‘ରାସ୍ତା ତମ ବାପାର ନୁହଁ’ ବିଜ୍ଞାପନକୁ ନେଇ ବିବାଦରେ ଅକ୍ଷୟ କୁମାର

Saturday, November 3, 2018

(ବେତାର ବ୍ୟୁରୋ) କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ଵାରା ସଡକ ସୁରକ୍ଷା ଉପରେ ପ୍ରସ୍ତୁତ ବିଜ୍ଞାପନକୁ ନେଇ ବିବାଦ ଦେଖା ଦେଇଛି। ବଲିଉଡର ଅଭିନେତା ଅକ୍ଷୟ କୁମାର ଏଥିରେ ଟ୍ରାଫିକ ପୋଲିସ ଭାବରେ ଅଭିନୟ କରିଛନ୍ତି। ଏହି ବିଜ୍ଞାପନକୁ ଅତ୍ୟନ୍ତ ଆପତ୍ତିଜନକ ଓ ନାଗରିକଙ୍କ ପ୍ରତି ଅପମାନଜନକ ବୋଲି ଅଭିଯୋଗ କରାଯାଇଛି। ଏହି ବିଜ୍ଞାପନ ଗୁଡିକରେ ଟ୍ରାଫିକ ଭଙ୍ଗ କରୁଥିବା ଗାଡି ଚାଳକଙ୍କୁ ଟ୍ରାଫିକ ପୋଲିସ ଜଣକ ‘ରାସ୍ତା ତୁମ ବାପର ନୁହଁ’ ବୋଲି କହୁଥିବାର ଲକ୍ଷ୍ୟ କରାଯାଇଛି।

 

ଏହି ବିଜ୍ଞାପନକୁ ନେଇ ଓଡିଶାର ଜଣେ ସାମାଜିକ କର୍ମୀ ଶ୍ରୀ ଅଖଣ୍ଡ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିବା ସହିତ ଏହି ବିଜ୍ଞାପନକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଟ୍ରାଫିକ ନିୟମ ଭଙ୍ଗକାରୀଙ୍କୁ ଦଣ୍ଡ ବିଧାନ କରିବା ନିହାତି ଦରକାର, କିନ୍ତୁ କୌଣସି ପରିସ୍ଥିତିରେ ପୋଲିସ ଅଧିକାରୀ ସେମାନଙ୍କୁ ଗାଳି କରିବା ଆଇନ ବିରୁଦ୍ଧ। କଥିତ ବିଜ୍ଞାପନରେ ପୋଲିସ ଭୂମିକାରେ ଥିବା ଅକ୍ଷୟ କୁମାର ଗାଡିଚାଳକଙ୍କ ବାପାଙ୍କ ନାମ ନେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଏହା ଆଇନ ସମ୍ମତ ନୁହେଁ।

ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଅନେକ ବିଜ୍ଞାପନ ଏହାର ୱେବସାଇଟ, ବିଭିନ୍ନ ଟିଭି ଚ୍ୟାନେଲ ଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରାଯାଉଛି, ଯାହାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। ଏହି ବିଜ୍ଞାପନ ଗୁଡିକ ମଧ୍ୟରୁ ଗୋଟିଏ ବିଜ୍ଞାପନରେ ଜଣେ ବ୍ୟକ୍ତିଙ୍କୁ ପୋଲିସ କର୍ମଚାରୀ ବାଲ ଗଙ୍ଗାଧର ତିଳକଙ୍କ ପୁଅ ବୋଲି କହି ତାତ୍ସଲ୍ୟ କରୁଛନ୍ତି।

 

ସେହିପରି ଅନ୍ୟ ଏକ ବିଜ୍ଞାପନରେ ଜଣେ ଯୁବକଙ୍କ ମୁହଁ ହାସ୍ୟ କଳାକାର ମେହମୁଦଙ୍କ ଭଳି ଦେଖାଯାଉଥିବା ବର୍ଣ୍ଣନା କରି ମେହମୁଦ ତୁମ ବାପା କି ବୋଲି ପଚାରୁଛନ୍ତି। ସାମାଜିକ କର୍ମୀ ଶ୍ରୀ ଅଖଣ୍ଡଙ୍କ ମତରେ ପ୍ରତ୍ୟେକ ନାଗରିକଙ୍କର ଆତ୍ମସମ୍ମାନ ଓ ମାନବାଧିକାର ରହିଛି, କିନ୍ତୁ ଏହି ବିଜ୍ଞାପନରେ ଏହାକୁ ସମ୍ମାନ କରାଯାଉ ନାହିଁ। ଏହି ଭଳି ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଗାଳି ଦେବା ପାଇଁ ପୋଲିସକୁ ପ୍ରୋତ୍ସାହନ ମିଳୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ମଧ୍ୟ ଅକ୍ଷୟ କୁମାର ସଡକ ସୁରକ୍ଷା ସଚେତନତା ଅଭିଯାନରେ ଯୋଗ ଦେଇଛନ୍ତି। କିଛି ମାସ ପୂର୍ବରୁ ସେ ପ୍ରକୃତ ପୋଲିସଙ୍କ ସହିତ ଜଣେ ଟ୍ରାଫିକ କନଷ୍ଟେବଳ ଭାବରେ ପରିଚୟ ଦେଇ ଫଟୋ ଉଠାଇଥିଲେ। ଗାଡି ଚଳାଇବା ସମୟରେ ହେଲମେଟ ପିନ୍ଧିବା ଓ ଗାଡି ଚଳାଇବା ସମୟରେ ସଡକ ନିୟମକୁ ମାନିବାକୁ ନେଇ ଗତ କିଛି ବର୍ଷ ହେବ ଅକ୍ଷୟ କୁମାର ଅଭିଯାନକୁ ସମର୍ଥନ କରୁଛନ୍ତି।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon