ମୋଦୀ ସରକାର ଉପରେ କ୍ଷୁବ୍ଧ ନକଲି ମୋଦୀ, କଂଗ୍ରେସ ପାଇଁ ପ୍ରଚାର କରିବେ

Thursday, October 4, 2018

(ବେତାର ବ୍ୟୁରୋ) ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା କଂଗ୍ରେସ ପାର୍ଟି କାର୍ଯ୍ୟାଳୟରେ ବୁଧବାର ଦିନ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ନରେନ୍ଦ୍ର ମୋଦୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ପ୍ରକୃତରେ ସେ ଅସଲି ନରେନ୍ଦ୍ର ମୋଦୀ ନଥିଲେ। ସେ ହେଉଛନ୍ତି ଅବିକଳ ମୋଦୀଙ୍କ ପରି ଦେଖାଯାଉଥିବା ଅଭିନନ୍ଦନ ପାଠକ। ପୂର୍ବରୁ ମୋଦୀଙ୍କର ପ୍ରଶଂସକ ଥିବା ଅଭିନନ୍ଦନ ବର୍ତ୍ତମାନ ମୋଦୀ ସରକାର ଉପରେ କ୍ଷୁବ୍ଧ ହୋଇ କଂଗ୍ରେସ ପାଇଁ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ,ଅଭିନନ୍ଦନଙ୍କୁ କଂଗ୍ରେସ ପାର୍ଟି କାର୍ଯ୍ୟାଳୟରେ ଦେଖିବା ପରେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ତାଙ୍କୁ ପଚାରିଥିଲେ ଯେ, ମୋର 15ଲକ୍ଷ ଟଙ୍କା ଖାତାକୁ କେବେ ଆସିବ। ଏପରି ପ୍ରଶ୍ନ କରିବାର କାରଣ ହେଉଛି କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଉପରେ ଆରୋପ ଲଗାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳାଧନ ଫେରାଇବା ପରେ ପ୍ରତ୍ୟେକଙ୍କୁ 15ଲକ୍ଷ ଟଙ୍କା ଫେରାଇବା ପାଇଁ ପ୍ରତିଜ୍ଞା କରିଥିଲେ, ଯାହା ସେ ପୂରଣ କରିନାହାନ୍ତି।

 

କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଏହି ପ୍ରଶ୍ନରେ ମୋଦୀଙ୍କ ପରି ଦେଖାଯାଉଥିବା ଅଭିନନ୍ଦନ ପାଠକ ଶାନ୍ତ ହୋଇଯାଇଥିଲେ ଓ ଏହି ପ୍ରଶ୍ନ ମତେ କଂଗ୍ରେସ ପାର୍ଟିକୁ ଆସିବା ପାଇଁ ବାଧ୍ୟ କରିଛି ବୋଲି କହିଥିଲେ। ଏହାସହିତ ଆହୁରି ମଧ୍ୟ କହିଥିଲେ ଯେ, 2019ରେ ଲୋକସଭା ନିର୍ବାଚନରେ ମୁଁ ବିଜେପି ବିରୋଧରେ ଲଢିବା ପାଇଁ ଠିକ କରିଛି। ଏଥିପାଇଁ ସେ ବୁଧବାର ଦିନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରାଜ ବବ୍ବରଙ୍କ ସହିତ ସାକ୍ଷାତ କରିଥିଲେ।

 

ଲୋକସଭା ଓ ବିଧାନସଭା ନିର୍ବାଚନ ଲଢିଛନ୍ତି ନକଲି ମୋଦୀ

ମୋଦୀଙ୍କ ପରି ଦେଖାଯାଉଥିବା ଅଭିନନ୍ଦନ ପାଠକ ସହାରନପୁରର ବାସିନ୍ଦା ଅଟନ୍ତି। ସେ କହିଛନ୍ତି ଯେ ଏହା ପୂର୍ବରୁ ବିଜେପି ନିର୍ବାଚନ ପ୍ରଚାରରେ ତାଙ୍କୁ ଖୁବ ବ୍ୟବହାର କରିଛି। 2015 ଦିଲ୍ଲୀ ବିଧାନସଭା ନିର୍ବାଚନ ଓ 2017 ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ସେ ମୁଖ୍ୟ ଆକର୍ଷଣ ଥିଲେ। ସେ 1999ରେ ଲୋକସଭା ଓ 2012ରେ ବିଧାନସଭା ନିର୍ବାଚନ ମଧ୍ୟ ଲଢିଛନ୍ତି। ଏହାବ୍ୟତୀତ ସହାରନପୁରରେ ସେ ଦୁଇଥର କର୍ପୋରେଟର ମଧ୍ୟ ହୋଇଛନ୍ତି।

ମୋଦୀଙ୍କ ପ୍ରଶଂସକ, କିନ୍ତୁ ପାର୍ଟି ଫେଲ

ଅଭିନନ୍ଦନ ପାଠକ କହିଛନ୍ତି ଯେ, “ମୁଁ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ। କିନ୍ତୁ ନରେନ୍ଦ୍ର ମୋଦୀଙ୍କ ସରକାର ଲୋକଙ୍କୁ ଦେଇଥିବା କଥା ପୂରଣ କରିବାକୁ ଅସମର୍ଥ ଅଟେ। ଏଥିପାଇଁ ମୁଁ ବିଜେପି ବିରୁଦ୍ଧରେ ପ୍ରଚାର କରିବା ପାଇଁ ନିଷ୍ପତ୍ତି ନେଇଛି। ମୁଁ ରାଜ ବବ୍ବରଙ୍କୁ ଅନୁରୋଧ କରିଛି କଂଗ୍ରେସ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରାଇଦେବା ପାଇଁ, ତେବେ ମୁଁ ମୋ ମନ କଥା କହିପାରିବି।“

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ ଲୋକମାନେ ଭଲ ଦିନ ପାଇଁ ମୋଦୀ ସରକାରଙ୍କୁ ବାଛିଥିଲେ। କିନ୍ତୁ ପରିସ୍ଥିତି ବହୁତ ଖରାପ ହେବାରେ ଲାଗିଛି। ଏଥିପାଇଁ ମୋଦୀ ସରକାର ଉପରୁ ଲୋକଙ୍କର ଭରସା ଉଠିଗଲାଣି। ଲୋକମାନେ ଏତେ ରାଗିଯାଇଛନ୍ତି ଯେ, ବେଳେବେଳେ ମତେ ଅପଶବ୍ଦ କହିଦେଉଛନ୍ତି।“

 

ଅନ୍ୟପଟେ ରାଜ ବବ୍ବରଙ୍କ ସହିତ ପାଠକଙ୍କ ସାକ୍ଷାତକାରକୁ ନେଇ କଂଗ୍ରେସ ପ୍ରବକ୍ତା ଜିଶାନ ହେଦର କହିଛନ୍ତି ଯେ, “ ଅଭିନନ୍ଦନ ପାଠକ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ସହ ସାକ୍ଷାତକରି ନିଜ ଇଚ୍ଛା ଜଣାଇଛନ୍ତି। ଖୁବ ଶୀଘ୍ର ଦଳ ଏହା ଉପରେ ନିଷ୍ପତ୍ତି ଜଣାଇବ।“

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon