ରାଜଧାନୀରେ ଲାଗିଲା ସ୍ପିଡ ଡିଟେକ୍ଟର, ମୋବାଇଲକୁ ଯିବ ଚାଲାଣ

Saturday, December 1, 2018

(ବେତାର ବ୍ୟୁରୋ) ରାଜଧାନୀ ଭୁବନେଶ୍ଵର ରାସ୍ତା‌ରେ ଦୁର୍ଘଟଣା ରୋକିବା ପାଇଁ ଓ ଟ୍ରାଫିକ ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ ତରଫରୁ ଶୁକ୍ରବାର ଏକ ନୂତନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯଦି ଟ୍ରାଫିକ୍ ସିଗନାଲ୍ ଆପଣ ଭାଙ୍ଗୁଛନ୍ତି ବା ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି ତେବେ ଜୋରିମାନା ଗଣିବେ। ନିୟମ ଉଲ୍ଲଂଘନ କରି ଘରେ ପହଞ୍ଚିଲା ବେଳକୁ ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଏବଂ ମେଲ୍‌ରେ ଇ-ଚାଲାଣ ପହଞ୍ଚିବ।

 

ଏଥିପାଇଁ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ରାଜଧାନୀର ପ୍ରମୁଖ ସ୍ଥାନରେ ଫିକ୍ସଡ କ୍ୟାମେରା, ପିଟିଜେଡ୍ କ୍ୟାମେରା (୩୬୦ଡିଗ୍ରି ବୁଲୁଥିବା), ଏଏନ୍‌ପିଆର୍‌ (ନମ୍ବର ପ୍ଲେଟ୍ ଉପରେ ନଜର ରଖିବା ପାଇଁ) କ୍ୟାମେରା ଖଞ୍ଜା ଯାଇଛି। ଏହି ତିନି ପ୍ରକାରର କ୍ୟାମେରାରେ ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯିବ।

 

ଏହି କ୍ୟାମେରା ନିୟମ ଉଲ୍ଲଂଘନକାରୀଙ୍କ ଗାଡ଼ିର ଭିଡ଼ିଓ ଉତ୍ତୋଳନ କରିବା ସହ ନମ୍ବର ପ୍ଲେଟ୍‌ରୁ ତଥ୍ୟ ସଂଗ୍ରହ କରି ଇ-ଚାଲାଣ ଜାରି କରିବ। ନିୟମ ଉଲ୍ଲଂଘନକାରୀଙ୍କୁ ମେସେଜ୍ ଓ ମେଲ୍‌ରେ ଦିଆଯାଇଥିବା ଠିକଣାରେ ଧାର୍ଯ୍ୟ ସମୟ ମଧ୍ୟରେ ଜରିମାନା ପୈଠ କରିବାକୁ ପଡ଼ିବ। ଯଦି ଜରିମାନା ପୈଠ ନକରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ଯେଉଁମାନେ ଚାଲାଣ ଦେଇ ନଥିବେ ସେମାନେ ଗାଡ଼ିର ଫିଟନେସ୍ ଓ ଇନସ୍ୟୁରାନ୍ସ କରିପାରିବେ ନାହିଁ। ଏହି କ୍ୟାମେରାଗୁଡ଼ିକୁ ‘ବାହାନ’ ଡାଟାବେସ୍ ସହ ସଂଯୋଗ କରାଯିବ ଓ ଏହାକୁ ଭୁବନେଶ୍ଵର ଅପରେସନ୍ ସେଣ୍ଟର୍‌ରୁ ପରିଚାଳନା କରାଯିବ। ଏହି ବ୍ୟବସ୍ଥା ଡିସେମ୍ବର ୧ରୁ ୬୦ଦିନ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ ଓ ଏହାପରେ ଜରିମାନା ଆଦାୟ ହେବ ବୋଲି ନିଷ୍ପତ୍ତି ହୋଇଛି।

କେତେ ରହିବ ଗାଡିର ଗତି

ତେବେ କେତେ ଗତିରୁ ଅଧିକ ଗ‌ାଡ଼ି ଚଳାଇଲେ ଜରିମାନା ଦେବାକୁ ହେବ ସେନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ। ଟ୍ରାଫିକ ଏସ.ପି କହିଛନ୍ତି ଯେ, ସହର ଭିତରେ ଗାଡ଼ିର ଗତି ୪୦ରୁ ୫୦କିମି ବେଗରେ ଏବଂ ଜାତୀୟ ରାଜପଥ ୧୬ରେ ଗାଡ଼ିର ଗତି ୫୦ରୁ ୬୦କିମି ବେଗରେ ରହିବ । ହେଲେ କେଉଁ ରାସ୍ତାରେ କେତେ ଗତିରେ ଗାଡ଼ି ଚାଲିବ ତାହା ଜିଲ୍ଲାପାଳ ଧାର୍ଯ୍ୟ କରିଥାନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଅନୁଯାୟୀ, ମାର୍କେଟ ଅଞ୍ଚଳରେ ଭାରୀଯାନ ଘଣ୍ଟା ପ୍ରତି ୨୦କିମି ବେଗରେ, ହାଲୁକା ଯାନ ୩୦କିମି ବେଗରେ ଯିବ । ଅନ୍ୟ ରାସ୍ତାରେ ଭାରିଯାନ ୬୫କିମି ଏବଂ ହାଲୁକା ଯାନ ୭୫କିମି ବେଗରେ ଯାଇପାରିବ । ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ଏନେଇ ପୂରା ଅଜ୍ଞ । ସରକାରୀ ସ୍ତରରେ ଗାଡ଼ିର ଗତି କେତେ ରହିବ ତାହା ସ୍ପଷ୍ଟ ହୋଇପାରି ନଥିବାରୁ କେମିତି ଜରିମାନା ଆଦାୟ ହେବ ତାହା ଦ୍ଵନ୍ଦ୍ଵରେ ପକାଇଛି । 

 

ସାତଟି ଜାଗାରେ ଲାଗିଲା
ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ରୁପାଲି ଛକ, କଳ୍ପନା ଛକ, ବିମାନବନ୍ଦର ଛକ, ନିକୋ ପାର୍କ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକରେ ରେଡ୍‌ ଲାଇଟ୍‌ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ଲାଗିଛି। ଖୁବ୍ ଶୀଘ୍ର ଆଉ ୮ରୁ ୧୦ଟି ଛକରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ଟ୍ରାଫିକ୍ ଛକରେ ଥିବା ନାଲିବତି ସିଗନାଲ୍‌କୁ ଯଦି କେହି ମାନୁ ନଥିବେ ତେବେ ସେମାନଙ୍କ ଠାରୁ ଜରିମାନା ଆଦାୟ ହେବ। ଏହି ବ୍ୟବସ୍ଥାରେ ଉପରୋକ୍ତ ଛକ ଦେଇ ଯାଉଥିବା ପ୍ରତ୍ୟେକ ଗାଡ଼ି ଉପରେ ନଜର ରହିବ। ସିଗନାଲ୍‌ରେ ନାଲିବତି ଜଳିବା କ୍ଷଣି ଏହା ନିୟମ ଉଲ୍ଲଂଘନକାରୀଙ୍କୁ ଧରିବ।

 

ଯଦି କୌଣସି ରାସ୍ତାରେ ଟ୍ରାଫିକ୍ ଜାମ୍ ଅଛି କିମ୍ବା କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ତେବେ ଏନେଇ ତୁରନ୍ତ ଲୋକଙ୍କୁ ଜଣାଇ ଦିଆଯିବ। ଏଠାରେ ମାଇକ୍ରୋଫୋନ୍, ଲାଉଡ୍‌ ସ୍ପିକର୍, ଆମ୍ପ୍ଲିଫାୟାର ରହିବ। ଏହାସହିତ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଯିବ।

ଚୋରା ଗାଡ଼ି ବି ଧରାପଡ଼ିବ
ଦ୍ରୁତ ଗାଡ଼ି ଚାଳକଙ୍କ ଉପରେ ରୋକ୍ ଲଗାଇବା ପାଇଁ ୬ଟି ସ୍ଥାନରେ ସ୍ପିଡ୍ ଡିଟେକ୍ଟର୍‌ ତଥା ସ୍ପିଡ୍ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ଲାଗିଛି। ଏଥିରେ ଦୁଇଟି ଛକ ମଧ୍ୟରେ ଗାଡ଼ିର ଗତି କେତେ ଥିଲା ତାହା ଏକାଧିକ ଫ୍ରେମ୍‌ ମଧ୍ୟରେ ସମୟକୁ ଦେଖି ଚିହ୍ନଟ କରିବ। ଏଥିରେ ପୁଲିସ୍‌ର ହଟ୍‌ ଲିଷ୍ଟ, ୱାଣ୍ଟେଡ୍‌ ଥିବା ଗାଡ଼ି, ଚୋରା ଗାଡ଼ି ବି ସହଜରେ ଚିହ୍ନଟ କରାଯାଇପାରିବ।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon