ବାତ୍ୟା ଆଶଙ୍କା ଟଳିଲା, ଏଣିକି ବନ୍ୟା ଚିନ୍ତା

Thursday, October 11, 2018

 

(ବେତାର ବ୍ୟୁରୋ) ସାମୁଦ୍ରିକ ଝଡ ‘ତିତଲି’ ଗୁରୁବାର ସକାଳେ ଓଡିଶା ସୀମାରେ ଥିବା ଆନ୍ଧ୍ର ପ୍ରଦେଶର ଉପକୂଳିଆ ଅଞ୍ଚଳ ପଲାସାରେ ସ୍ଥଳଭାଗକୁ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହେଇ ପଶ୍ଚିମବଙ୍ଗ ମୁହାଁ ହେଉଛି । ଏହା ପ୍ରଭାବରେ ଆନ୍ଧ୍ର ସୀମାକୁ ଲାଗି ରହିଥିବା ଗଜପତି ଜିଲ୍ଲାରେ ଟେଲିଫୋନ ଖୁଣ୍ଟ , ଘର ଓ ଗଛ ଉପୁଡି ଥିବାର ଖବର ମିଳିଛି । ତେବେ ଓଡିଶାର ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଯଥା ପୁରୀ, ଗଞ୍ଜାମ ଓ ଜଗତସିଂପୁର ଅଞ୍ଚଳରେ ସେଭଳି କୌଣସି କ୍ଷୟକ୍ଷତି ହେଇଥିବାର ଖବର ମିଳି ନାହିଁ । ଓଡିଶା ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର(୧୦୭୦) ଜାରି କରାଯିବା ସହ ରାଜ୍ୟରେ  ବର୍ତ୍ତମାନ ସମୟରେ କୌଣସି ସ୍ଥାନରେ ବନ୍ୟା ଆଶଙ୍କା ନାହିଁ ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ।

 

ଉତ୍ତର ଓଡିଶାକୁ ବିପଦ

ପୂର୍ବ ସୂଚନା ମୁତାବକ ଯେଉଁ ଯେଉଁ ଜିଲ୍ଲା ଦେଇ ‘ତିତ୍‌ଲି’ ଅତିକ୍ରମ କରିବ ସେହି ସବୁ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବ। ପ୍ରାୟ ୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗିର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ କରାଯାଇଥିଲା। ଏଠାରେ ପ୍ରବଳ ବର୍ଷା ହେବ।

 

‘ତିତ୍‌ଲି’ ଲ୍ୟାଣ୍ଡଫଲ୍ କରିବା ପରେ ଏବେ ଉତ୍ତର ଓଡ଼ିଶା ପ୍ରତି ବିପଦ ରହିଛି। କାରଣ ଏହା ସେହି ବାଟ ଦେଇ ପଶ୍ଚିମ ବଙ୍ଗ ଆଡ଼କୁ ଯିବ ବୋଲି କୁହାଯାଉଛି। ଏହାର ପ୍ରଭାବରେ ବାଲେଶ୍ୱର,ଭଦ୍ରକ ଓ ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ ଜୋର୍ ବର୍ଷା ହେବ। ତା’ସାଙ୍ଗକୁ ପବନ ମଧ୍ୟ ବହିବ। ଏସବୁ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

 

ଗୁରୁବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଭୀଷଣ ବର୍ଷା ହେଇ ରାଜ୍ୟର ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

 

ବାତ୍ୟା ପରେ

ବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଗଜପତି ଜିଲ୍ଲା। ଗଞ୍ଜାମ ଜିଲ୍ଲା ଅଳ୍ପ ପ୍ରଭାବିତ ହୋଇଥିବା ଜଣାପଡିଛି । ସେହିପରି କେତେକ ସ୍ଥାନରେ ରାସ୍ତା କ୍ଷତଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଗଜପତିରୁ ପାରଳାଖେମୁଣ୍ଡି ଓ ମୋହନା ଯୋଗାଯୋଗ ବିଛିନ୍ନ ହୋଇଛି। 

ବାତ୍ୟା ପ୍ରଭାବରେ ଗୋପାଳପୁର ଅଞ୍ଚଳରେ କେତେକ ଆଜ୍‌ବେଷ୍ଟସ୍‌ ଓ ଚାଳ ଛପର ଘରର ଛପର ଉଡ଼ିଯାଇଥିବା ଦେଖିବାକୁ ମିଳିଛି। ସେହିପରି ହାଇମାଷ୍ଟ ଲାଇଟ୍‌ ପୋଷ୍ଟ ମଧ୍ୟ ଭାଙ୍ଗି ପଡିଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ସହରର ଦିଗପଣ୍ଡି, ଆସ୍କା, ଗୋପାଳପୁର ସମେତ ଅନ୍ୟ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। 

 

ସରକାର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବ ଶୀଘ୍ର ଯୋଗାଯୋଗ ଓ ବିଦ୍ୟୁତ ସଂଯୋଗକୁ ସ୍ୱାଭାବିକ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର କହିଛନ୍ତି ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon