'ସଂସ୍କାରି' ଅଭିନେତା ଆଲୋକ ନାଥଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ

Tuesday, October 9, 2018

(ବେତାର ବ୍ୟୁରୋ) ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଦ୍ଵାରା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଯିବା ପରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନ୍ୟ ଅଭିନେତ୍ରୀମାନେ #me too ମାଧ୍ୟମରେ ନିଜ ସହିତ ହୋଇଥିବା ଯୌନ ଦୁଃବ୍ୟବହାର ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି। ନାନା ପାଟେକରଙ୍କ ପରେ ନିର୍ଦ୍ଦେଶକ ବିକାଶ ବେହେଲ,ଗାୟକ କୈଳାଶ ଖେର ଓ ମଡେଲ ଜୁଲଫି ସେୟଦଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିଛି। ତେବେ ବର୍ତ୍ତମାନ ଟିଭି ଓ ଫିଲ୍ମ ଜଗତର ‘ସଂସ୍କାରୀ ବାପୁ’ ଆଲୋକ ନାଥଙ୍କ ଉପରେ ମଧ୍ୟ ଯୌନ ଶୋଷଣର ଆରୋପ ଲଗାଯାଇଛି।

 

ଏହି କଥା ଉପରେ ବିଶ୍ଵାସ କରିବା କଷ୍ଟକର କଥା ହୋଇଥିଲେ ମଧ୍ୟ ଆଲୋକ ନାଥଙ୍କ ଉପରେ ଏହି ଆରୋପ ଲଗାଇଛନ୍ତି ତାଙ୍କ ସହ କାମ କରିସାରିଥିବା ଲେଖକ ଓ ଫିଲ୍ମ ନିର୍ମାତା ବିନ୍ତା ନନ୍ଦା। ବିନ୍ତା ଫେସବୁକରେ ଏକ ପୋଷ୍ଟ କରି ତାଙ୍କ ସାଙ୍ଗରେ ହୋଇଥିବା ଯୌନ ଶୋଷଣକୁ ସାଧାରଣ ଜନତାଙ୍କ ଆଗରେ ବୟାନ କରିଛନ୍ତି। 1994 ମସିହାରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ “ତାରା”ର ଶୁଟିଙ୍ଗ ସମୟରେ ଆଲୋକ ନାଥ ତାଙ୍କ ବଳତ୍କାର କରିଥିଲେ ବୋଲି ସେ କହିଛନ୍ତି କିନ୍ତୁ ଉକ୍ତ ପୋଷ୍ଟରେ ସେ କୌଣସି ସ୍ଥାନରେ ଆଲୋକ ନାଥଙ୍କ ନାମ ନେଇ ନାହାନ୍ତି। ଆଲୋକଙ୍କ ନାମ ପରିବର୍ତ୍ତେ ‘ସଂସ୍କାରୀ’ ଶବ୍ଦର ପ୍ରୟୋଗ କରିଛନ୍ତି।

ବିନ୍ତା ଫେସବୁକରେ କରିଥିବା ପୋଷ୍ଟ ମୁତାବକ ସେ ଆଲୋକ ନାଥଙ୍କ ପତ୍ନୀଙ୍କର ସବୁଠୁ ଭଲ ସାଙ୍ଗ ଥିଲେ। ବିନ୍ତା ପୋଷ୍ଟରେ ଲେଖିଛନ୍ତି, “ସେହି ସମୟରେ ମୁଁ ଟିଭିର ନମ୍ବର ୱାନ ଧାରାବାହିକ ‘ତାରା’ର ପ୍ରଯୋଜକ ଥିଲି। ସେ ଏହି ଶୋ’ର ମୁଖ୍ୟ ନାୟିକା ନବନୀତ ନିଶାନଙ୍କ ପଛରେ ପଡିଥିଲେ। ସେ  ମଦୁଆ ଓ ନିର୍ଲଜ ଥିଲେ, କିନ୍ତୁ ସେହି ସମୟର ଟିଭିର ସବୁଠୁ ବଡ ଷ୍ଟାର ଥିଲେ। ଏଥିପାଇଁ ତାଙ୍କର ଖରାପ ବ୍ୟବହାର ପାଇଁ ଲୋକମାନେ ତାଙ୍କୁ କ୍ଷମା କରିଦେଉଥିଲେ ଓ ଏହାସହିତ କିଛିଲୋକ ତାଙ୍କୁ ଖରାପ କାମ କରିବା ପାଇଁ ମଧ୍ୟ କହୁଥିଲେ।“

 

ସେ ଆହୁରି ମଧ୍ୟ କହିଛନ୍ତି, “ସେ ଶୋ’ର ମୁଖ୍ୟ ନାୟିକାଙ୍କ ସହ ଖରାପ ବ୍ୟବହାର କରୁଥିଲେ, ସେଥିପାଇଁ ରାଗରେ ନବନୀତ ତାଙ୍କୁ ମାରିଥିଲେ। କିଛିଦିନ ପରେ ସେ ମତେ ତାଙ୍କ ଘରକୁ ପାର୍ଟି ପାଇଁ ଡ଼ାକିଥିଲେ। ତାଙ୍କ ପତ୍ନୀ ଘରେ ନଥିଲେ। ଆମେ ସବୁ ସାଙ୍ଗମାନେ ମିଶି ଏପରି ପାର୍ଟି କରୁ। କିନ୍ତୁ ସନ୍ଧ୍ୟା ହେବା ପରେ, ମତେ ଲାଗିଲା ଯେପରି ମୋ ଡ୍ରିଂକ୍ସରେ କିଛି ମିଶାଯାଇଛି ଓ ମତେ ଅଲଗା ପ୍ରକାର ଅନୁଭବ ହେଲା। ରାତି ଦୁଇଟା ସମୟରେ ସମସ୍ତେ ନିଜ ନିଜ ଘରକୁ ଯାଉଥିଲେ। ମତେ କେହି ଛାଡିଦେବା ପାଇଁ କହିଲେ ନାହିଁ। ମୁଁ ସେହି ଲୋକର ଘରେ ରହିବା ପାଇଁ ଚାହୁଁନଥିଲି ତେଣୁ ଏକୁଟିଆ ଘରକୁ ବାହାରିଲି।“

 

ବିନ୍ତା ଆଗକୁ ପୋଷ୍ଟରେ ଲେଖିଛନ୍ତି, “ଅଧବାଟରେ ସେ ମତେ ଅଟକେଇଲା ଓ ମତେ ତା କାରରେ ବସିବା ପାଇଁ କହିଲା। ମୁଁ ତା ଉପରେ ବିଶ୍ଵାସ କରି ବସିଗଲି। ଏହାପରେ କଣ କଣ ହେଲା ମତେ ଭଲ ଭାବରେ ମନେ ନାହିଁ। କେବଳ ଏତିକି ମନେ ଅଛି ଯେ ମଦ ମୋ ମୁହଁରେ ଢଳା ଯାଉଥିଲା ଓ ବଳତ୍କାର କରାଯାଉଥିଲା। ପରଦିନ ଅପରାହ୍ନରେ ଉଠିଲା ବେଳେକୁ ମତେ ବହୁତ କଷ୍ଟ ହେଉଥାଏ। ବଳତ୍କାର ସହିତ ମୋ ଘରେ ମଧ୍ୟ ମୋ ସହିତ ହିଂସା ହୋଇଥିଲା।“

 

ବିନ୍ତା ଯେତେବେଳ ଏହି କଥା ତାଙ୍କ ସାଙ୍ଗମାନଙ୍କୁ କହିଥିଲେ, ସେମାନେ ତାଙ୍କୁ ଏକଥା ଭୁଲି ଯାଇ ଆଗକୁ ବଢିବାକୁ କହିଥିଲେ। ଜଣେ ମହିଳା ନିର୍ମାତା ଭାବରେ ସେ ସମୟରେ ତାଙ୍କ ପାଖରେ କିଛି କାମ ନଥିଲା ଓ ଏହି ଘଟଣା ତାଙ୍କୁ ଭିତରରୁ ଭାଙ୍ଗି ଦେଇଥିଲା।

ତେବେ ଏହି ଘଟଣା ସମ୍ପର୍କରେ ଆଲୋକ ନାଥ ଆଜତକକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, “ଆଜିକାଲି ଯଦି କୌଣସି ମହିଳା ପୁରୁଷଙ୍କ ଉପରେ ଆରୋପ ଲଗାଇଥାଏ ତେବେ ପୁରୁଷଙ୍କର କିଛି କଥାକୁ ଗୁରୁତ୍ଵ ଦିଆଯାଇନଥାଏ। ମୁଁ ବିନ୍ତାଙ୍କୁ ଭଲ ଭାବରେ ଜାଣିଛି। ଏ ସମୟରେ ମୁଁ ଚୁପ ରହିବାକୁ ଠିକ ଭାବୁଛି। ଠିକ ସମୟ ଆସିଲେ ମୁଁ ଏହାର ଉତ୍ତର ଦେବି।“

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon