାନ କରିବେ  ।

 

ବର୍ତ୍ତମାନ ବ୍ୟବସ୍ଥା ଅନୁସାରେ ଶ୍ରୀମନ୍ଦିରର ବାହାରେ କେବଳ ଧାଡିରେ ମନ୍ଦିର ଭିତରକୁ ପ୍ରବେଶ ବ୍ୟବସ୍ଥା ରହିଛି ହେଲେ ଭିତରେ ଧାଡିରେ ଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

 

କାହିଁକି ହେଲା ବ୍ୟବସ୍ଥା

କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟନ ନିର୍ଦ୍ଧାରିତ ସମୟର କିଛି ପୂର୍ବରୁ ଆସି ଗୁପ୍ତରେ ମନ୍ଦିର ପରିଦର୍ଶନ କରିଥିଲେ ଓ ଏହାର ବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ଏଠାରେ ସେବାୟତମାନେ ଭକ୍ତମାନଙ୍କଠାରୁ  ଜୋର ଜବରଦସ୍ତ ଦକ୍ଷିଣା ମାଗୁଥିବାର ସେ ଦେଖିଥିଲେ । ମନ୍ଦିର ପ୍ରଶାସନକୁ ଜଣାଇଥିଲେ ।  

 

ଏହାପରେ ମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆ ଯାଇଥିଲା ଯେ ଧାଡିକିଆ ବ୍ୟବସ୍ଥା ଲାଗୁହେବ , ଯେଉଁଥିରେ ଭକ୍ତମାନେ ଧାଡିରେ ମନ୍ଦିର ଭିତରକୁ ପ୍ରବେଶ କରିବେ ଓ ବିନା କୌଣସି ସେବକ/ସେବାୟତଙ୍କ ସାମ୍ନା କରି ପ୍ରସ୍ଥାନ କରିବେ । ଏହାଛଡା ମନ୍ଦିର ଭିତରେ ଆଉ ୪ ଗୋଟି ହୁଣ୍ଡି ସ୍ଥାପନ କରିବାକୁ ମଧ୍ୟ ପ୍ରଶାସନ ନିଷ୍ପତ୍ତି ନେଇଛି ।                           

 

ତେବେ ମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ କିଛି ସଂଗଠନ  ବିରୋଧ କରିଛନ୍ତି ।  ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶୁକ୍ରବାର ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

 

ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ପ୍ରକାର ଦର୍ଶନ ଚାଲିଛି ଏହାଦ୍ୱାରା ଭକ୍ତମାନେ ସ୍ବାଧୀନ ଭାବେ ମହାପ୍ରଭୁଙ୍କୁ ମନଭରି ଦର୍ଶନ କରିପାରୁଛନ୍ତି । ଧାଡି ବ୍ୟବସ୍ଥାରେ ସ୍ଥାନୀୟ ଲୋକେ ଏବଂ ବୃଦ୍ଧାବୃଦ୍ଧଙ୍କୁ ଅକଥନୀୟ କଷ୍ଟ ସ୍ବୀକାର କରିବାକୁ ପଡିବ। ଏହାକୁ ଦୃଢ ବିରୋଧକରି ଆଗାମୀ ଦିନରେ ପୁରୀ ବନ୍ଦ ଓ ଦରକାର ପଡିଲେ ସାରା ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ଆବାହକ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon