ଏବେ ଟ୍ରେନ ଚାଲୁଥିବା ସମୟରେ ମୋବାଇଲରୁ ଦାଖଲ କରିପାରିବେ FIR

Monday, October 15, 2018

 

(ବେତାର ବ୍ୟୁରୋ) ସାଧାରଣତଃ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଯଦି କୌଣସି ଯାତ୍ରୀଙ୍କ ସହିତ କିଛି ଦୁର୍ଘଟଣା ଘଟେ ତେବେ ଏହି ଦୁର୍ଘଟଣା ବିରୁଦ୍ଧରେ ରିପୋର୍ଟ କରିବା ପାଇଁ ପରବର୍ତ୍ତୀ ଷ୍ଟେସନରେ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ଫଳରେ ଯାତ୍ରୀମାନେ ନିଜ ସମସ୍ୟାର ସମାଧାନ ପାଇବା ପାଇଁ ଅଧିକ ସମୟ ଲାଗିଯାଇଥାଏ।  ଯାତ୍ରୀମାନଙ୍କ ଏହି ସମସ୍ୟାକୁ ଶୀଘ୍ର ସମାଧାନ କରିବା ପାଇଁ ରେଳ ବିଭାଗ ତରଫରୁ ଏକ ମୋବାଇଲ ଆପର ଯୋଜନା ଆରମ୍ଭ କରାଯାଇଛି। ଏହି ମୋବାଇଲ ଆପ ମାଧ୍ୟମରେ ଯାତ୍ରୀମାନେ ଟ୍ରେନ ଚାଲୁଥିବା ସମୟରେ ମୋବାଇଲରୁ ଏଫଆଇଆର (FIR) ଦାଖଲ କରିପାରିବେ।

 

ରେଳ ବିଭାଗ ତରଫରୁ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆରମ୍ଭ କରାଯାଇଥିବା ଏହି ମୋବାଇଲ ଆପରୁ ଜିନିଷ ପତ୍ରର ଚୋରି, ମାରପିଟ, ଅସଦାଚରଣ ଆଦିର ତୁରନ୍ତ ଅଭିଯୋଗ କରିପାରିବେ। ଏହି ଆପ ମାଧ୍ୟମରେ କରାଯାଇଥିବା ଅଭିଯୋଗ ଉପରେ ରେଲୱେ ପୋଲିସ ଫୋର୍ସ ତୁରନ୍ତ ଆକ୍ସନ ନେବେ ଓ ଏହାକୁ ‘ଜିରୋ ଏଫଆଇଆର’ରେ ପରିବର୍ତ୍ତନ କରି ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆପରେ ମହିଳାଙ୍କ ସୁରକ୍ଷା ପାଇଁ ପ୍ୟାନିକ ବଟନର ସୁବିଧା ମଧ୍ୟ ରହିଛି। ଏହି ଆପ ଜରିଆରେ ମଧ୍ୟ ଅଫଲାଇନ ଓ ଏସଏମଏସ ମାଧ୍ୟମରେ ଅଭିଯୋଗ ଦାଖଲ କରାଯାଇ ପାରିବ।

 

‘ଜିରୋ ଏଫଆଇଆର’ ମାଧ୍ୟମରେ ଯେ କୌଣସି ବ୍ୟକ୍ତି ନିଜର ଅଭିଯୋଗ ଯେ କୌଣସି ପୋଲିସ ଷ୍ଟେସନରେ ରିପୋର୍ଟ କରିପାରିବେ। ପରବର୍ତ୍ତୀ ସମୟରେ ଏହି ଏଫଆଇଆର ଉକ୍ତ ପୋଲିସ ଷ୍ଟେସନକୁ ପଠାଇ ଦିଆଯାଏ, ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଥାଏ।

ଏହି ଆପ ସମ୍ବନ୍ଧରେ ରେଲୱେ ସୁରକ୍ଷା ବଳର ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି,”ମୋବାଇଲ ଆପ ମାଧ୍ୟମରେ ଏଫଆଇଆର ଦାଖଲ କରିବାର ପାଇଲଟ ପ୍ରୋଜେକ୍ଟ ବର୍ତ୍ତମାନ ମଧ୍ୟପ୍ରଦେଶରେ ଚାଲୁଅଛି। ଖୁବ ଶୀଘ୍ର ଏହାକୁ ସମଗ୍ର ଦେଶରେ ଲାଗୁ କରାଯିବ।“ ଏହି ଆପର ଏକ ମୁଖ୍ୟ କଥା ହେଉଛି, ଏହି ଆପରେ ରେଲୱେ ପୋଲିସ ଫୋର୍ସ ସହିତ ଜି.ଆର.ପି, ଟି.ଟି.ଆଇ ଓ ଟ୍ରେନ କଣ୍ଡକ୍ଟରଙ୍କୁ ମଧ୍ୟ ସଂଯୁକ୍ତ କରାଯାଇଛି।

 

ବର୍ତ୍ତମାନ ସମୟରେ ଯଦି ଟ୍ରେନରେ ଆପଣଙ୍କ ସହିତ ଦୁର୍ଘଟଣା ଘଟୁଛି ତେବେ ଅଭିଯୋଗ କରିବା ପାଇଁ ଟି.ଟି.ଆଇ ଆପଣଙ୍କୁ ଏକ ଅଭିଯୋଗ ଫର୍ମ ଦେଉଛି। ଏହି ଫର୍ମକୁ ପୂରଣ କରି ପରବର୍ତ୍ତୀ ଷ୍ଟେସନରେ ରେଲୱେ ପୋଲିସ କିମ୍ବା ଜି.ଆର.ପିକୁ ଦେବାକୁ ପଡିଥାଏ। ପରବର୍ତ୍ତୀ ସମୟରେ ଏହି ଅଭିଯୋଗ ଏଫଆଇଆର ରେ ପରିବର୍ତ୍ତନ ହୋଇଥାଏ। ଏହି ସଂପୂର୍ଣ୍ଣ ପ୍ରକ୍ରିୟା ଅଧିକ ସମୟ ଲଗାଇଥାଏ। ତେଣୁ ଯାତ୍ରୀ ମାନେ ନିଜ ସମସ୍ୟାର ସମାଧାନ ଖୁବ ଶୀଘ୍ର ପାଇ ପରିନଥାଆନ୍ତି।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon