
(ବେତାର ବ୍ୟୁରୋ) ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚରେ ଜଣେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ପରି ବ୍ୟାଟିଂ କରି ଶତକ ହାସଲ କରିଥିବା ପୃଥ୍ଵୀ ଶ’ ସମସ୍ତଙ୍କର ମନ କିଣିନେଇଛନ୍ତି। ଏହା ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ ହୋଇଥିଲେ ମଧ୍ୟ ଲାଗୁଥିଲା ଯେପରି ସେ ନିଜ କ୍ୟାରିୟରର 100ତମ ମ୍ୟାଚ ଖେଳୁଛନ୍ତି। ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଚତୁର୍ଥ ଓ ପଞ୍ଚମ ଟେଷ୍ଟ ପାଇଁ ପୃଥ୍ଵୀଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା। ଇଂଲଣ୍ଡରେ କଠିନ ପରିସ୍ଥିତିରେ ଖେଳିବା ପାଇଁ ପ୍ରସ୍ତୁତ ଥିଲେ ବୋଲି ପୃଥ୍ଵୀ କହିଥିଲେ।
ତେବେ ଏଠି ପ୍ରଶ୍ନ ଉଠୁଛି 16 ବର୍ଷରୁ କମ ବୟସ କ୍ରିକେଟ ତଥା ଅନେକ ଫାର୍ଷ୍ଟ କ୍ଳାସ କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରି ସମସ୍ତଙ୍କୁ ଚମତ୍କୃତ କରିଥିବା ଏହି ଖେଳାଳିଙ୍କୁ କଣ ପାଇଁ ଦଳରେ ସାମିଲ କରି ମଧ୍ୟ ଇଂଲଣ୍ଡ ବିପକ୍ଷରେ ପଡିଆକୁ ଓହ୍ଲାଇ ଦିଆଗଲା ନାହିଁ ?
ୱେଷ୍ଟ ଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ନିଜର ଶତକ ପରେ ପୃଥ୍ଵୀ କହିଥିଲେ , “ କେଉଁ ଖେଳାଳୀ ଖେଳିବେ ଓ କେଉଁ ଖେଳାଳୀ ଖେଳିବେ ନାହିଁ ,ଏହା ଦଳର ପ୍ରଶିକ୍ଷକ ଓ ଅଧିନାୟକ ଠିକ କରିଥାଆନ୍ତି। ଇଂଲଣ୍ଡରେ ଖେଳିବା ପାଇଁ ପ୍ରସ୍ତୁତ ଥିଲି କିନ୍ତୁ ଶେଷରେ ମତେ ଏଠାରେ ସୁଯୋଗ ମିଳିଲା।“
ଏହି ବକ୍ତବ୍ୟରୁ ଜଣାପଡୁଛି ପୃଥ୍ଵୀ ତାଙ୍କ ପ୍ରତି ହେଇଥିବା ଏହି ଅଣଦେଖା ପାଇଁ ସିଧାସଳଖ ଦଳର କୋଚ ରବି ଶାସ୍ତ୍ରୀ ଓ କ୍ୟାପଟେନ ବିରାଟ କୋହଲିଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ସୂଚନାଯୋଗ୍ୟ ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜରେ ଭାରତୀୟ ଦଳ ଶୋଚନୀୟ ପରାଜୟ ବରଣ କରିଥିଲା ।
ନିକଟରେ ବିରାଟ କୋହଲି ପୃଥ୍ଵୀଙ୍କ ବ୍ୟାଟିଂର ପ୍ରଶଂସା କରିଥିବା ବେଳେ ପୃଥ୍ଵୀ ମଧ୍ୟ ବିରାଟ ବିପକ୍ଷରେ କିଛି କହିନାହାନ୍ତି । ବରଂ ସେ ତାଙ୍କର ପ୍ରଶଂସା କରିଛନ୍ତି ।
ନିଜର ପ୍ରଥମ ଟେଷ୍ଟ ଶତକ ପରେ ଶ' କହିଥିଲେ, “ଇଂଲଣ୍ଡ ଦଳରେ ରହିବାର ଅଭିଜ୍ଞତା ଚମତ୍କାର ଥିଲା। ବିରାଟ ଭାଇ କହିଥିଲେ ଯେ ଦଳରେ କିଛି ଜୁନିୟର ଓ ସିନିୟରର ପ୍ରଭେଦ ନାହିଁ। ପାଞ୍ଚବର୍ଷରୁ ଉର୍ଦ୍ଧ୍ଵ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଖେଳାଳୀଙ୍କ ସହ ଡ୍ରେସିଙ୍ଗରୁମରେ ଏକ ଭିନ୍ନ ଅନୁଭୂତି ଥିଲା। ଏବେ ସମସ୍ତେ ମୋର ବନ୍ଧୁ ହୋଇଯାଇଛନ୍ତି। ଏହି ଅଭିଜ୍ଞତା ଯୋଗୁଁ ଜୀବନର ପ୍ରଥମ ଟେଷ୍ଟ ମ୍ୟାଚକୁ ଏକ ସାଧାରଣ ମ୍ୟାଚ ପରି ଖେଳିପାରିଲି।“
ରାହୁଳ Vs ପୃଥ୍ଵୀ

ଉଦୀୟମାନ କ୍ରିକେଟର ପୃଥ୍ଵୀଙ୍କୁ ଇଂଲଣ୍ଡ ବିପକ୍ଷରେ ନ ଖେଳାଇବା ପଛରେ ଭାରତୀୟ ଟିମର ଅନ୍ୟ ସଦସ୍ୟ କେ ଏଲ ରାଓଙ୍କୁ ଚୟନ କରିଥିବା ଚର୍ଚ୍ଚା ଚାଲିଛି । ରାହୁଳ ଜଣେ ଭଲ ବ୍ୟାଟସମ୍ୟାନ ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଶତକ ମଧ୍ୟ କରିଥିଲେ । ମାତ୍ର ତାଙ୍କର ଏହି ପ୍ରଦର୍ଶନକୁ ସମୀକ୍ଷକମାନେ ଠିକ ସେ ଗ୍ରହଣ କରିପାରି ନ ଥିଲେ । ଇଂରାଜୀ ୱେବସାଇଟ First Post ରେ ପ୍ରକାଶିତ ଏକ ସମୀକ୍ଷାରେ ଗୌରବ ଯୋଶୀ କହିଥିଲେ କି ରାହୁଲ ଇନ ସ୍ଵୀଙ୍ଗ ପଡୁଥିବା ବଲ ଠିକ ସେ ଖେଳି ପାରୁନାହାନ୍ତି କାରଣ 10 ଥର ରୁ 6 ଥର ଏହି ପରି ବଲରେ ସେ ଆଉଟ ହେଇଛନ୍ତି । ସେ ତାଙ୍କ ଆଲେଖ୍ୟରେ ପ୍ରଶ୍ନ କରିଥିଲେ ପୃଥ୍ଵୀ ଓ ମୟଙ୍କ ଭରଦ୍ଵାଜଙ୍କୁ ଟିମରେ ସାମିଲ କରାଯାଇଥିବା ବେଳେ କେଉଁ ଆଧାରରେ ତାଙ୍କୁ ଖେଳିବାରୁ ବଞ୍ଚିତ କରାଗଲା ।
ସେହିପରି ରାହୁଳଙ୍କ ପିଲାଦିନର କୋଚ ମଧ୍ୟ ତାଙ୍କର ଇଂଲଣ୍ଡ ବିପକ୍ଷ ପ୍ରଦର୍ଶନ ଦେଖି ମନ୍ତବ୍ୟ ଦେଇଥିଲେ ଯେ ସେ (ରାହୁଲ) ବୋଧ ମାନସିକ ଚାପରେ ଅଛନ୍ତି ।
ତେବେ ଏହିପରି ପ୍ରଦର୍ଶନ ପରେ କିଏ ଓ କାହିଁକି ଶେଷ ଦୁଇ ଟେଷ୍ଟ ରେ ରାହୁଲଙ୍କୁ ଖେଳାଇବାକୁ ନିଷ୍ପତ୍ତି ନେଲା ତାହା ଏକ ରହସ୍ୟ ହେଇ ରହିଛି ।