ଆଜିଠୁ ଆରମ୍ଭ ଭୁବନେଶ୍ଵର ଫେଷ୍ଟ : କେମିତି ଦେଖିବେ ଜାଣନ୍ତୁ

Saturday, December 1, 2018

(ବେତାର ବ୍ୟୁରୋ) ମନ୍ଦିରମାଳିନୀ ସହର ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ଵକପ-2018 ଆରମ୍ଭ ହୋଇଯାଇଛି। ଏଥିପାଇଁ ବିଦେଶରୁ ଅନେକ ପର୍ଯ୍ୟଟକମାନେ ବୁଲିବାକୁ ଆସିଛନ୍ତି। ତେବେ ଏହି ହକି ବିଶ୍ଵକପ ସମୟରେ ଲୋକମାନଙ୍କର ମନୋରଞ୍ଜନ କରିବା ପାଇଁ ଭୁବନେଶ୍ଵର ଡେଭଲପମେଣ୍ଟ ଅଥରୀଟି ଓ ଓଡିଶା ପର୍ଯ୍ୟଟନ ବିଭାଗ ତରଫରୁ ମିଳିତ ଭାବରେ ‘ଭୁବନେଶ୍ଵର ଫେଷ୍ଟ’ ନାମକ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଡିସେମ୍ବର 1 ତାରିଖରୁ ଡିସେମ୍ବର 16 ତାରିଖ ପର୍ଯ୍ୟନ୍ତ IDCO ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ।

 

ଏହି FESTରେ ପ୍ରତିଦିନ ସନ୍ଧ୍ୟାରେ ବଲିଉଡର ବଡ ବଡ କଳାକାରଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହାସହିତ ଇଣ୍ଟରନାସିନାଲ ଷ୍ଟୋରୀ ଟେଲିଙ୍ଗ ଫେଷ୍ଟିଭାଲ ମଧ୍ୟ ଅନୁଷ୍ଠିତ ହେବ। ଏହାବ୍ୟତୀତ 24ଟି ଫୁଡଷ୍ଟଲ ମଧ୍ୟ ପଡିବ ଓ ଏଥିରେ ଆପଣ ଓଡିଶା ଏବଂ ଭାରତ ସମେତ 16ଟି ଦେଶର ପ୍ରସିଦ୍ଧ ଖାଦ୍ୟ ପାଇପାରିବେ।

 

କେମିତି ଦେଖିବେ

ଷୋହଳ ଦିନ ପାଇଁ ଆୟୋଜିତ ହୋଇଥିବା ‘ଭୁବନେଶ୍ଵର ଫେଷ୍ଟ’ରେ ଛଅଟି ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଟିକେଟ କରିବାକୁ ପଡିବ ଓ ବାକି ଦଶଦିନ ପାଇଁ ଟିକେଟ କରିବାକୁ ପଡିବ ନାହିଁ। ଏହି ଟିକେଟ ଆପଣ bookmyshow ୱେବସାଇଟ କିମ୍ବା ଏକାମ୍ର ହାଟ ପାଖରେ ଥିବା ଟିକେଟ କାଉଣ୍ଟରରୁ କିଣିପାରିବେ। ଏହି କାର୍ଯ୍ୟକ୍ରମରେ ସୋଫା ଚେୟାର ପାଇଁ ଟିକେଟର ମୂଲ୍ୟ ଟ.750, ପ୍ଲାଷ୍ଟିକ ଚେୟାର ପାଇଁ ଟିକେଟ ମୂଲ୍ୟ ଟ. 500 ରହିଛି।

ମାଗଣାରେ ମଧ୍ୟ ଦେଖିପାରିବେ

ଏହି ଭୁବନେଶ୍ଵର ଫେଷ୍ଟରେ ଦଶଦିନ ବିନା ଟିକେଟରେ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ଥିବା ବେଳେ ଛଅଦିନ ପାଇଁ ଟିକେଟ ବ୍ୟବସ୍ଥା କରାଯାଇଛି। ଏହି ଦିନ ଗୁଡିକରେ ମଧ୍ୟ ଆପଣ ମାଗଣାରେ କାର୍ଯ୍ୟକ୍ରମକୁ ଦେଖିପାରିବେ।ଏହାଛଡା ଟିକେଟ ଥିବା ଦିନ ଦୈନିକ 10,000 ଜଣ ମାଗଣାରେ ଛିଡା ହେଇ ଦେଖିପାରିବାର ବ୍ୟବସ୍ଥା ରହିଛି।

 

କେଉଁଦିନ କଣ

‘ଭୁବନେଶ୍ଵର ଫେଷ୍ଟ’ର ପ୍ରଥମ ସନ୍ଧ୍ୟାରେ ଅର୍ଥାତ ଡିସେମ୍ବର 1ରେ ବଲିଉଡର ମ୍ୟୁଜିକ କମ୍ପୋଜର ବିଶାଳ-ଶେଖର ହାଇ ଅକ୍ଟେନ ଥିମରେ ସଙ୍ଗୀତ ପରିବେଷଣ କରିବେ। ସେହିପରି ଡିସେମ୍ବର 3 ତାରିଖରେ ସୋନା ମହାପାତ୍ର, ଡିସେମ୍ବର 8ରେ ଶ୍ରେୟା ଘୋଷାଲ, ଡିସେମ୍ବର 9ରେ ଶାନ, ଡିସେମ୍ବର 14ରେ ଫରହାନ ଅଖତର ଓ ଡିସେମ୍ବର 16ରେ ଶଙ୍କର ଏହସାନ ଲୟ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ଦିନ ଗୁଡିକରେ ଦର୍ଶକଙ୍କୁ ଟିକେଟ କାଟିବାକୁ ପଡିବ।

 

ଏହାବ୍ୟତୀତ ଅନ୍ୟ ଦିନ ଗୁଡିକରେ ଦର୍ଶକମାନେ ଟିକେଟ ନକରି ମାଗଣାରେ ଶୋ’ ଗୁଡିକୁ ଦେଖିପାରିବେ। ସେଥିମଧ୍ୟରେ ଡିସେମ୍ବର 2ରେ ସିଦ୍ଧାର୍ଥ ଶର୍ମାଙ୍କ ରକ୍ ଥିମ, ଡିସେମ୍ବର 4ରେ ଆଦିବାସୀ ନୃତ୍ୟ ଓ ଲୋକନୃତ୍ୟ, ଡିସେମ୍ବର 5ରେ ଅରୁଣା ମହାନ୍ତିଙ୍କ କ୍ଲାସିକାଲ ଥିମ,ଡିସେମ୍ବର 6ରେ କ୍ଲିଣ୍ଟନ ସେରେଜୋଙ୍କ କୋକ ଷ୍ଟୂଡିଓ, ଡିସେମ୍ବର 7ରେ ବିଶ୍ଵକଲ୍ୟାଣ ରଥଙ୍କ LOL.FEST ଥିମ, ଡିସେମ୍ବର 10ରେ ଋତୁରାଜ ମହାନ୍ତି ଓ ନୂରନ ସିଷ୍ଟରଙ୍କ ସୁଫି ନାଇଟ୍ସ, ଡିସେମ୍ବର 11ରେ ସିଟି ବ୍ୟାଣ୍ଡ କମ୍ପିଟିସନ, ଡିସେମ୍ବର 12ରେ କ୍ରୀଷ୍ଣା ବେଉରା ଓ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଚକଦେ ଓଡିଶା ଥିମ, ଡିସେମ୍ବର 13ରେ fusion fiesta ଓ ଡିସେମ୍ବର 15ରେ EDM.FEST ପରିବେଷଣ କରାଯିବ।

ଏହି କାର୍ଯ୍ୟକ୍ରମରେ ସହଜ ଓ  ସୁବିଧାରେ ପହଞ୍ଚିବା ପାଇଁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ତରଫରୁ ଚାଲୁଥିବା ‘ମୋ ବସ’ରେ ମଧ୍ୟ ସଟଲ ସର୍ଭିସ ଆରମ୍ଭ କରାଯାଇଛି। ଏହି ସଟଲ ସର୍ଭିସ ଜନତା ମଇଦାନ-କଳିଙ୍ଗ ଷ୍ଟାଡିୟମ -ବିଧାନ ସଭା ଛକ-କଳିଙ୍ଗଷ୍ଟାଡିୟମ ରୁଟରେ ଉପଲବ୍ଧ ହେବ। ଅପରାହ୍ନ ୩.୩୦ମିନିଟରୁ ରାତି ୧୧ଟା ପର୍ଯ୍ୟନ୍ତ ‘ମୋ ବସ’ରେ ଯାତ୍ରୀମାନେ ଏହି ସୁବିଧା ପାଇପାରିବେ। ପଟିଆରୁ ଆସୁଥିବା ଦର୍ଶକମାନେ ଏହାର ସୁବିଧା ଉଠାଇ ପାରିବେ ଓ ଜନତା ମଇଦାନରୁ IDCO ପ୍ରଦର୍ଶନୀ ପଡିଆକୁ ଯାଇପାରିବେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon