ଏହି ଦେଶରେ ମୋଟା ପର୍ଯ୍ୟଟକ ଗଧ ଉପରେ ବସି ବୁଲିବା ଉପରେ ଲାଗିଲା କଟକଣା

Wednesday, October 10, 2018

(ବେତାର ବ୍ୟୁରୋ) ସାରା ଦୁନିଆ ଆଗରେ ଗ୍ରୀସ ନିଜର ବୌଦ୍ଧିକ ଓ ଦାର୍ଶନିକ ପାରଙ୍ଗମତା  ପାଇଁ ପ୍ରସିଦ୍ଧ। ଏହି ସ୍ଥାନର ସୁନ୍ଦରତା ମଧ୍ୟ କାହାକୁ ଅଛପା ନୁହେଁ। ଗ୍ରୀସରେ ଏକ ଦ୍ଵୀପ ରହିଛି, ଏହାର ନାମ ହେଉଛି ‘ଆଇଲାଣ୍ଡ ଅଫ ସେଣ୍ଟୋରିଣୀ’। ଏଠାରେ ଅନେକ ବଲିଉଡ ଫିଲ୍ମର ଶୁଟିଙ୍ଗ ମଧ୍ୟ କରାଯାଇଛି। ତେବେ ଏହି ସ୍ଥାନରେ ବୁଲିବା ପାଇଁ ବ୍ୟବହୃତ ହେଉଥିବା ଗଧଙ୍କ ପାଇଁ କିଛି ନୂଆ ନିୟମ କରାଯାଇଛି। ଏହି ନିୟମ ଅନୁସାରେ ଗଧଙ୍କ ଉପରେ ଅଧିକ ମୋଟା ପର୍ଯ୍ୟଟକ ବସିପାରିବେ ନାହିଁ।

 

ଗତ ଜୁଲାଇ ମାସରେ ଗଧଙ୍କ ସୁରକ୍ଷାକୁ ନେଇ ଅନେକ ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପଶୁଙ୍କ ହିତ ପାଇଁ ଥିବା ଅନେକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ସାଧାରଣ ଜନତାମାନେ ଏନେଇ ପିଟିସନ ଜାରି କରିଛନ୍ତି। ପଶୁଙ୍କ ଅଧିକାର ପାଇଁ ଲଢୁଥିବା ଜଣେ ବ୍ୟକ୍ତି ଏନେଇ ସରକାରଙ୍କ ଆଗରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ଅଧିକ ମୋଟା ଲୋକ ଗଧ ଉପରେ ବସିବା ଦ୍ଵାରା ଗଧଙ୍କର ମେରୁଦଣ୍ଡରେ ଆଘାତ ଲାଗିବା ସହିତ ଶରୀରରେ କ୍ଷତ ମଧ୍ୟ ହେଉଛି। ଏହାସହିତ ଏହି ପଶୁମାନେ ସପ୍ତାହକୁ ସାତଦିନ ବିନା ବିଶ୍ରାମ ଓ ପାନୀୟରେ କାମ କରିଥାଆନ୍ତି ବୋଲି ସେହି ବ୍ୟକ୍ତି ଅଭିଯୋଗ କରିଥିଲେ।   

 

ଗ୍ରୀସର ଖାଦ୍ୟ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ନିୟମ ଲାଗୁ କରାଯାଇଛି। ଏହି ନିୟମରେ ଗଧଙ୍କ ହିତ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଏଥିରେ ଗଧମାନେ ଦିନକୁ କେତେ ଘଣ୍ଟା କାମ କରିବେ ଓ ସେମାନଙ୍କ ଉପରେ କେତେ ଓଜନର ଜିନିଷ ଲଦା ଯିବ ସେ ବିଷୟରେ ମଧ୍ୟ  ଉଲ୍ଲେଖ କରାଯାଇଛି।

ଏହି ଦ୍ଵୀପକୁ ପ୍ରତିବର୍ଷ ବହୁତ ସଂଖ୍ୟକ ପର୍ଯ୍ୟଟକ ବୁଲିବାକୁ ଆସିଥାଆନ୍ତି। ହେଲେ ବହୁତ କମ ଲୋକ ପାଦରେ ଚାଲି ଚାଲି ବୁଲିବାକୁ ପସନ୍ଦ କରିଥାଆନ୍ତି। ଅଧିକାଂଶ ଲୋକ ବୁଲିବା ପାଇଁ ଗଧ ବୁକ୍ କରିଥାଆନ୍ତି। ସେଠାକାର ଲୋକଙ୍କ କହିବା ଅନୁଯାୟୀ ବୁଲିବା ପାଇଁ ଅଧିକାଂଶ ମୋଟା ଲୋକ ହିଁ ଆସିଥାଆନ୍ତି। ସେହି ମୋଟା ଲୋକଙ୍କୁ ନେବା ସମୟରେ ଗଧଙ୍କୁ  ଅନେକ କଷ୍ଟ କରିବାକୁ ପଡିଥାଏ।

 

ଗଧଙ୍କ ପାଇଁ ହୋଇଥିବା ଏହି ନୂଆ ନିୟମରେ ଉଲ୍ଲେଖ ରହିଛି ଯେ, “ଗଧଙ୍କ ଉପରେ 100 କିଲୋଗ୍ରାମରୁ ଅଧିକ ଓଜନ ଲଦା ଯିବ ନାହିଁ। ଏହାସହିତ ଉଲ୍ଲେଖ ରହିଛି ଯେ ଗଧମାନେ ଲଗାତର ଅଧିକ ସମୟ ପର୍ଯ୍ୟନ୍ତ କାମ କରିବେ ନାହିଁ। ଏହି  ଦ୍ଵୀପକୁ ବୁଲିବା ପାଇଁ ଅଧିକ ପର୍ଯ୍ୟଟକ ଆସୁଥିବାରୁ ଗଧଙ୍କ ଅବସ୍ଥା ଖରାପ ହୋଇଥାଏ ଓ ଗଧମାନଙ୍କୁ ଲଗାତାର ଅଧିକ ସମୟ କାମ କରିବାକୁ ମଧ୍ୟ ପଡିଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon