କହିଥିଲେ ଟ.୬୧ ଲକ୍ଷ ଲୁଟ ହେଇଛି; ଅଭିଯୋଗକାରୀଙ୍କ ଘରୁ ଟ.୨୭ଲକ୍ଷ ଜବତ

Thursday, November 15, 2018

(ବେତାର ବ୍ୟୁରୋ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ଥାନା ବାଘମାରୀ-କଳାପଥର ରାସ୍ତାର ଗୋଡିଆପଲ୍ଲୀ ନିକଟରୁ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ୬୧ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣାର ରହସ୍ୟ ଜଣାପଡିଯାଇଛି। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିବା ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ସୂଚନା ଦେଇଛନ୍ତି। ପୋଲିସ ଉକ୍ତ ଅଭିଯୋଗକାରୀଙ୍କ ଘରୁ ୨୭ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି।

 

ଏହି ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ପାଞ୍ଚଜଣଙ୍କ ମଧ୍ୟରୁ ଜଣକୁ ଅଟକ ରଖି ପଚରାଉଚୁରା ମଧ୍ୟ କରୁଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି, କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ ବଡଗଡ ଗ୍ରାମର ଶ୍ରୀକାନ୍ତ ସାହୁ, ଲକ୍ଷ୍ମୀନାରାୟଣ ଖଟୁଆ, ପୁଇଁଚା ଗ୍ରାମର ସୁନୀଲ ମହାନ୍ତି, ସୁଧୀର ମହାନ୍ତି ଓ ପପୁ ମାର୍ଥା।

 

ପୋଲିସଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର ୮ ତାରିଖ ଗୁରୁବାର ଅପରାହ୍ନ ୧.୩୦ଘଣ୍ଟାରେ ସଂସ୍ଥାର କର୍ମଚାରୀ ଶ୍ରୀକାନ୍ତ ସାହୁ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ। ସେ ନିଜ ଅଭିଯୋଗରେ କହିଥିଲେ ଯେ, ଗୋଡିଆପଲ୍ଲୀ ପଞ୍ଚାୟତ ପାଇକରାପୁର ପ୍ରାଥମିକ ବିଦ୍ୟାଳୟ ନିକଟରୁ ଉକ୍ତ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ କିଛି ଦୁର୍ବୁତ୍ତ ୬୧ଲକ୍ଷ ଟଙ୍କା ଲୁଟ କରି ନେଇଯାଇଥିଲେ।

 

ଘଟଣାଟି ଥିଲା ଏପରି

ଏହି ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ବିଭିନ୍ନ ଅଞ୍ଚଳରୁ ସଂସ୍ଥାର ଟଙ୍କା ଅଦାୟକରିବା ପରେ କର୍ମଚାରୀ ଶ୍ରୀକାନ୍ତ ସାହୁ, ଲକ୍ଷ୍ମୀନାରାୟଣ ଖଟୁଆ ଓ ଗାଡି ଚାଳକ ପ୍ରଭାତ କୁମାର ବରାଡ ଏକ ଗାଡିରେ ଖୋର୍ଦ୍ଧା ଅଭିମୁଖେ ଆସୁଥିଲେ। ତେବେ ଗୋଡିଆପଲ୍ଲୀ ପଞ୍ଚାୟତର ପାଇକରାପୁର ପ୍ରାଥମିକ ସ୍କୁଲ ନିକଟରେ ଛଅ ଜଣ ଦୁର୍ବୃତ୍ତ ତିନୋଟି ମଟର ସାଇକେଲରେ ଆସି ସେମାନଙ୍କୁ ମାରଣାସ୍ତ୍ର ଦେଖାଇଥିଲେ। ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ତାଙ୍କଠାରୁ ୬୧ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ।

 

ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଅଧିକାରୀମାନେ ତଦନ୍ତ ଚଳାଇଥିଲେ। ଘଟଣା ବିଷୟରେ ଅଭିଯୋଗ କରିଥିବା ଶ୍ରୀକାନ୍ତଙ୍କୁ ଥାନାକୁ ଡାକି ପଚରା ଉଚୁରା କରିବା ପରେ ପୋଲିସ ସୁରାକ ପାଇଥିଲେ।

 

ବୁଧବାର ସକାଳେ ଖୋର୍ଦ୍ଧା ଏସପି ଦୀପ୍ତିରଞ୍ଜନ ରାୟ, ଏସଡ଼ିପିଓ ଯୁଗଳ କିଶୋର ଦାସ, ଟାଉନଥାନା ଅଧିକାରୀ ରଞ୍ଜିତ କୁମାର ସାହୁ, ବାଙ୍କୀ ଏସଡ଼ିପିଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବୈଦେଶ୍ଵର ଥାନା ଅଧିକାରୀ ସତ୍ୟନାରାୟଣ ସେନାପତି, ବାଘମାରୀ ଫାଣ୍ଡି ଥାନା ଅଧିକାରୀ ମୁରଲୀଧର ବଳିୟାର ସିଂ ଓ ବେଗୁନିଆ ଥାନା ଏସଆଇ ସନାତନ ମଲ୍ଲିକ ତିନୋଟି ଦଳରେ ବିଭକ୍ତ ହୋଇ ପୁଇଁଚା ଗ୍ରାମର ସୁନୀଲ ମହାନ୍ତି, ପାପୁ ମାର୍ଥା ଓ ସୁଧୀର ମହାନ୍ତିଙ୍କ ଘରେ ଚଢାଉ କରିଥିଲେ। ଏମାନଙ୍କୁ ମାରାଥନ ଜେରା କରାଯିବା ପରେ, ଘର ମଧ୍ୟରେ ବିଭିନ୍ନ ସ୍ଥାନରୁ ୨୭ଲକ୍ଷ ୪୪ ହଜାର ଟଙ୍କା ନଗଦ ଜବତ କରିଥିଲେ।

 

           

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon