ମୋବାଇଲର ଡାଟା ପ୍ୟାକ ଶୀଘ୍ର ସରୁଛି? ଜାଣନ୍ତୁ ଟିପ୍ସ

Saturday, November 24, 2018

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ ରହିଛି ଓ ପ୍ରାୟ ଲୋକ ମୋବାଇଲରେ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ବଜାରରେ ଅନେକ ନେଟୱର୍କ ଅପରେଟର ରହିଛି, କିନ୍ତୁ ରିଲାଏନ୍ସ ଜିଓ ବଜାରକୁ ଆସିବା ପରେ ନେଟୱର୍କ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ବଢିଯାଇଛି। ଗ୍ରାହକମାନଙ୍କୁ କମ ମୂଲ୍ୟରେ ଇଣ୍ଟରନେଟ ପ୍ୟାକ ମିଳିଯାଉଛି। ବେଳେ ବେଳେ ଆପଣ ଲକ୍ଷ୍ୟ କରିଥିବେ ଯେ, କିଛି ବି ଇଣ୍ଟରନେଟର ବ୍ୟବହାର ନକରି ମଧ୍ୟ ଡାଟା ପ୍ୟାକ ସରିଯାଇଥାଏ। ଶସ୍ତାରେ ଡାଟା ପ୍ୟାକ ମିଳିଯାଇଥିବାରୁ ଯେତେ ଡାଟା ପ୍ୟାକ ସାରିଲେ ହେଲେ ମଧ୍ୟ ଖୁବ କମ ଲୋକ ଏଥିପାଇଁ ଚିନ୍ତା କରିଥାନ୍ତି।

 

ଯଦି ଆପଣ ନିଜ ଫୋନର ଡାଟା ପ୍ୟାକକୁ ଧ୍ୟାନର ସହିତ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଅନେକ ଉପାୟ ରହିଛି। ଏଥିପାଇଁ କଣ କଣ କରିବେ ଜାଣନ୍ତୁ।

 

୧.ଫେସବୁକର ଅଟୋ-ପ୍ଲେ କୁ ବନ୍ଦ କରନ୍ତୁ: ଫେସବୁକରେ ଅନ୍ୟମାନଙ୍କର ପୋଷ୍ଟକୁ ଦେଖିବା ସମୟରେ ଫଟୋ ବ୍ୟତୀତ ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ। ଯଦି ଏହି ଭିଡିଓ ଆପେ ଆପେ ପ୍ଲେ ହୋଇଥାଏ ତେବେ ଏହା ଅଧିକ ଡାଟା ଖର୍ଚ୍ଚ କରିଥାଏ। ଏଥିପାଇଁ ଫେସବୁକର ସେଟିଙ୍ଗକୁ ଯାଇ ଅଟୋ-ପ୍ଲେ ଅପ୍ସନକୁ ବନ୍ଦ କରିଦିଅନ୍ତୁ।

 

୨.ଅଟୋ ଅପଡେଟ ବନ୍ଦ କରନ୍ତୁ: ସ୍ମାର୍ଟଫୋନରେ ବ୍ୟବହାର କରୁଥିବା ଆପ ଗୁଡିକୁ କିଛି ଦିନ ବ୍ୟବଧାନରେ ଅପଡେଟ କରିବାକୁ ପଡିଥାଏ। ଯଦି ଆପଣଙ୍କ ଆଣ୍ଡ୍ରଏଡ ଫୋନରେ ଅଟୋ-ଅପଡେଟ ଅପ୍ସନ ଅନ ରହିଛି ତେବେ ଏହି ଆପ ଗୁଡିକ ଆପେ ଆପେ ଅପଡେଟ ହୋଇଯାଇଥାଏ। ଏଥିପାଇଁ ପ୍ଲେଷ୍ଟୋରକୁ ଯାଇ ଅଟୋ-ଅପଡେଟ ଅପ୍ସନକୁ ବନ୍ଦ କରିଦିଅନ୍ତୁ।

୩.ଫଟୋ ଓ ଭିଡିଓ ଡାଉନଲୋଡ: ଏପରି ଅନେକ ସୋସିଆଲ ମିଡିଆ ଆପ ରହିଛି ଯେଉଁଥିରେ ଆପଣଙ୍କ ବନ୍ଧୁଙ୍କ ଦ୍ଵାରା ପଠାଯାଇଥିବା ଫଟୋ ଏବଂ ଭିଡିଓ ଆପେ ଆପେ ଡାଉନଲୋଡ ହୋଇଯାଇଥାଏ। ଏହାଦ୍ଵାରା ଆପଣଙ୍କ ମୋବାଇଲର ସ୍ପେସ ପୁରା ହେବା ସହିତ ଡାଟା ପ୍ୟାକ ମଧ୍ୟ ଶୀଘ୍ର ସରିଥାଏ। ଏଥିପାଇଁ ସେହି ଫେସବୁକ/ ହ୍ଵାଟସାପ ପ୍ରଭୃତି ସୋସିଆଲ ମିଡିଆ ଆପର ସେଟିଙ୍ଗକୁ ଯାଇ ଅଟୋ ଡାଉନଲୋଡ ଅପ୍ସନକୁ ବନ୍ଦ କରନ୍ତୁ।

 

୪.ବ୍ୟାକଗ୍ରାଉଣ୍ଡ ଡାଟା ବନ୍ଦ କରନ୍ତୁ: ସ୍ମାର୍ଟଫୋନରେ ବ୍ୟବହାର କରୁଥିବା ଆପଗୁଡିକ ଦୁଇ ପ୍ରକାରରେ ଯଥା ଫୋରଗ୍ରାଉଣ୍ଡ ଓ ବ୍ୟାକଗ୍ରାଉଣ୍ଡ ଭାବରେ ଡାଟା ବ୍ୟବହାର କରିଥାନ୍ତି। ଯେତେବେଳେ ଆପଣ ସେହି ଆପକୁ ବ୍ୟବହାର କରିଥାନ୍ତି, ସେହି ସମୟରେ ଫୋରଗ୍ରାଉଣ୍ଡ ଭାବରେ ଡାଟା ବ୍ୟବହାର ହୋଇଥାଏ, କିନ୍ତୁ ଯେତେବେଳେ ଆପଣ ସେହି ଆପକୁ ବ୍ୟବହାର କରୁନାହାନ୍ତି ଓ ଡାଟା ବ୍ୟବହାର ହେଉଥାଏ, ତାହାକୁ ବ୍ୟାକଗ୍ରାଉଣ୍ଡ ଡାଟା କୁହାଯାଏ। ଫେସବୁକ ଓ ଇନଷ୍ଟାଗ୍ରାମ ପରି ଆପ ଗୁଡିକ ଅଧିକ ବ୍ୟାକଗ୍ରାଉଣ୍ଡ ଡାଟା ବ୍ୟବହାର କରିଥାନ୍ତି। ଏଥିପାଇଁ ଏହି ବ୍ୟାକଗ୍ରାଉଣ୍ଡ ଡାଟାକୁ ସେଟିଂରେ ବନ୍ଦ କରନ୍ତୁ।  

୫.କ୍ରୋମରେ ଡାଟା କମ୍ପ୍ରେସର ବ୍ୟବହାର କରନ୍ତୁ: ସ୍ମାର୍ଟଫୋନରେ ୱେବ ବ୍ରାଉଜିଙ୍ଗ କରିବା ଦ୍ଵାରା ଅଧିକ ଡାଟା ଖର୍ଚ୍ଚ ହୋଇଥାଏ। ଏଥିପାଇଁ କ୍ରୋମରେ ଥିବା ଡାଟା କମ୍ପ୍ରେସନ ଅପ୍ସନକୁ ବ୍ୟବହାର କରିପାରିବେ। କ୍ରୋମକୁ ଖୋଲିବା ପରେ ଡାହାଣ କଣରେ ଥିବା ତିନୋଟି ବିନ୍ଦୁଉପରେ କ୍ଲିକ କରନ୍ତୁ। ଏହାପରେ settings ଉପରେ କ୍ଲିକ କରନ୍ତୁ ଓ data saver ଅପ୍ସନ ଉପରେ କ୍ଲିକ କରନ୍ତୁ। ଏହାପରେ ବ୍ରାଉଜିଙ୍ଗ କଲେ କମ ଡାଟା ଖର୍ଚ୍ଚ ହେବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon