ଟେଲିକମ କମ୍ପାନୀ: ଆଧାର ପାଇଁ ବନ୍ଦ ହେବନି ସିମ

Thursday, October 18, 2018

(ବେତାର ବ୍ୟୁରୋ) ଦେଶରେ ପ୍ରାୟ 50କୋଟି ମୋବାଇଲ ବ୍ୟବହାରକାରୀଙ୍କ ନମ୍ବର ବନ୍ଦ ହେବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଧାର ନମ୍ବର ସହିତ ଜଡ଼ିତ କେୱାଇସି (ନୋ ୟୋର କଷ୍ଟମର୍) ଯୋଗୁ ଏଭଳି ଏକ ସ୍ଥିତି ଉତ୍ପନ୍ନ ହେବାକୁ ଯାଉଛି ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ଦୁରସଞ୍ଚାର ବିଭାଗ ଓ ୟୁନିକ ଆଇଡେଣ୍ଟିଫିକେଶନ ଅଥରୀଟି ଅଫ ଇଣ୍ଡିଆ (UIDAI) ତରଫରୁ ଏହି ଖବରକୁ ମିଥ୍ୟା ବୋଲି କୁହାଯାଇଛି।

 

ପ୍ରଥମେ ଏହି ଖବରରେ କୁହାଯାଉଥିଲା ଯେ, ଯେଉଁ ମୋବାଇଲ ବ୍ୟବହାରକାରୀମାନେ ଟେଲିକମ୍ କଂପାନୀଗୁଡ଼ିକୁ ‘ଆଧାର’ ବ୍ୟତୀତ ଅନ୍ୟ କୌଣସି ଡକୁମେଣ୍ଟ ଦେଇ ନାହାନ୍ତି, ସେମାନଙ୍କ ସିମକାର୍ଡର କନେକ୍ସନ ବନ୍ଦ ହୋଇଯିବ। କିନ୍ତୁ ପରେ ଦୂରସଞ୍ଚାର ବିଭାଗ ଓ ୟୁନିକ ଆଇଡେଣ୍ଟିଫିକେଶନ ଅଥରୀଟି ଅଫ ଇଣ୍ଡିଆ (UIDAI)ମିଳିତ ଭାବରେ କହିଛନ୍ତି ଯେ, “ବର୍ତ୍ତମାନ ସୋସିଆଲ ମିଡିଆରେ 50କୋଟି ସିମ ବନ୍ଦ ହେବ ବୋଲି କୁହାଯାଉଛି ଯାହାକି ଭାରତର ସଂପୂର୍ଣ୍ଣ ମୋବାଇଲ ସର୍କୁଲେସନର ଅଧା ଅଟେ। ଏହା କେବେବି ହୋଇପାରିବ ନାହିଁ ଓ ଏହା ସଂପୂର୍ଣ୍ଣ ମିଥ୍ୟା ଖବର ଅଟେ।“

ପ୍ରଥମରୁ ଆସୁଥିବା ଖବର ଅନୁଯାୟୀ, କେବଳ ଆଧାର ଦେଇ ସିମ ନେଇଥିବା ବ୍ୟକ୍ତିମାନଙ୍କୁ ନୂଆ କେୱାଇସି ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ। ଆଧାର ଦେଇ ନିଆଯାଇଥିବା ସିମକୁ ଯଦି କୌଣସି ଅଲଗା ଆଇଡେଣ୍ଟିଫିକେସନ ପ୍ରକ୍ରିୟା ଦ୍ଵାରା ବ୍ୟାକଆପ ନଦିଆଯାଏ ତେବେ ଖୁବ ଶୀଘ୍ର ଏହି ସିମ ବନ୍ଦ ହୋଇଯିବ।

 

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ, ଟେଲିକମ ସେକ୍ରେଟେରୀ ଅରୁଣ ସୁନ୍ଦରରାଜନ ଏହି ମାମଲାକୁ ନେଇ ସେବାପ୍ରଦାନକାରୀ କମ୍ପାନୀଙ୍କ ସହ କଥା ହୋଇ ଅଥେଣ୍ଟିକେଶନର ଅନ୍ୟ ଉପାୟ ବିଷୟରେ ଆଲୋଚନା କରିଥିଲେ। ଅନ୍ୟପଟେ ଟେଲିକମ ବିଭାଗ ମଧ୍ୟ ଏନେଇ UIDAI ସହ କଥାବାର୍ତ୍ତା କରୁଛି। ଅରୁଣ ସୁନ୍ଦରରାଜନ କହିଛନ୍ତି, “ଏହି ସମସ୍ୟାକୁ ସରକାର ବହୁ ଗମ୍ଭୀରତାର ସହ ନେଇଛନ୍ତି ଓ ଏଥିରୁ ବାହାରିବା ପାଇଁ ଅନ୍ୟ ଉପାୟ ବିଷୟରେ ଆଲୋଚନା କରାଯାଉଛି। ସରକାର ଚାହୁଁଛନ୍ତି ନୂତନ ପ୍ରକ୍ରିୟା ପାଇଁ ଲୋକମାନଙ୍କୁ କୌଣସି ଅସୁବିଧା ନହେଉ। ସରଳ ପ୍ରକ୍ରିୟା ମାଧ୍ୟମରେ ଏହାର ସମାଧାନ ହୋଇଯାଉ।“

 

ଜିଓ ଗ୍ରାହକ ଅଧିକ ପ୍ରଭାବିତ ହୋଇପାରନ୍ତି

ସୂଚନାଯୋଗ୍ୟ, ରିଲାଏନ୍ସ ଜିଓ ‘ଆଧାର’ ଦ୍ୱାରା ହିଁ ସବୁଠୁ ଅଧିକ ନମ୍ବର ଗ୍ରାହକଙ୍କୁ ଦେଇଛି। କାରଣ ‘ଆଧାର’ରେ ଗ୍ରାହକଙ୍କ ପୂରା ତଥ୍ୟ ଥାଏ ଓ ବାୟୋମେଟ୍ରିକ୍ ଦ୍ୱାରା ସେମାନଙ୍କ ଚିହ୍ନଟ ହୋଇପାରେ। ବୁଧବାର କମ୍ପାନୀ ତରଫରୁ ଘୋଷଣା କରଯାଇଥିଲା ଯେ, ଗତମାସ ସୁଦ୍ଧା ଜିଓର ଗ୍ରାହକ ସଂଖ୍ୟା ୨୫ କୋଟିରେ ପହଞ୍ଚିଛି। ଏଣୁ ଜିଓ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହେବ। ଏହାସହିତ ଅନ୍ୟ କମ୍ପାନୀ ଯଥା ଏୟାରଟେଲ, ଭୋଡଫୋନ, ବିଏସଏନଏଲ ଇତ୍ୟାଦିଙ୍କ ପାଇଁ ମଧ୍ୟ ଏହା ଚ୍ୟାଲେଞ୍ଜ ରହିବ।

 

ସୁପ୍ରିମକୋର୍ଟଙ୍କ ରାୟ

କିଛି ଦିନ ତଳେ ସୁପ୍ରିମ୍‌କୋର୍ଟ ‘ଆଧାର’ ମାମଲାରେ ରାୟ ଦେଇ କହିଥିଲେ ଯେ ଟେଲିକମ୍ କମ୍ପାନୀଗୁଡିକ ମୋବାଇଲ୍ ଫୋନ ବ୍ୟବହାରକାରୀଙ୍କ ଆଧାର ନମ୍ବରକୁ ବ୍ୟବହାର କରିପାରିବେ ନାହିଁ। ତେବେ ୫୦ କୋଟି ମୋବାଇଲ୍ ନମ୍ବର ‘ଆଧାର’ରେ ହିଁ ଚାଲିଛି। କୋର୍ଟଙ୍କ ରାୟ ଅନୁଯାୟୀ, ଟେଲିକମ କମ୍ପାନୀ ଗୁଡିକ ହିତାଧିକାରୀଙ୍କ ଆଧାର କାର୍ଡ ସମ୍ପର୍କିତ ତଥ୍ୟକୁ ହଟାଇବାକୁ ପଡ଼ିବ। ଅନ୍ୟପକ୍ଷରେ ଏମାନେ ନିଜର ପରିଚୟ ସଂପର୍କରେ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେଇ ନଥିବା ଯୋଗୁ ଆଧାର ତଥ୍ୟ ହଟିବା ପରେ ମୋବାଇଲ୍ ନମ୍ବର ବି ବନ୍ଦ ହୋଇପାରେ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon