ରୋବଟ 2.0 : 3D ଗ୍ରାଫିକ୍ସରେ ଫ୍ୟାନ ଉଲ୍ଲସିତ, ସମୀକ୍ଷକ ନିରାଶ

Friday, November 30, 2018

(ବେତାର ବ୍ୟୁରୋ) ବହୁ ଚର୍ଚ୍ଚିତ 2.0 ଫିଲ୍ମର ରିଲିଜ ଭାରତ ତଥା ବିଦେଶର ଅନେକ ସ୍ଥାନରେ ହେବାପରେ ବିଭିନ୍ନ ସ୍ଥାନରୁ ପ୍ରଶଂସକଙ୍କ ଉଲ୍ଲସିତ ଓ ଆମୋଦିତ ହେବାର ଖବର ବିଭିନ୍ନ ସୋସିଆଲ ମିଡିଆରୁ ମିଳୁଛି । ଖାସ କରି ରଜନୀକାନ୍ତ ଙ୍କ ଫ୍ୟାନ ମାନେ , ଯେଉଁମାନେ ଗତ ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ହେଲା ଏହି ଫିଲ୍ମକୁ ଅପେକ୍ଷା କରି ରହିଥିଲେ, ସେମାନେ ତାଙ୍କର ଏହି ନୂଆ ଅବତାର ଦେଖି ଅନେକ ଖୁସି ଅଛନ୍ତି ।

 

ପ୍ରସିଦ୍ଧ  ତାମିଲ ନିର୍ଦ୍ଦେଶକ ଶଙ୍କରଙ୍କ ଏହି ଫିଲ୍ମ ଆରମ୍ଭରୁ ଏକ ବିଶାଳ ପକ୍ଷୀ ବିଭିନ୍ନ ସ୍ମାର୍ଟଫୋନ ନେଟୱାର୍କ ଗୁଡିକୁ ନଷ୍ଟ କରୁଥିବା ଦୃଶ୍ୟରୁ ଆରମ୍ଭ ହେଇଛି , ଯାହା ଦର୍ଶକଙ୍କୁ ଆରମ୍ଭରୁ ଆମୋଦିତ କରି ରଖିଛି । ପ୍ରାୟ 543 କୋଟି ଟଙ୍କାରେ ନିର୍ମିତ ହେଇଥିବା ଏହି ଫିଲ୍ମ ହଲିଉଡର ବ୍ୟାଟମାନ, ଏକ୍ସ-ମେନ ପରି ଫିଲ୍ମ ଠାରୁ ମଧ୍ୟ ବଡ ବଜେଟରେ ନିର୍ମାଣ ହେଇଛି ।

 

କିଛି ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ ଦକ୍ଷିଣ ଭାରତର ଏକ ସିନେମା ହଲରେ ରଜନୀକାନ୍ତଙ୍କ ଏଣ୍ଟ୍ରି ସମୟରେ ଫିଲ୍ମକୁ ୩ ମିନିଟ ପଜ୍ କରିଦିଆ ଯାଇଥିଲା ଏବଂ ଦର୍ଶକମାନେ ବାଜା ବଜାଇ ହଲରେ ହିଁ ନାଚିବାକୁ ଲାଗିଲେ । ବାଙ୍ଗାଲୋର ଏବଂ ଚେନ୍ନାଇରେ ସକାଳ ୬ ଟାରୁ ସିନେମା ଘରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା ।

 

ଆନିମେସନ, 3D

ଏହି ଫିଲ୍ମର ନିର୍ମାଣରେ ପ୍ରଯୋଜକମାନେ ଅଧିକ ଟଙ୍କା 3D ଗ୍ରାଫିକ୍ସ ଓ ଆନିମେସନରେ ଖର୍ଚ୍ଚ କରିଥିଲେ , ଯାହାକି ଫିଲ୍ମ ପରଦାରେ ସ୍ପଷ୍ଟ ଭାବେ ଦିଶୁଚି ।  ସେହିପରି ଫିଲ୍ମର ଡଲବି ATMOS ଟେକ୍ନୋଲୋଜିର ବ୍ୟବହାର ହେଇଥିବାରୁ ଶବ୍ଦ ମଧ୍ୟ ଅତି ଚମତ୍କାର ହେଇଛି । ଫିଲ୍ମର ସାଉଣ୍ଡ ଏତେ ପ୍ରଭାବଶାଳି ଓ ସୂକ୍ଷ୍ମ ଥିଲା ଯେ ଏକ ସ୍ମାର୍ଟଫୋନ ବାଜୁଥିବା ଦୃଶ୍ୟରେ କିଛି ବ୍ୟକ୍ତି ନିଜ ପକେଟରେ ଫୋନ ଅଣ୍ଡାଳୁଥିଲେ ବୋଲି ଜଣେ ଫିଲ୍ମ ସମୀକ୍ଷକ ଲେଖିଛନ୍ତି ।

 

ଫିଲ୍ମର କାହାଣୀରେ ରଜନୀକାନ୍ତ ତାଙ୍କର ପୂର୍ବ ଫିଲ୍ମ ରୋବଟ ପରି ଜଣେ ବୈଜ୍ଞାନିକ ହେଇଛନ୍ତି । ଏଥିରେ ଅକ୍ଷୟ କୁମାର ମଧ୍ୟ ବୈଜ୍ଞାନିକ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ହେଲେ, କୌଣସି କାରଣରୁ ସେ ଖରାପ ମାର୍ଗ ଅନୁସରଣ କରୁଛନ୍ତି । ସମଗ୍ର ଫିଲ୍ମରେ ରଜନୀକାନ୍ତ ଓ ଅକ୍ଷକୁମାରଙ୍କ ଲଢେଇର ଦୃଶ୍ୟ ଅତ୍ୟନ୍ତ ପ୍ରଭାବଶାଳୀ, ରୋମାଞ୍ଚକର ହେଇଛି । ଏହି ଫାଇଟ ସିନକୁ କେବଳ ସିନେମାହଲର ପରଦାରେ ଓ 3Dରେ ଦେଖିବା କଥା ବୋଲି ଅନ୍ୟତମ ତାମିଲ ସୁପରଷ୍ଟାର ଧନୁଷ ଟ୍ଵିଟରରେ ଟିପ୍ପଣୀ କରିଛନ୍ତି ।

 

ଲୋକଙ୍କ କହିବାନୁସାରେ ଏଭଳି ସିନେମା ନିଜ ଜୀବନକାଳ ଭିତରେ କେବେ ଦେଖିନଥିଲେ ।

 

'ଅଧିକ ଲମ୍ବା ଫିଲ୍ମ'

ଫିଲ୍ମର କାହାଣୀକୁ ନେଇ ଅନେକ ସମୀକ୍ଷକ ସେତେଟା ଉତ୍ସାହିତ ନ ଥିବା ବେଳେ, ଫିଲ୍ମର ଦୈର୍ଘ୍ୟକୁ ନେଇ ସେମାନେ ନିରାଶ ହେଇଛନ୍ତି । ସେମାନଙ୍କ ମତରେ 150 ମିନିଟର ଏହି ଫିଲ୍ମରେ ଅନେକ ଅନାବଶ୍ୟକ ଦୃଶ୍ୟ ରହିଛି ଯାହାକୁ  ବାଦ ଦିଆଯାଇଥିଲେ ଭଲ ହେଇଥାନ୍ତା । ଫିଲ୍ମର 3D ଗ୍ରାଫିକ୍ସ ଓ ସାଉଣ୍ଡର ଭୂୟସୀ ପ୍ରଶଂସା କରିଥିବା ବେଳେ , ଅକ୍ଷକୁମାର ଓ ରଜନୀକାନ୍ତଙ୍କ ଫାଇଟ ସିନ ଏକାଧିକ ଥର ଦେଖାଇଥିବାରୁ କିଛି ସମୀକ୍ଷକ ନିରାଶ ହେଇଥିଲେ ବୋଲି କହିଛନ୍ତି ।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon