ଧରାପଡିଲା ମଣିଷଖିଆ ବାଘୁଣୀ ସୁନ୍ଦରୀ :ନିଶା ଇଞ୍ଜେକ୍ସନରେ ନିସ୍ତେଜ

Tuesday, November 6, 2018

 

(ବେତାର ବ୍ୟୁରୋ) ଦୁଇ ସପ୍ତାହ ଧରି ଲୁଚକାଳି ଖେଳୁଥିବା ମଣିଷ ଖିଆ ବାଘୁଣୀ ସୁନ୍ଦରୀ ଶେଷରେ ଧରାପଡ଼ିଛି। ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିବା କଥା ଜଙ୍ଗଲ ବିଭାଗର ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସାତକୋଶିଆ ମଝିପଡା ଜଙ୍ଗଲରେ ସୁନ୍ଦରୀ ଥିବା ବେଳେ ବିଶେଷଜ୍ଞ ଦଳ ଚନ୍ଦକାରୁ ଆସିଥିବା କୁମକୀ ହାତୀ ଯଶୋଦା ପିଠିରୁ ସୁନ୍ଦରୀକୁ ନିଶ୍ଚେତକ ଗୁଳି କରିଛନ୍ତି ବୋଲି ସୂଚନା ଦେଇଛନ୍ତି।


ଜଙ୍ଗଲ ବିଭାଗର ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି, “ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାକୁ ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ହୋଇଥିଲେ। ନନ୍ଦନକାନନରୁ କୁମକୀ ହାତୀ ଯଶୋଦାକୁ ଅପରେସନ୍‌ରେ ନିୟୋଜିତ କରାଯାଇଥିଲା। ଯାହା ସଫଳ ହୋଇଛି। ନନ୍ଦନକାନନ ଏବଂ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ସ୍ୱତନ୍ତ୍ର ଟିମ୍‌ ନିୟୋଜିତ ହୋଇଥିଲେ। ଏବେ ସୁନ୍ଦରୀକୁ ରାଇଘରକୁ ନିଆଯିବ।”

 

କେମିତି ଦେଲା ଧରା 

ବାଘୁଣୀ ସୁନ୍ଦରୀକୁ ପ୍ରଥମେ ମଇଁଷି ଖାଇବାକୁ ଦିଆଯାଇଥିଲା ଓ ଏହାପରେ ନିଶ୍ଚେତକ ଗୁଳି କରାଯାଇଥିଲା। ଦିନ ପ୍ରାୟ ୧୧ଟାରୁ ୧୧:୩୦ଘଣ୍ଟା ମଧ୍ୟରେ ସୁନ୍ଦରୀକୁ ନିଶ୍ଚେତକ ଦିଆଯାଇଥିଲା ଓ ବର୍ତ୍ତମାନ ସୁନ୍ଦରୀ ସଂପୂର୍ଣ୍ଣ ସୁସ୍ଥ ଅଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି।

ଅନୁଗୋଳର ସାତକୋଶିଆ କୋର ଜଙ୍ଗଲରେ ସୁନ୍ଦରୀକୁ ଛଡ଼ାଯାଇଥିଲା। ହେଲେ ସୁନ୍ଦରୀ ଜଙ୍ଗଲ ଭିତରେ ରହିବା ବଦଳରେ ଜନବସତି ଆଡ଼କୁ ଚାଲି ଆସିଥିଲା। ସେତିକି ନୁହେଁ ବାଘ୍ର୍ୟ ପ୍ରକଳ୍ପର ହାତିବାରୀ ଓ ଟାଇଁସିରେ ଦୁଇ ଜଣ ଲୋକଙ୍କୁ ମାରିଦେଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ ବାଘ ଆକ୍ରମଣ କରିଥିବାର ପ୍ରମାଣ ନ ଥିବାରୁ ବାଘୁଣୀକୁ ନରଖାଦକ  (man-eater) ବୋଲି ଘୋଷଣା କରାଯିବ ନାହିଁ ବୋଲି ଜଙ୍ଗଲ ବିଭାଗର ମୁଖ୍ୟ ଅଧିକାରୀ କହିଥିଲେ।।  

 

ଟାଇଁସି ଅଞ୍ଚଳରେ ସୁନ୍ଦରୀ ଜଣଙ୍କୁ ମାରିବା ଅଭିଯୋଗ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଲୋକମାନେ ରାସ୍ତାରେ ଶବ ରଖି ସାତକୋଶିଆରୁ ସୁନ୍ଦରୀକୁ ସ୍ଥାନାନ୍ତର ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ପୁଲିସ ଭ୍ୟାନ୍ ପୋଡ଼ି ଦେଇଥିଲେ। ଲୋକଙ୍କ ଢେଲା ମାଡ଼ରେ ୩ ଜଣ ପ୍ରଶାସନିକ ଅଧିକାରୀ ଗୁରୁତର ଆହତ ହୋଇଥିଲେ।

 

ଦିନକୁ ଦିନ ସୁନ୍ଦରୀ ବିରୋଧରେ ଅଭିଯୋଗର ତାଲିକା ଲମ୍ବୁଥିବାରୁ ପ୍ରଶାସନ ଶେଷରେ ତାକୁ ଟ୍ରାଙ୍କୁଲାଇଜ୍‌ କରି କାବୁ କରିବାକୁ ନିଷ୍ପତ୍ତି ନେଇଥିଲା। ବନ ବିଭାଗ ଓ ଟ୍ରାଙ୍କୁଲାଇଜ ଟିମ ସୁନ୍ଦରୀକୁ କାବୁ କରିବାକୁ ଦିନରାତି ଏକ କରି ଦେଇଥିଲେ। ହେଲେ ସୁନ୍ଦରୀ ଏମାନଙ୍କ ଫାସରେ ଫଶି ନଥିଲା। ସେ ଜଙ୍ଗଲର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପ୍ରଶାସନିକ ଅଧିକାରୀ ଓ ଟ୍ରାଙ୍କୁଲାଇଜ ଟିମକୁ ଭୂଆଁ ବୁଲାଇଥିଲା। ପାଞ୍ଚଥର ଟ୍ରାଙ୍କୁଲାଇଜ କରିବାର ପ୍ରୟାସ ବିଫଳ ହେବା ପରେ କୁମକୀ ହାତୀ ଯଶୋଦାକୁ ଅପରେସନରେ ନିୟୋଜିତ କରାଯାଇଥିଲା। ଯଶୋଦା ସହାୟତାରେ ଶେଷରେ ସୁନ୍ଦରୀକୁ କାବୁ କରିବାକୁ ପ୍ରଶାସନ ସଫଳ ହୋଇଛି।

ସୁନ୍ଦରୀ ଧରା ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ସାତକୋଶିଆ ଅଞ୍ଚଳରେ ଲୋକେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି। କାରଣ ସୁନ୍ଦରୀକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଥିଲା, ଲୋକେ ସନ୍ଧ୍ୟା ହେବା ପରେ ଘରୁ ବାହାରୁ ନଥିଲେ। ପିଲାମାନେ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ। ଖାଲି ସେତିକି ନୁହେଁ ଗୃହପାଳିତ ପ୍ରାଣୀଙ୍କୁ ଗୁହାଳରୁ ମଧ୍ୟ ବାହାର କରୁନଥିଲେ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon