ଓକିଲ ଆନ୍ଦୋଳନ ଶେଷ: ଗୁରୁବାରରୁ ଆରମ୍ଭ ହାଇକୋର୍ଟ

Wednesday, November 14, 2018

(ବେତାର ବ୍ୟୁରୋ) ଦୀର୍ଘ ଅଢେଇମାସ ଧରି ଚାଲିଥିବା ଆଇନଜିବୀଙ୍କ ଆନ୍ଦୋଳନ ବୁଧବାର ଦିନ ପ୍ରତ୍ୟାହାର ହୋଇଛି। ପୁଲିସ-ଓକିଲ ବିବାଦ ମାମଲାରେ ଜଣେ ହାବିଲଦାର ଓ ଦୁଇଜଣ କନଷ୍ଟେବଲ ବୁଧବାର ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିବା ପରେ ବିବାଦର ସମାଧାନ ହୋଇଛି। ବାର ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ପରେ ଗୁରୁବାର ଠାରୁ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ବୋଲି ବାର ଆସୋସିଏସନର ସଭାପତି ଶ୍ରୀକାନ୍ତ ନାୟକ ସୂଚନା ଦେଇଛନ୍ତି।

 

ନୂଆବଜାରରେ ଆଇନଜୀବୀଙ୍କୁ ମାଡ଼ ମାରିଥିବା ତିନି ଜଣ ପୁଲିସ କର୍ମଚାରୀ ବୁଧବାର ଦିନ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ ଓ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ହାବିଲଦାର ପି.କେ ବେହେରା ଓ ଦୁଇଜଣ କନଷ୍ଚେବଲ ବି.କେ ସାମଲ ଏବଂ ୟୁ.କେ ଭୂୟାଁ। ଏଭଳି ଘଟଣା ଯେପରି ଆଗକୁ ଆଉ ପୁନରାବୃତ୍ତି ନହୁଏ ଏଥିପାଇଁ  ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୭ ଦିନ ଭିତରେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

 

କଟକରେ ଜଣେ ଓକିଲଙ୍କୁ ପୁଲିସ୍‌ କର୍ମଚାରୀ ମାଡ଼ ମାରିବା ଅଭିଯୋଗ କରି ଅଗଷ୍ଟ ୨୯ ତାରିଖରୁ ଓକିଲମାନେ ଆନ୍ଦୋଳନ ଚଳାଇଥିଲେ। ଏଥିଯୋଗୁ କୋର୍ଟ କାର୍ଯ୍ୟ ଚାଲି ପାରୁ ନଥିଲା। ଏହାର ସମାଧାନ ଲାଗି ପୂର୍ବରୁ ଅନେକ ଥର ଚେଷ୍ଟା କରାଯାଇଥିଲା, ହେଲେ କିଛି ସମାଧାନ ହୋଇପାରିନଥିଲା। ଓକିଲମାନଙ୍କ ଆନ୍ଦୋଳନ ଯୋଗୁ ଜେଲରେ ଅଭିଯୁକ୍ତଙ୍କ ସଂଖ୍ୟା ବଢି ଚାଲିଥିଲା। ଲୋକମାନେ ଅନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇଥିଲେ। ଏହାକୁ ନଜରରେ ରଖି ସରକାରଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ମଧ୍ୟ କରାଯାଇଥିଲା।

କାହିଁକି ହେଲା ବିବାଦ

ଗତ ଅଗଷ୍ଟ ମାସ 28 ତାରିଖ ମଙ୍ଗଳବାର ଠାରୁ ଏହି ବିବାଦ ଆରମ୍ଭ ହୋଇଥିଲା। କଟକ ଚାଉଳିଆଗଞ୍ଜ ଓଭରବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଦେବୀପ୍ରସାଦ ପଟ୍ଟନାୟକ ନାମକ ଜଣେ ଆଇନଜୀବୀଙ୍କ ବାଇକ ଅନ୍ୟ ଏକ ବାଇକ ସହିତ ଧକ୍କା ହୋଇଥିଲା। ଏହାକୁ ନେଇ ଦେବୀପ୍ରସାଦଙ୍କୁ ସ୍ଥାନୀୟ ଲୋକେ ଘେରି ଯାଇଥିଲେ। 

 

ଖବର ପାଇ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚଥିଲା। ହେଲେ ସେଠାରେ ପୋଲିସ ଓ ଦେବୀପ୍ରସାଦଙ୍କ  ମଧ୍ୟରେ କଥା କଟାକଟି ହୋଇ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ମାତ୍ର ଚାଉଳିଆଗଞ୍ଜ ଥାନା ପୋଲିସ ଦେବୀପ୍ରସାଦଙ୍କୁ ମାଡ଼ ମାରିଥିବା ଅଭିଯୋଗ କରି  ବହୁସଂଖ୍ୟକ ଆଇନଜୀବୀ ବିଳମ୍ବିତ ରାତି ଯାଏ  ଥାନା ଘେରାଉ କରିଥିଲେ।  ଏହି ଘଟଣାକୁ ନେଇ ଅଗଷ୍ଟ 29 ତାରିଖରେ ହାଇକୋର୍ଟରେ ଆଇନଜୀବୀଙ୍କ ସାଧାରଣ ପରିଷଦ ବୈଠକ ବସି କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଥିଲା। ପୋଲିସ ବିରୋଧୀ ନାରାବାଜି କରିବା ସହ ଟାୟାର ଜାଳି  ହାଇକୋର୍ଟ ସାମ୍ନା ରାସ୍ତାରେ ହାଇକୋର୍ଟର ବହୁ ସଂଖ୍ୟକ ଆଇନଜୀବୀ ପ୍ରତିବାଦ କରିବାକୁ ଓହ୍ଲାଇଥିଲେ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon